କଟକ: ଓଡ଼ିଶା ଫୁଟବଲ ସଂଘ (ଫାଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ଣରେ ଅନୁଷ୍ଠିତ ହୋଇଛି। ‘ଫାଓ’ ସଭାପତି ଟଙ୍କଧର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଓଡ଼ିଶାରେ ଫୁଟ୍ବଲ୍ ଖେଳର ବିକାଶ ପାଇଁ ଆଲୋଚନା କରାଯିବା ସହିତ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଛି। ବୈଠକରେ ‘ଫାଓ’ର ପୂର୍ବତନ ସମ୍ପାଦକ ସଞ୍ଜୟ ବେହେରା ଫୁଟ୍ବଲ୍ ଖେଳର ବିକାଶ ପାଇଁ କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହଷ୍ଟେଲ୍ଗୁଡ଼ିକ ‘ଫାଓ’ର ବିଭିନ୍ନ କାର୍ଯ୍ୟକଳାପ ସହ ସଂପୃକ୍ତ ରହିବା ସହିତ ଏକାଧିକ ମ୍ୟାଚ୍ରେ ଅଂଶଗ୍ରହଣ କରିବା ଉଚିତ। ଏଭଳି ହେଲେ ତରୁଣ ଖେଳାଳିଙ୍କ ଦକ୍ଷତା ବିକାଶ ହେବ। ‘ଫାଓ’ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ସରକାରୀ ହଷ୍ଟେଲରେ ରହିବା ଓ ପ୍ରଶିକ୍ଷଣ ଗ୍ରହଣ କରିବା ସୁଯୋଗ ଦେବା ଉଚିତ ବୋଲି ଶ୍ରୀ ବେହେରା ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ସଭାପତି ଶ୍ରୀ ତ୍ରିପାଠୀ ସ୍ୱାଗତ କରିବା ସହ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଫୁଟ୍ବଲ୍ ଏକାଡେମି ପ୍ରତିଷ୍ଠା କରାଯିବା ବୋଲି କହିଥିଲେ। ଏହି ସବୁ ଏକାଡେମି ସରକାରଙ୍କ ସହାୟତାରେ କିମ୍ବା କର୍ପୋରେଟ ହାଉସ୍ ବା ବଡ଼ ବଡ଼ କମ୍ପାନି ସହଭାଗିତାରେ ପ୍ରତିଷ୍ଠା କରାଯିବ। ତୃଣମୂଳସ୍ତରରୁ ଫୁଟ୍ବଲ୍ ଖେଳର ବିକାଶ ପାଇଁ ୧୨, ୧୪ ଓ ୧୬ ବର୍ଷରୁ କମ୍ ବୟସ ବର୍ଗର ଖେଳାଳିଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯିବା ଉଚିତ ବୋଲି ସଭାପତି ତ୍ରିପାଠୀ କହିଥିଲେ। ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରାଯାଇଥିଲା।
ଆସନ୍ତା ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ପରେ ‘ଫାଓ’ ଲିଗ୍ ଆରମ୍ଭ କରାଯିବାକୁ ଚୂଡ଼ାନ୍ତ ହୋଇଛି। ସେହିପରି କଟକରେ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା ଫୁଟ୍ବଲ୍ ପ୍ରତିଯୋଗିତା କରାଯିବାକୁ ସ୍ଥିର ହୋଇଛି। ଏହା ସହ ବରିଷ୍ଠ ପୁରୁଷ ଅନ୍ତଃଜିଲ୍ଲା ଫୁଟ୍ବଲ୍ ପ୍ରତିଯୋଗିତା ସାହାଣୀ କପ୍ ଆୟୋଜନ ପାଇଁ ବୌଦ୍ଧ, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଂଘ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କେଉଁ ଜିଲ୍ଲାରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ ତାହା ଚୟନ କରିବା ପାଇଁ ‘ଫାଓ’ ପକ୍ଷରୁ ଭିତ୍ତିଭୂମି ଯାଞ୍ଚ କରାଯିବ ବୋଲି ଚୂଡ଼ାନ୍ତ ହୋଇଛି। ସେହିପରି ବରିଷ୍ଠ ମହିଳା ଅନ୍ତଃଜିଲ୍ଲା ଫୁଟ୍ବଲ୍ ପ୍ରତିଯୋଗିତା ପିସି ବେହେରା ଟ୍ରଫି, ଚିଫ୍ ମିନିଷ୍ଟର୍ସ ଟ୍ରଫି ଆୟୋଜନ କରାଯିବା ବିଷୟରେ ବିଶଦ ଆଲୋଚନା ହୋଇଛି। ଏହି ବୈଠକରେ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।