ଗୁରୁତ୍ବପୂର୍ଣ୍ଣ ଗୁରୁବାର: ଯୁଗଳ ମୁକାବିଲା, ଜବରଦସ୍ତ ରୋମାଞ୍ଚ

ବୃହତ୍ ବିଜୟ ଲକ୍ଷ୍ୟରେ କୋଲ୍‌କାତା, କିଙ୍ଗ୍ସ ବିପକ୍ଷରେ ସୁପରକିଙ୍ଗ୍ସ ଫେବରିଟ୍

ପ୍ଲେ ଅଫ୍ ଖେଳିବା ସମ୍ଭାବନାକୁ ବଢ଼ାଇବା ଲାଗି ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଗୁରୁବାର ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ। କେକେଆର୍ ସଂପ୍ରତି ୧୩ ମ୍ୟାଚ୍‌ରୁ ୬ ବିଜୟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରନ୍‌ରେଟ୍‌ରେ ମଧ୍ୟ ଏହି ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଗରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ (-୦.୦୪୮) ମଧ୍ୟ ସେହି ୧୩ ମ୍ୟାଚ୍‌ରୁ ୬ ବିଜୟ ପାଇ ସମାନ ୧୨ ପଏଣ୍ଟ ଲାଭ କରିଛି। ହେଲେ କେକେଆର୍‌ (୦.୨୯୪) ତୁଳନାରେ ଏହି ଦଳର ରନ୍ ରେଟ୍ ଢେର ଖରାପ ରହିଛି। ଯଦି ଉଭୟ ମୁମ୍ବାଇ ଓ କୋଲକାତା ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍ ଜିତି ନିଅନ୍ତି, ତାହେଲେ ଯାହାର ନେଟ୍ ରନ୍ ରେଟ୍ ଭଲ ଥିବ ସେହି ଦଳ ପ୍ଲେ ଅଫ୍ ଖେଳିବ। ଚତୁର୍ଥ ସ୍ଥାନ ଦୌଡ଼ରେ ଥିବା ରାଜସ୍ଥାନ ଓ ପଞ୍ଜାବର ସ୍ଥିତି ମଧ୍ୟ ଏହି କ୍ଷେତ୍ରରେ ବିଚାରକୁ ନେବାକୁ ପଡ଼ିବ। ଚଳିତ ଆଇପିଏଲ୍‌ର ୟୁଏଇ ଚରଣରେ କେକେଆର୍‌କୁ ମିଶ୍ରିତ ଫଳ ମିଳିଛି। ଏହି ଦଳ ୪ ମ୍ୟାଚ୍ ଜିତିଥିଲା ବେଳେ ୨ଟିରେ ପରାଜିତ ହୋଇଛି। ‌ପରାଜିତ ହୋଇଥିବା ଦୁଇଟି ମ୍ୟାଚ୍‌ରେ ମଧ୍ୟ ଏହି ଦଳର ବ୍ୟାଟିଂ ବାହିନୀ ବହୁତ ଭଲ ଖେଳ ଖେଳିଥିଲା।

ଅନ୍ୟପକ୍ଷରେ ଏହି ଦଳର ଗୁରୁବାରର ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। କୌଣସି ଚମତ୍କାର ହି ଏହି ଦଳକୁ ପ୍ଲେ ଅଫ୍‌ରେ ପହଞ୍ଚାଇ ପାରିବ। ସଂପ୍ରତି ଏହି ଦଳ ୧୩ ମ୍ୟାଚ୍‌ରୁ ମାତ୍ର ୫ ବିଜୟ ହାସଲ କରି ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ଏଣୁ ଆସନ୍ତାକାଲି କେକେଆର୍‌କୁ ହରାଇବାକୁ ହେଲେ ଏହି ଦଳକୁ କିଛି ନା କିଛି ସ୍ବତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବାକୁ ହେବ। କେକେଆର୍‌ର ଘରୋଇ ନାୟକ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ଚମତ୍କାର ଫର୍ମରେ ଅଛନ୍ତି। ଶୁବମନ ଗିଲ୍ ଓ ନୀତୀଶ ରାଣା ମଧ୍ୟ ବଡ଼ ପାଳି ଖେଳିବାକୁ ପୂରା ସକ୍ଷମ। ବାଂଲାଦେଶ ଅଲରାଉଣ୍ଡର ସକିବ-ଅଲ୍-ହାସନ ସାମିଲ ହେବା ପରେ କେକେଆର୍‌ ଆହୁରି ଶକ୍ତିଶାଳୀ ହୋଇଯାଇଛି। ସ୍ପିନର ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାୟଣଙ୍କ ସହ ପେସର ଟମି୍ ସାଉଦି, ପ୍ରସିଦ୍ଧ କ୍ରିଷ୍ଣା, ଶିଭବ ମାଭି ଘାତକ ବୋଲିଂ କରୁଛନ୍ତି। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲଙ୍କ ଛଡ଼ା ରାଜସ୍ଥାନର ଅଧିକାଂଶ ବ୍ୟାଟର୍‌ ଦ୍ବିତୀୟ ଚରଣରେ ସଂଘର୍ଷ କରୁଛନ୍ତି। ଅଧିନାୟକ ସଞ୍ଜୁ ସାମସନ୍ ଅସ୍ଥିର ବ୍ୟାଟିଂ କରୁଛନ୍ତି। ଏହି ଦଳର ପ୍ରମୁଖ ବୋଲର ମୁସ୍ତାଫିଜୁର ରହମାନ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ମୁହାଁମୁହିଁ ମୁକାବିଲାକୁ ଦେଖିଲେ ଉଭୟ ଦଳ ପରସ୍ପରକୁ ୨୪ ମ୍ୟାଚ୍‌ରେ ଭେଟିଛନ୍ତି। ସେଥିମଧ୍ୟରୁ କେକେଆର୍‌ ୧୨ ଏବଂ ରାଜସ୍ଥାନ ୧୧ ମ୍ୟାଚ୍ ଜିତିଛି। ଗୋଟିଏ ମୁକାବିଲାର ଫଳାଫଳ ମିଳିନି।

କିଙ୍ଗ୍ସ ବିପକ୍ଷରେ ସୁପରକିଙ୍ଗ୍ସ ଫେବରିଟ୍
ଗୁରୁବାରର ଅନ୍ୟ ଏକ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ନିଶ୍ଚିତ ଭାବେ ଫେବରିଟ୍ ଦଳର ଆଖ୍ୟା ନେଇ ପଡ଼ିଆକୁ ଓହ୍ଲାଇବ। ଅବଶ୍ୟ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ଥିବା ଚେନ୍ନାଇ ତାର ଗତ ଦୁଇ ମୁକାବିଲା‌ରେ ପରାଜିତ ହୋଇଛି। ସେଥିପାଇଁ ଗୁରୁବାର ବିଜୟ ଧାରାକୁ ଫେରିବା‌ ସହ ପଏଣ୍ଟ ତାଲିକାରେ ଏହି ସ୍ଥାନ ବଜାୟ ରଖିବାକୁ ଚେନ୍ନାଇ ଆପ୍ରାଣ ଉଦ୍ୟମ କରିବ। ତିନିଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ଚମତ୍କାର ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକୀୟ ତାରକା ଫାଫ୍ ଡୁ’ ପ୍ଲେସିସ୍ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି।

ଅମ୍ବାତି ରାୟୁଡୁ ମଧ୍ୟକ୍ରମରେ ଭଲ କରି ଚାଲିଛନ୍ତି। ସୁରେଶ ରାଇନାଙ୍କ ସହ ଅଧିନାୟକ ଧୋନିଙ୍କ ଦୁର୍ବଳ ଫର୍ମ କିନ୍ତୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ରବୀନ୍ଦ୍ର ଜାଦେଜା, ଦୀପକ ଚହର, ଶାର୍ଦୁଳ ଠାକୁର, ଜୋସ୍ ହାଜେଲଉଡ୍, ଡ୍ବେନ୍ ବ୍ରାଭୋ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚ୍‌ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ। ଚେନ୍ନାଇ ସଂପ୍ରତି ୧୩ ମ୍ୟାଚ୍‌ରୁ ୯ ବିଜୟ ହାସଲ କରି ୧୮ ପଏଣ୍ଟରେ ରହିଛି। ସେପଟେ ଦ୍ବିତୀୟ ଚରଣର କେତେକ ଜିତିବା ମ୍ୟାଚ୍‌କୁ ହାରିଥିବା ପଞ୍ଜାବ କ୍ରମାଗତ ଭାବେ ଅସ୍ଥିର ଖେଳ ଖେଳୁଛି। ଏହି ସଳ ୧୩ ମ୍ୟାଚ୍‌ରୁ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଣୁ ଗୁରୁବାର ବିଜୟୀ ହେଲେ ମଧ୍ୟ ଏହି ଦଳକୁ ପ୍ଲେ ଅଫ୍ ଯିବା ଲାଗି ରନ୍ ରେଟ୍ ଉପରେ ନିର୍ଭର କରିବାକୁ ହେବ। ଏହି ଦଳର ଅଧିନାୟକ କେଏଲ୍ ରାହୁଲ କିନ୍ତୁ ୫୨୮ ରନ୍ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ମହମ୍ମଦ ସାମି (୧୮ ୱିକେଟ୍), ଅର୍ଶଦୀପ ସିଂହ (୧୬ ୱିକେଟ୍) ମଧ୍ୟ ଭଲ କରୁଛନ୍ତି। ହେଲେ ଦଳଗତ ଭାବେ ଏହି ଦଳ ଯେମିତି ପ୍ରଦର୍ଶନ କରିବା କଥା ସେମିତି କରି ପାରିନାହିଁ। ପୂର୍ବ ମୁକାବିଲାକୁ ଦେଖି‌ଲେ ଦୁଇ ଦଳ ପରସ୍ପର ସହ ୨୪ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତି ଚେନ୍ନାଇ ଢେର ଆଗରେ ରହିଛି। ଅନ୍ୟପକ୍ଷରେ ପଞ୍ଜାବ ମାତ୍ର ୯ ମ୍ୟାଚ୍‌ରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର