ସୋନପୁର ଜିଲ୍ଲା ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଉନ୍ନତିକରଣ ଉପରେ କ୍ରୀଡ଼ା ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ସୋନପୁର ଜିଲ୍ଲା ଗସ୍ତ କରି ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲା ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ କିପରି ଅଧିକ ଉନ୍ନତ ଓ ବିକଶିତ କରିହେବ ସେ ନେଇ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶାରୁ ଅଧିକ ଅଲିମ୍ପିଆନ ସୃଷ୍ଟି ଉପରେ ଆମ ସମସ୍ତଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ। ଏଥିପାଇଁ ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ଖାଦ୍ୟପେୟ ଓ ତାଲିମ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ମନ୍ତ୍ରୀ ଜିଲ୍ଲା ଷ୍ଟାଡିୟମ, ସୁଇମିଙ୍ଗ ପୁଲ ଓ ବ୍ୟାଡ୍‌ମିଣ୍ଟନ ହଲ୍‌ ବୁଲି ଦେଖିଥିଲା ବେଳେ ଟେନିସ, ଭଲିବଲ, ଖୋଖୋ, କବାଡ଼ି, ଥ୍ରୋ-ବଲ୍‌ ଆଦି ସୁବିଧା ସହ କିପରି ଏହାକୁ ଏକ ଆଧୁନିକ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଭାବେ ଗଢ଼ି ତୋଳିବା ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ାର ଅଧିକ ବିକାଶ ଲାଗି ଆଉ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେଥିନେଇ ମନ୍ତ୍ରୀ ମଧ୍ୟ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଂଘଗୁଡ଼ିକ ସହ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳଙ୍କ ବ୍ୟତୀତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦୋଳମଣୀ ପଟେଲ, ଉପଜିଲ୍ଲପାଳ ନିହାର ରଞ୍ଜନ କହଁର, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I

ସମ୍ବନ୍ଧିତ ଖବର