ପାକିସ୍ତାନ ଘରୋଇ କ୍ରିକେଟ ଶୈଳୀର ପରିବର୍ତ୍ତନ ନିଷ୍ପତ୍ତିରେ ଇମ୍ରାନ ଅଟଳ

ନୂଆଦିଲ୍ଲୀ : ପାକିସ୍ତାନରେ ଘରୋଇ କ୍ରିକେଟ ଶୈଳୀରେ ପରିବର୍ତ୍ତନ ଅଣାଯିବାକୁ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଅଧିନାୟକ ଇମ୍ରାନ ‌ଖାନ୍‌ ନେଇଥିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପରିବର୍ତ୍ତିତ ଧରଣର କ୍ରିକେଟ‌ ଯୋଗୁଁ ଅଧିକ ମାତ୍ରାରେ ବିଶ୍ବସ୍ତରୀୟ ପ୍ରତିଭା ସାମ୍ନାକୁ ଆସିବେ ବୋଲି ଇମ୍ରାନ ଦାବି କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ, ପାକିସ୍ତାନ ଟେଲିଭିଜନ୍‌ ନିଗମ ଓ ସୂଚନା ମନ୍ତ୍ରଣାଳୟ ଅଧିକାରୀଙ୍କୁ ଉଦ୍‌ବୋଧନ ଦେଇ ଇମ୍ରାନ କହିଛନ୍ତି ଯେ ଦୁର୍ବଳ କ୍ରିକେଟ ବ୍ୟବସ୍ଥା ସତ୍ତ୍ବେ ପାକିସ୍ତାନ ଏପର୍ଯ୍ୟନ୍ତ ପ୍ରତିଭାବାନ୍‌ ଖେଳାଳିଙ୍କ ଯୋଗୁଁ ଭଲ ପ୍ରଦର୍ଶନ କରିଆସିଛି। ନୂଆ ଶୈଳୀ ବ୍ୟବସ୍ଥାରେ ଖେଳାଳିମାନଙ୍କୁ ବଢିବାକୁ ଓ ଅଧିକ ଶକ୍ତ ହେବାକୁ ସୁଯୋଗ ଦେବ ବୋଲି ସେ କହିଛନ୍ତି।

ପିସିବି ଅଧ୍ୟକ୍ଷ ଏହସାନ୍‌ ମଣି ଓ ସିଇଓ ୱାସିମ୍‌ ଖାନ୍‌ଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଓ ମୁଖ୍ୟ ଚୟନକର୍ତ୍ତା ମିସ୍‌ବା ଉଲ୍‌ ହକ୍‌ ଓ ବରିଷ୍ଠ ଖେଳାଳି ହାଫିଜ, ଆଝାର୍‌ ବୁଧବାର ପ୍ରଧାନମନ୍ତ୍ରୀଙ୍କ ସହ ଇସ୍‌ଲାମାବାଦ୍‌ରେ ସାକ୍ଷାତ କରି ଘରୋଇ କ୍ରିକେଟ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଆଲୋଚନା ପରେ ଇମ୍ରାନ କହିଛନ୍ତି ଯେ ପ୍ରତ୍ୟେକ ନୂଆ ବ୍ୟବସ୍ଥାର ଆରମ୍ଭରେ କିଛି ନା କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ଏବଂ ଏହାର ସଫଳତା ପାଇଁ କିଛି ଦିନ ସମୟ ମଧ୍ୟ ଲାଗିପାରେ। କିନ୍ତୁ ଥରେ ଏହା କାର୍ଯ୍ୟକ୍ଷମ ହୋଇଗଲେ ନବାଗତ ପ୍ରତିଭାମାନେ ଆଗକୁ ଆସିବେ ଏବଂ ଆମେ ତାଙ୍କର ଖେଳକୁ ଅଧିକ ମାର୍ଜିତ କରି ଆନ୍ତର୍ଜାତିକ କ୍ରିକେଟ ପାଇଁ ପ୍ରସ୍ତୁତ କରିପାରିବା ବୋଲି ଇମ୍ରାନ ତାଙ୍କ ବକ୍ତବ୍ୟରେ କହିଛନ୍ତି।

ଗତବର୍ଷ ପିସିବି ଦ୍ବାରା ଅପଣାଯାଇଥିବା ନୂଆ କ୍ରିକେଟ ବ୍ୟବସ୍ଥାରେ ୬ଟି ପ୍ରାଦେଶିକ ଦଳକୁ ନେଇ ପ୍ରଥମ ଶ୍ରେଣୀ କ୍ରିକେଟ, ଦିନିକିଆ ଓ ଟ୍ବେଣ୍ଟି ୨୦ ଖେଳାଯାଉଛି। ତେବେ ଅନ୍ୟ ବିଭାଗୀୟ ଦଳଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ‌ଥରେ ଏହାର ପ୍ରତିଭାଙ୍କୁ ପ୍ରୋତ୍ସାହିତ କରାଗଲେ ପାକିସ୍ତାନ କ୍ରିକେଟ ତାହାର ବାସ୍ତବିକ୍‌ ସ୍ଥାନରେ ପହଞ୍ଚିପାରିବ ଏବଂ ଏଭଳି ବ୍ୟବସ୍ଥା ଦ୍ବାର‌ା କେବଳ ଗୁଣାତ୍ମକ ଖେଳାଳି ହିଁ ବାହାରକୁ ଆସିପାରିବେ। ତେଣୁ ଏହି ବ୍ୟବସ୍ଥା ଦ୍ବାରା ଆସନ୍ତା ବିଶ୍ବକପ୍‌ ବେଳେ ଏକ ଶକ୍ତିଶାଳୀ ପାକିସ୍ତାନ ଦଳ ଖେଳିବାକୁ ଯିବ ଏବଂ ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କିରିବ ବୋଲି ଇମ୍ରାନ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର