ପୂରା ବିଶ୍ୱର କ୍ରିକେଟକୁ ନିୟନ୍ତ୍ରଣ କରୁଛି ଭାରତ, କୌଣସି ଦେଶ ମ୍ୟାଚ ବାତିଲ କଥା ଭାବିବେ ନାହିଁ: ଇମ୍ରାନ ଖାନ

ରମିଜଙ୍କ ଦାବିକୁ ସମର୍ଥନ କଲେ ଇମ୍ରାନ

ଲାହୋର: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବିସିସିଆଇକୁ ନେଇ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ଏକ ସାକ୍ଷାତକାରରେ ଇମ୍ରାନ ଖାନ ମଧ୍ୟ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆଜିର ସମୟରେ ଅର୍ଥ ହିଁ ସବୁ କିଛି | ଭାରତର କ୍ରିକେଟ୍ ବୋର୍ଡ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ। ଭାରତ ପାଖରେ ଅର୍ଥ ଅଛି ତେଣୁ ଭାରତ ବର୍ତ୍ତମାନ ବିଶ୍ୱ କ୍ରିକେଟକୁ ନିୟନ୍ତ୍ରଣ କରୁଛି। ଇମ୍ରାନ ଖାନ କହିଛନ୍ତି ଯେ କୌଣସି ବି ଦେଶର କ୍ରିକେଟ ବୋର୍ଡ ଭାରତ ସହ କ୍ରିକେଟ ମ୍ୟାଚ ବାତିଲ କରିବାକୁ ଚିନ୍ତା ବି କରିବେ ନାହିଁ | କାରଣ ସେମାନେ ଜାଣନ୍ତି ଯେ ଭାରତ କ୍ରିକେଟ ବୋର୍ଡ ବହୁତ ଟଙ୍କା ରୋଜଗାର କରେ |

ଅତୀତରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେବାକୁ ପଡିଥିଲା, ଯେତେବେଳେ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ମ୍ୟାଚ ବାତିଲ କରିଥିଲା। ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ନ୍ୟୁଜିଲାଣ୍ଡ ସହ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଥିଲେ | ସେ କହିଛନ୍ତି ଯେ କେବଳ ଖେଳାଳି ନୁହଁନ୍ତି ବିଭିନ୍ନ ଦେଶର ବୋର୍ଡ ମଧ୍ୟ ଭାରତରୁ ଟଙ୍କା ପାଆନ୍ତି। ଏହି କାରଣରୁ ଭାରତ ସମଗ୍ର ବିଶ୍ୱର କ୍ରିକେଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି | ସୂଚନା ଥାଉ କି ନିକଟରେ ପିସିବି ଅଧ୍ୟକ୍ଷ ରମିଜ ରାଜା କହିଥିଲେ ଯେ ଯଦି ବିସିସିଆଇ ଆଇସିସିର ପାଣ୍ଠି ବନ୍ଦ କରିଦିଏ, ତେବେ ପାକିସ୍ତାନ ବର୍ବାଦ ହୋଇଯିବ। ସିନେଟ୍‌ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର‌ ହେବା ବେଳେ ରମିଜ୍‌ କହିଥିଲେ ‘ପିସିବିକୁ ଏବେଠାରୁ ଆଇସିସି ଉପରେ ନିର୍ଭରଶୀଳତାକୁ କମାଇବା ଆବଶ୍ୟକ।

ସ୍ଥାନୀୟ ବଜାର ଉପରେ ନିର୍ଭର କରିବାକୁ ପଡ଼ିବ। ଆଇସିସି ଏକ ରାଜନୈତିକ ବିଭାଜିତ ଗୋଷ୍ଠୀ ଭାବେ ପରିଚିତ। ଆଇସିସିର ୯୦ ପ୍ରତିଶତ ରାଜସ୍ବ ଭାରତରୁ ଆସୁଛି। ଏହା ଭୟାବହ ସ୍ଥିତି ଆଣୁଛି’‌ ବୋଲି ରମିଜ୍ କହିଥିଲେ । ପିସିବିର ୫୦ ପ୍ରତିଶତ ପାଣ୍ଠି ଆଇସିସିରୁ ଆସିଥାଏ‌ ବୋଲି ‌ମଧ୍ୟ ସେ ସ୍ବୀକାର କରିଥିଲେ। ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନ ଯେଭଳି ଭାବେ ପାକିସ୍ତାନ କ୍ରିକେଟ୍‌କୁ ପରିଚାଳିତ କରୁଛନ୍ତି ଯଦି ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବେ ତେବେ ପିସିବି ଭୁଶୁଡ଼ି ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର