କୋହଲିଙ୍କ ଭିତରେ ରିଚାର୍ଡସ ଓ ଇମ୍ରାନଙ୍କ ଝଲକ: ଶାସ୍ତ୍ରୀ

ୱେଲିଟନ୍,: ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ କ୍ରି‌କେଟ୍ ଇତିହାସର ଦୁଇ ମହାନ ତାରକା ଭିଭିଆନ୍ ରିଚାର୍ଡସ ଓ ଇମ୍ରାନ ଖାନ୍‌ଙ୍କ ସହ ତୁଳନା କରିଛନ୍ତି। ବିରାଟଙ୍କୁ ଦେଖିଲେ ତାଙ୍କର ରିଚାର୍ଡସ ଏବଂ ଇମ୍ରାନଙ୍କ କଥା ମନେ ପଡ଼ିଯାଏ ବୋଲି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଠିକ୍ ପୂର୍ବରୁ କହିଛନ୍ତି। ସେ କହିଛନ୍ତି, ମୁଁ ଯେତେବେଳେ ଏହି ଦୁଇ ମହାନ କ୍ରିକେଟରଙ୍କ କଥା ଭାବେ, ସାଂପ୍ରତିକ କ୍ରିକେଟରଙ୍କ ମଧ୍ୟରୁ କେବଳ କୋହଲିଙ୍କୁ ସେମାନଙ୍କ ନିକଟରେ ଦେଖିବାକୁ ପାଏ। କୋହଲି ସବୁବେଳେ ଦବ୍‌ଦବା ବନେଇବାକୁ ଚେଷ୍ଟା କରନ୍ତି, ରିଚାର୍ଡସ ଓ ଇମ୍ରାନ ବି ଠିକ୍ ସେମିତି ଥିଲେ। ଅନୁଶାସନ, ଅଭ୍ୟାସ, ତ୍ୟାଗ ଏବଂ ଦକ୍ଷତା କଥା ବିଚାରକୁ ନେଲେ କୋହଲି ପୂରା ଅବିଶ୍ବସନୀୟ। ତାଙ୍କ ଭଳି ଜଣେ ଅଧିନାୟକ ପାଇବା ଭାଗ୍ୟର କଥା। ସମୟ ସହ କୋହଲି ଆହୁରି ଭଲ ଅଧିନାୟକ ହୋଇ ବାହାରିବେ ବୋଲି ଶାସ୍ତ୍ରୀ ଏହି ଅବସରରେ ଦୃଢ଼ତାର ସହ କହିଥିଲେ। ବିଦେଶ ମାଟିରେ ରବିଚନ୍ଦ୍ରନ୍‌ ଅଶ୍ବିନ ନୁହେଁ କୁଲ୍‌ଦୀପ ଯାଦବ ହିଁ ଭାରତର ଏକ ନମ୍ବର ସ୍ପିନର ବୋଲି ସେ ଖୋଲାଖୋଲି ଭାବେ ଘୋଷଣା କରିଥିଲେ। ସେହିଭଳି ଆଗକୁ ଟେଷ୍ଟ୍‌ କ୍ରିକେଟ୍‌ରେ ମଣିବନ୍ଧ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଶାସ୍ତ୍ରୀ ଭବିଷ୍ୟବାଣୀ କରିଥିଲେ।

ସମ୍ବନ୍ଧିତ ଖବର