ମୁମ୍ବାଇ: ୧୭ ବର୍ଷ ପରେ ଭାରତ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଭାବବିହ୍ବଳ ହୋଇଯାଇଥିଲେ। ଖୁସିରେ ଆତ୍ମହରା ହୋଇଯାଇଥିଲେ। ବାର୍ବାଡସ୍‌ ପିଚ୍‌ର ମାଟିକୁ ଖାଇବାକୁ ମଧ୍ୟ ପଛାଇ ନଥିଲେ। ଦିନରାତି ସେ ବିଜୟ ଉତ୍ସବ ପାଳିଥିଲେ। ୧୫ ବର୍ଷ ଧରି ରୋହିତଙ୍କ ସହ ବିରାଟ କୋହଲି ମଧ୍ୟ ଡ୍ରେସିଂ ରୁମ୍‌ ବାଣ୍ଟି ଆସୁଛନ୍ତି। କିନ୍ତୁ ଏହି ଦିନଗୁଡିକ ଭିତରେ କେବେବି ରୋହିତଙ୍କୁ ସେ ଏତେ ଭାବବିହ୍ବଳ ହୋଇଥିବା ଦେଖି ନଥିଲେ ବୋଲି କୋହଲି କହିଛନ୍ତି। ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହୋଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋହଲି ଏହା କହିଥିଲେ। କୋହଲି କହିଥି‌ଲେ, ଆମେ ଯେତେବେଳେ କେସିଙ୍ଗଟନ୍‌ ଓଭାଲ୍‌ର ପାହାଚ ଚଢୁଥିଲୁ, ରୋହିତ ଓ ମୋ ଆଖିରେ ଲୁହ ଆସିଯାଇଥିଲା।

Advertisment

ଏହା ଆମ ଦୁଇ ଜଣଙ୍କ ପାଇଁ ସ୍ବତନ୍ତ୍ର ମୁହୂର୍ତ୍ତ ହୋଇରହିବ। ବିଶ୍ବକପ୍‌ ଶେଷ ହେବା ପରେ ରୋହିତ ଓ କୋହଲିଙ୍କ ସହ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହା ଉପରେ ସେ କହିଛନ୍ତି, ରୋହିତ ଓ ମୁଁ ଦଳର ଭାର ନିଜ କାନ୍ଧରେ ବୋହିଥିଲୁ ଓ ୱାଙ୍ଖଡ଼େକୁ ଟ୍ରଫି ଆଣିପାରିବା ଭଳି ଖୁସି ଆଉ କିଛି ହୋଇ ନପାରେ। ତେଣୁ ପରବର୍ତ୍ତୀ ପିଢ଼ିଙ୍କୁ ଏବେ ଦାୟିତ୍ବ ଗ୍ରହଣ କରିବା ସମୟ ଆସିଛି। ଯେତେବେଳେ ୨୦୧୧ରେ ଭାରତ ବିଶ୍ବବିଜେତା ହୋଇଥିଲା, ସେତେବେଳେ ଦଳର ବରିଷ୍ଠ ଖେଳାଳିଙ୍କ ଭାବାବେଗ ସହ ନିଜକୁ ଯୋଡ଼ି ପାରି ନଥିଲେ। ସେମାନେ କାହିଁକି କାନ୍ଦୁଥିଲେ ବୁଝିପାରୁ ନଥିଲି। ମୋ ପାଇଁ ତାହା କେବଳ ବିଶ୍ବକପ୍‌ ଜିତିବା ଏକ ସାଧାରଣ କଥା ଭଳି ଥିଲା। କିନ୍ତୁ ଏବେ ଭିନ୍ନ ଭାବନା ଅନୁଭୂତ ହେଉଛି। କେବଳ ମୁଁ ନୁହେଁ, ରୋହିତଙ୍କ ସହ ମଧ୍ୟ ଏତେ ଦିନଧରି ଖେଳି ଆସୁଛୁ ଓ ପୁଣି ଥରେ ବିଶ୍ବକପ୍‌ ଜିତିବା ପାଇଁ ଚେଷ୍ଟା କରିଆସୁଥିଲୁ। ଏଥିସହ ଭାରତକୁ ବିଶ୍ବକପ୍‌ ଜିତାଇବାରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ମଧ୍ୟ ବଡ଼ ଭୂମିକା ରହିଥିବା କୋହଲି କହିଥିଲେ।

ଫାଇନାଲ୍‌ରେ ବ୍ୟାଟିଂ ଯିବା ଆଗରୁ ଆତ୍ମବିଶ୍ବାସ ହରାଇଥିଲେ ବିରାଟ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ବିରାଟ କୋହଲି ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କିନ୍ତୁ ବିଶ୍ବକପ୍‌ ଆରମ୍ଭରୁ କୌଣସି ମ୍ୟାଚ୍‌ରେ ସେ ଆଶାନୁରୂପକ ପ୍ରଦର୍ଶନ ଦେଇପାରୁ ନଥିଲେ। ଯେଉଁଥିପାଇଁ ତାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂକୁ ଛଡ଼ାଯିବାକୁ ବିଶେଷଜ୍ଞମାନେ ଦାବି କରିଆସୁଥିଲେ। ଏହା ସତ୍ତ୍ବେ ତାଙ୍କୁ ପ୍ରତ୍ୟେକ ମ୍ୟାଚ୍‌ରେ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିବାକୁ ଛାଡୁଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଯିବା ବେଳେ କୋହଲି ନିଜ ଉପରୁ ଆତ୍ମବିଶ୍ବାସ ସଂପୂର୍ଣ୍ଣ ଭାବେ ହରାଇ ଦେଇଥିଲେ। କିନ୍ତୁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡ଼ ହିଁ ତାଙ୍କୁ ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିବା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କୋହଲି ତାଙ୍କୁ କହିଥିଲେ।
କୋହଲିଙ୍କ କହିବାନୁସାରେ, ସେହି ଦିନ ‌ସବୁଦିନ ପାଇଁ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛି। କାରଣ ବିଶ୍ବକପ୍‌ରେ ମୁଁ ଯାହା ଅବଦାନ ଦେବା କଥା ତାହା ଦେଇପାରି ନଥିଲି। ଏପରିକି ମୋ ସହ ଓ ଦଳ ପ୍ରତି ଅନ୍ୟାୟ କରିଥିବା ରାହୁଲ ଦ୍ରାବିଡ଼ଙ୍କ ସହ କଥା ହୋଇଥିଲି। କିନ୍ତୁ ରାହୁଲ ମୋତେ ନିରୁତ୍ସାହିତ ହେବାକୁ ଦେଇ ନଥିଲେ ଓ ସୁଯୋଗ ଆସିଲେ ତୁମେ ଭଲ ଖେଳିପାରିବ ବୋଲି କହିଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ଯେତେବେଳେ ମୁଁ ଓ ରୋହିତ ବ୍ୟାଟିଂ କରିବାକୁ ଯାଉଥିଲୁ, ସେତେବେଳେ ମୋର ଆଦୌ ଆତ୍ମବିଶ୍ବାସ ଆସୁ ନଥିବା ତାଙ୍କୁ କହିଥିଲି। କିନ୍ତୁ ପ୍ରଥମ ଓଭରରେ ତିନୋଟି ଚୌକା ମାରିବା ପରେ କ’ଣ ହେଉଛି ବୋଲି ତାଙ୍କୁ ପଚାରିଥିଲି। ଦିନେ ମୁଁ ଗୋଟିଏ ରନ୍‌ ବାହାର କରିବାକୁ ସଂଘର୍ଷ କରୁଥିଲି ଓ ଏବେ ଗୋଟିଏ ଓଭରରେ ତିନିଟି ଚୌକା ମାରିପାରୁଛି। ଏହା ମୋର ବିଶ୍ବାସ ବାହାରେ ଥିଲା ବୋଲି କୋହଲି କହିଥିଲେ। କିନ୍ତୁ ଆମେ ୩ ୱିକେଟ୍‌ ହରାଇ ସାରିବା ପରେ, ଏବେ ଦଳପ୍ରତି ସଂପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରିଦେବାକୁ ମୁଁ ଧ୍ୟାନ ଦେଇଥିଲି। ଏହି ପରିସ୍ଥିତି ପାଇଁ ମୋତେ ବଛା ଯାଇଥିବା ଅନୁଭବ ହୋଇଥିଲା। ଏଭଳି ଭାବନାକୁ ବର୍ଣ୍ଣନା କରିବା କଷ୍ଟକର ବୋଲି କୋହଲି କହିଥିଲେ।