୫ ବର୍ଷରେ ଭାରତ ଘରେ ଖେଳିବ ୮୧ ମ୍ୟାଚ୍‌

ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଆସିବେ

ରାଜସ୍ଥାନ କ୍ରିକେଟ୍‌ ସଂଘ ଉପରୁ ନିଲମ୍ବନ ଉଠିଲା

ନୂଆଦିଲ୍ଲୀ: ୨୦୧୯ରୁ ୨୦୨୩ର ୫ ବର୍ଷୀୟା ସମୟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଦଳ ଘରୋଇ ପରିବେଶରେ ମୋଟ ୮୧ ମ୍ୟାଚ୍‌ ଖେଳିବ। କ୍ରିକେଟ୍‌ର ତିନିଟି ଯାକ ରୂପ ଯଥା ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦ରେ ମିଳିତ ଭାବେ ଏହି ସଂଖ୍ୟକ ମ୍ୟାଚ୍‌ ଖେଳାଯିବ। ଯାହା ଏବେକାର ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ ବା ଏଫଟିପିଠାରୁ ୩୦ ମ୍ୟାଚ୍‌ ଅଧିକ। ତେବେ ଭାରତୀୟ କ୍ରିକେଟ୍‌ ଦଳ ସଂପ୍ରତି ବର୍ଷକୁ ଯେତିକି ଦିନ କ୍ରିକେଟ୍‌ ଖେଳୁଛି ନୂଆ ଏଫଟିପିରେ ତା’ଠାରୁ କମ୍‌ ସଂଖ୍ୟକ ଦିନରେ ଖେଳିବ ବୋଲି ବିସିସିଆଇ କହିଛି। ସୋମବାର ବସିଥିବା ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକରେ ନୂଆ ଏଫଟିପିକୁ ଅନୁମୋଦନ ମିଳି ଯାଇଥିବା ଜଣା ପଡ଼ିଛି। ସେହିଭଳି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜସ୍ଥାନ କ୍ରିକେଟ୍‌ ସଂଘ ଉପରୁ ସର୍ତମୂଳକ ଭାବେ ନିଲମ୍ବନ ଉଠାଇ ଦିଆ ଯାଇଛି। ଆଇପିଏଲ୍‌ର ପୂର୍ବତନ କମିସନର ଲଳିତ ମୋଦି ସଂଘର ପରିଚାଳନାରେ କୌଣସି ପରିସ୍ଥିତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସର୍ତ ରଖା ଯାଇଛି। ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ବା ନାଡା କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ମାମଲାରେ ବିସିସିଆଇ ତା’ର ଜିଦରେ ଅଟଳ ରହିଛି। ନାଡା ଭାରତୀୟ କ୍ରିକେଟରଙ୍କର ଡୋପ୍‌ ପରୀକ୍ଷଣ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବୈଠକ ପରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆସନ୍ତାବର୍ଷ ଭାରତରେ ଆଫଗାନିସ୍ତାନର ପ୍ରଥମ ଟେଷ୍ଟ

ଆସନ୍ତାବର୍ଷ ଅର୍ଥାତ୍‌ ୨୦୧୯-୨୦ କ୍ରିକେଟ୍‌ ଋତୁରେ ଆଫଗାନିସ୍ତାନ ଭାରତ ଆସି ତା’ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ଆଫଗାନିସ୍ତାନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିବାର ଥିଲା। ହେଲେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଐତିହାସିକ ସଂପର୍କ ଦୃଷ୍ଟିରୁ ଏହି ଟେଷ୍ଟକୁ ଭାରତରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ କ୍ରିକେଟ୍‌ ସଂଘ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍‌ ମାସରେ ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡକୁ ଆଇସିସି ଟେଷ୍ଟ ମାନ୍ୟତା ପ୍ରଦାନ କରିଥିଲା।

ଭାରତର ଦକ୍ଷିଣ ଆଫ୍ରିକା ଅଭ୍ୟାସ ମ୍ୟାଚ୍‌ ବାତିଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳ ଖେଳିବାକୁ ଥିବା ଏକମାତ୍ର ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍‌ ବାତିଲ ହୋଇ ଯାଇଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ସୋମବାର ଏହି ସୂଚନା ଦେଇଛି। ଭାରତୀୟ କ୍ରିକେଟ୍‌ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳିବ ନାହିଁ। ଏହି ସମୟ ମଧ୍ୟରେ ଅଭ୍ୟାସ ଅଧିବେଶନ କରିବ ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଜି ପ୍ରକାଶ କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହା ଯାଇଛି। ତା’ ସହ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ମଧ୍ୟ ଦୁଇ ଦଳ ମଧ୍ୟରେ ଖେଳା ଯିବାକୁ ଥିବା ଟେ୍ଵଣ୍ଟି-୨୦ ମୁକାବିଲାର ଆରମ୍ଭ ସମୟକୁ ବଦଳାଇ ଦେଇଛି। ଏହି ମ୍ୟାଚ୍‌ ଗୁଡ଼ିକ ଅଧଘଣ୍ଟାଏ ପୂର୍ବରୁ ଆରମ୍ଭ ହେବ ବୋଲି ଜଣା ପଡ଼ିଛି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ଏହି ଘୋଷଣା ପରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରି ସିଧାସଳଖ ଜାନୁଆରି ୫ରୁ କେପଟାଉନଠାରେ ପ୍ରଥମ ଟେଷ୍ଟ ଖେଳିବ। ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ଆସନ୍ତାବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରି ୩ ଟେଷ୍ଟ, ୬ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଅନ୍ୟ ପକ୍ଷରେ ଭାରତୀୟ ମହିଳା ଦଳ ଫେବ୍ରୁଆରିରେ ସେଠାକୁ ଯାଇ ୩ ଦିନିକିଆ ଏବଂ ୫ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଏକ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିବ।

ସମ୍ବନ୍ଧିତ ଖବର