ସ୍ୱାଧୀନତା ଦିବସ ଲିଗ୍‌: କଟକ ପୁଣି ବିଜେତା

ଭୁବନେଶ୍ୱର: ବାଙ୍ଗାଲୋରସ୍ଥିତ ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ଆୟୋଜିତ ଏବଂ ରୁଚି ପ୍ରାୟୋଜିତ ସ୍ୱାଧୀନତା ଦିବସ ଲିଗ୍‌ (ଆଇଡିଏଲ୍‌) କ୍ରିକେଟ୍‌ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ କଟକ ବାରବାଟୀ ସୁପର କିଙ୍ଗ୍‌ସ ବିଜେତା ଆଖ୍ୟା ବଜାୟ ରଖିଛି। ଗତବର୍ଷ ପ୍ରଥମ ସଂସ୍କରଣରେ ଜଗତ୍‌ସିଂହପୁରକୁ ପରାସ୍ତ କରିଥିବା କଟକ ଚଳିତ ବର୍ଷ ଭୁବନେଶ୍ୱର ବାଉଁସର୍‌କୁ ୨୮ ରନ୍‌ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟ୍ରଫି କରାୟତ କଲା। ବୁଧବାର ଫାଇନାଲ୍‌ରେ ପ୍ରଥମେ ବ୍ୟାଟିଂ କରି କଟକ ଦଳ ୨୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର ଦଳ ୧୮.୨ ଓଭରରେ ୧୨୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ୩୦ ବଲ୍‌ରୁ ୬୯ ରନ୍‌ କରିଥିବା ବିଜେତା ଦଳର ରୋହିତ ପାଟିଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ ୪ ମ୍ୟାଚ୍‌ରୁ ମୋଟ ୪୭ ରନ୍‌ ଏବଂ ୭ ଓ୍ଵିକେଟ୍‌ ଅକ୍ତିଆର କରିଥିବା ତପେନ୍ଦ୍ର ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଜେତା ଦଳର ଅବିନାଶ ବେହେରା (୪ ମ୍ୟାଚ୍‌ରୁ ୧୭ ଓ୍ଵିକେଟ୍‌) ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଏଥି ସହିତ କଟକ ଦଳ ମଧ୍ୟ ଓଡ଼ିଶା ୟୁଥ୍‌ ଦ୍ୱାରା ଆୟୋଜିତ ଉଭୟ ଓପିଏଲ୍‌ ଓ ଆଇଡିଏଲ୍‌ର ୪ ସଂସ୍କରଣରେ ୪ ଥର ଯାକ ବିଜେତା ହେବାର ଗୌରବ ବହନ କରିଛି। ଅନ୍ୟପକ୍ଷରେ ଟେନିସ୍‌ ବଲ୍‌ରେ ଟ୍ରମ୍ପେଟ୍‌କୁ ୧୦ ରନ୍‌ରେ ପରାସ୍ତ କରି ଏସ୍‌ଏସ୍‌ ଟାଇଗର୍‌ ବିଜେତା ହୋଇଥିଲା। ରୁଚି ଫୁଟ୍‌ ପ୍ରଡକ୍ଟର ନିର୍ଦେଶିକା ରଶ୍ମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ଓଡ଼ିଶା ୟୁଥ୍‌ ସଭାପତି ଭରତ ମହାପାତ୍ର, କ୍ରୀଡ଼ା ମୁଖ୍ୟ ଦେବେନ୍ଦ୍ର ଦେବଦତ୍ତ ଦାସ, କ୍ରୀଡ଼ା ଭାରପ୍ରାପ୍ତ ସୁନୀଲ ନାୟକ, ସଦସ୍ୟ ଆକାଶ ଦାଶ, ସୁନୀଲ ମଲ୍ଲିକ (ଗଣମାଧ୍ୟମ ସଂପାଦକ), ହିମାଂଶୁ ମହାପାତ୍ର, ସୁଶାନ୍ତ ରାଉତ, ସରୋଜ, ନଚିକେତ ବୁଗୁଡ଼ି ଓ ସଂଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଅଭିନେତା କୁନା ତ୍ରିପାଠୀ ମୁଖ୍ୟ ଆକର୍ଷଣ ସାଜିଥିଲେ।

ଏହି ଅବସରରେ ଓଡ଼ିଶୀ ନୃତ୍ୟାଙ୍ଗନା ସରିତା ମିଶ୍ରଙ୍କୁ କଳା ଓ ସଂସ୍କୃତି କ୍ଷେତ୍ରରେ ଗୁରୁ କେଳୁଚରଣ ମହାପାତ୍ର ଆର୍ଟ ଆଣ୍ଡ୍‌ କଲ୍‌ଚର ଏକ୍ସଲେନ୍ସ ପୁରସ୍କାର ମିଳିଥିଲା ବେଳେ ସାମାଜିକ ସେବା ପାଇଁ ହରପ୍ରସାଦ ମହାପାତ୍ରଙ୍କୁ ଉତ୍କଳମଣୀ ଗୋପବନ୍ଧୁ ଦାସ, ସଫଳ ଉଦ୍ୟୋଗପତି ଭାବେ ଶରତ ମହାନ୍ତିଙ୍କୁ ଉତ୍କଳ ଗୌରବ ମଧୁସୁଦନ ଦାସ, ପଦ୍ମଶ୍ରୀ ଡ. କୋଟା ହରିନାରାୟଣଙ୍କୁ ବିଜୁ ପଟ୍ଟନାୟକ ଆଡ୍‌ମିନିଷ୍ଟ୍ରେଟିଭ୍‌ ଏକ୍ସଲେନ୍‌ସ ଏବଂ ଅମରେନ୍ଦ୍ର ସାହୁଙ୍କୁ ସ୍ୱାମୀ ବିବେକାନନ୍ଦ ୟୁଥ୍‌ ଆଚିଭର୍‌ସ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର