ନିର୍ବାଚନ ରଣାଙ୍ଗନରେ ପ୍ରତିଷ୍ଠିତ ଖେଳାଳି ଓ ଖେଳ ପ୍ରଶାସକ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଦେଶର ଜଣାଶୁଣା ୭ ଖେଳାଳି ଏବଂ ୪ ଖେଳ ପ୍ରଶାସକ ବିଭିନ୍ନ ଦଳମାନଙ୍କ ଦ୍ବାରା ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇ ରାଜନୀତି ମଇଦାକୁ ଓହ୍ଲାଇଛନ୍ତି। ରାଜନୀତିରେ କ୍ରୀଡ଼ାବୀତ୍‌ଙ୍କ ପ୍ରବେଶ କିଛି ନୂଆ ନୁହେଁ। କିନ୍ତୁ ଚଳିତ ନିର୍ବାଚନରେ ଦେଶର ଜଣାଶୁଣା ଖେଳାଳିମାନେ ନିର୍ବାଚନ ମୈଦାନରେ ଓହ୍ଲାଇଥିବାରୁ ବାତାବରଣ ଅତି ରୋଚକ ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମଥର ପାଇଁ ଦୁଇଜଣ ଅଲିମ୍ପିଆନ୍ ମୁହଁାମୁହିଁ ହୋଇଛନ୍ତି। ରାଜସ୍ଥାନର ଜୟପୁର (ଗ୍ରାମୀଣ) ଆସନରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ କଂଗ୍ରେସର ବିଧାୟିକା ତଥା ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡିସ୍‌କସ୍‌ ଥ୍ରୋ’ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣା ପୁନିଆଙ୍କ ନିର୍ବାଚନୀ ଲଢ଼େଇ ଉପରେ ସାରା ଦେଶର ନଜର ରହିଛି। କେବଳ ଏତିକି ନୁହେଁ ବିଜେପି ପାଇଁ କ୍ରିକେଟର ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଓ କଂଗ୍ରେସ ଦ୍ବାରା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କୁ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ କରାଯାଇଛି। ଦୁଇଜଣ ପ୍ରଚାର ଅଭିଯାନରେ ନିଜକୁ ସମ୍ପୁର୍ଣ୍ଣ ଭାବେ ଖେଳୁଆଡ଼ ମନୋଭାବ ନେଇ ତତ୍ପରତା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
ଏଥର ନିର୍ବାଚନ ଲଢ଼ୁଥିବା ଅନ୍ୟ ଖେଳାଳିମାନେ ହେଲେ କଂଗ୍ରେସରୁ ପୂର୍ବତନ ବିଶ୍ବକପ୍‌ ବିଜୟୀ କ୍ରିକେଟର କୀର୍ତ୍ତି ଆଜାଦ (ଧାନବାଦ, ବିହାର) ଓ ତୃଣମୂଳ କଂଗ୍ରେସ ଟିକେଟ ହାସଲ କରିଥିବା ପୂର୍ବତନ ଅନ୍ତର୍ଜାତୀୟ ଫୁଟ୍‌ବଲ ତାରକା ପ୍ରସୁନ ବାନାର୍ଜୀ (ହାୱଡ଼ା, ପଶ୍ଚିମବଙ୍ଗ)। ଅନ୍ୟତମ ଫୁଟ୍‌ବଲ ତାରକା କଲ୍ୟାଣ ଚୌବେ (କ୍ରିଷ୍ଣନନ ନଗର, ପଶ୍ଚିମବଙ୍ଗ)ଙ୍କୁ ବିଜେପି ଟିକଟ ଦେଇଛି।
ଚଳିତ ସାଧାରଣ ନିର୍ବାଚନରେ ଗୋଟିଏ ପଟେ କ୍ରୀଡ଼ାବିତ୍ ମାନଙ୍କୁ ବିଭିନ୍ନ ଦଳମାନଙ୍କ ମଧ୍ୟରୁ ଟିକଟ ଦିଆଯାଉଥିବା ବେଳେ ଖେଳ ପ୍ରଶାସକ ମାନେ ଏଥିରୁ ବଞ୍ଚିତ ହୋଇନାହାନ୍ତି। ଭାରତୀୟ କୁସ୍ତି ସଂଘର ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବିହାରର କୈସରଗଞ୍ଜରୁ ବିଜେପି ଟିକେଟ୍ ଦେଇଛି। ଭାରତୀୟ ପାରାଅଲିମ୍ପିକ୍ କମିଟିର ସଭାପତି ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କୁ ବିଜେପି ଗୁରୁଗ୍ରାମରୁ ପ୍ରାର୍ଥୀ କରିଛି। ସେହିଭଳି ଭାରତୀୟ ରାଇଫଲ ସଂଘର ବରିଷ୍ଠ ଉପସଭାପତି ତଥା ସାଂସଦ କଳିକେଶ ନାରାୟଣ ସିଂହଦେଓ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ଭାରତୀୟ ଅଲିମ୍ପିକ୍‌ ସଂଘର ବରିଷ୍ଠ ଉପସଭାପତି ତଥା ସାଂସଦ ଅନୁରାଗ ଠାକୁର୍ ହିମାଚଳ ପ୍ରଦେଶର ହମିରପୁରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି।
ନେତା ଓ ଅଭିନେତାଙ୍କ ସହ କ୍ରିଡ଼ାବୀତ୍ ଓ ଖେଳ ପ୍ରଶାସକ ନିର୍ବାଚନ ରଣଭୂମିରେ ଭାଗ୍ୟ ନିର୍ଦ୍ଧାରଣରେ କେତେମାତ୍ରାରେ ସଫଳ ହେଉଛନ୍ତି ତାହା ଆସନ୍ତା ୨୩ର ମତଦାନ ଗଣନାରୁ ହିଁ ସ୍ପଷ୍ଟ ହୋଇଯିବ।
ଗତ ୨୦୧୪ ସାଧାରଣ ନିର୍ବାଚନରେ ୮ ଜଣ କ୍ରିଡ଼ାବିତ୍‌ଙ୍କୁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନରେ ଟିକଟ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ବନ୍ଧୁକଚାଳକ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ପଞ୍ଜାବର ପୂର୍ବତନ ଲେଗ୍ ସ୍ପିନର ଅଶ୍ବିନୀ ମିଣା, ଫୁଟ୍‌ବଲ ଖେଳାଳି ପ୍ରସୁନ ବାନାର୍ଜୀ ନିର୍ବାଚନ ଜିତି ସଂସଦରେ ପ୍ରବେଶ କରିଥିଲେ। ହେଲେ ଚଳିତ ବର୍ଷ ଅଶ୍ବିନୀ ମିଣାକୁ ବିଜେପି ଆଉ ଟିକଟ ଦେଇନାହିଁ। ୨୦୧୪ରେ କଂଗ୍ରେସ ମହମ୍ମଦ କୈଫ୍, ତୃଣମୂଳ କଂଗ୍ରେସ ବାଇଚୁଙ୍ଗ ଭୁତିଆ, ବିଜୁ ଜନତା ଦଳ ଦିଲ୍ଲୀପ୍ ତିର୍କିଙ୍କୁ ଟିକଟ ଦେଇଥିଲା। କିନ୍ତୁ ତିନି ଜଣଙ୍କୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ଅପରପକ୍ଷେ ପୁରୁଣା ଚେହରାରୁ କୀର୍ତ୍ତି ଆଜାଦ୍‌ଙ୍କୁ ବିଜୟ ମିଳିଥିଲା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ପରାସ୍ତ ହୋଇଥିଲେ। ଗତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଫୁଟ୍‌ବଲ ଖେଳାଳି ଆଇ ଏନ୍ ବିଜିୟନଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଦୁଇଜଣ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ କେବଳ ବିଜେନ୍ଦର ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦ୍ବାରା ପଶ୍ଚିମବଙ୍ଗରେ ଫୁଟ୍‌ବଲ୍ ଗୋଲ୍‌ରକ୍ଷକ କଲ୍ୟାଣ ଚୌବେଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନ ପାଇଁ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ ଏବଂ ପାରାଅଲିମ୍ପିକ୍ ପଦକ ବିଜୟିନୀ ଦୀପା ମଲ୍ଲିକଙ୍କ ନାମ ଉପରେ ମଧ୍ୟ ବିଜେପି ପକ୍ଷରୁ ଟିକଟ ଦେବା ପାଇଁ ଆଲୋଚନା କରାଯାଇଥିଲା। କିନ୍ତୁ ସେମାନଙ୍କୁ ଟିକଟ ଦିଆଯାଇନଥିଲା।

ସମ୍ବନ୍ଧିତ ଖବର