ମୁମ୍ବାଇ: ମଙ୍ଗଳବାର ଗୁରୁ ପୂର୍ଣ୍ଣିମା ଅବସରରେ ମାଷ୍ଟର୍ ବ୍ଳାଷ୍ଟର୍ ସଚିନ ତେନ୍ଦୁଲକର ଏବଂ ତାଙ୍କ ସାଥୀ ବିନୋଦ କାମ୍ବଲି ସେମାନଙ୍କ ପିଲାଦିନର କ୍ରିକେଟ୍ ଗୁରୁ ସ୍ବର୍ଗତ ରମାକାନ୍ତ ଆଚରେକରଙ୍କୁ ମନେ ପକାଇଥିଲେ। ସଚିନ ନିଜ ଟ୍ବିଟ୍ରେ ଲେଖିଛନ୍ତି ‘ଗୁରୁ ହିଁ ଜଣେ ଛାତ୍ର ନିକଟରେ ଥିବା ଅଜ୍ଞତାର ଅନ୍ଧକାରକୁ ଦୂର କରିଥାଏ। ଧନ୍ୟବାଦ ଆଚରେକର୍ ସାର୍, ମୁଁ ଆଜି ଯାହା ବି ହୋଇଛି ଆପଣଙ୍କ ମାର୍ଗଦର୍ଶନ ଲାଗି ସମ୍ଭବ ହୋଇଛି’। ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ ସଚିନ ଏବଂ କାମ୍ବଲିଙ୍କୁ ତାଲିମ ଦେଇଥିବା ଦ୍ରୋଣାଚାର୍ଯ୍ୟ ବିଜେତା ଆଚରେକରଙ୍କର ଚଳିତ ବର୍ଷ ଜାନୁଆରିରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା। ସଚିନ ମୁମ୍ବାଇରେ ଥିଲେ ପ୍ରତିଥର ଗୁରୁ ଦିବସ ଏବଂ ଗୁରୁ ପୂର୍ଣ୍ଣିମାରେ ଆଚରେକରଙ୍କୁ ଭେଟି ଆଶୀର୍ବାଦ ନେଉଥିଲେ। ଏଥର କିନ୍ତୁ ତାଙ୍କୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ପଡ଼ିଛି। ‘ଆଚରେକର ସାରଙ୍କ ଉପସ୍ଥିତିରେ ସ୍ବର୍ଗରେ ବି କ୍ରିକେଟ୍ ସମୃଦ୍ଧ ହୋଇଯିବ। ତାଙ୍କ ଅନ୍ୟ ଶିଷ୍ୟଙ୍କ ଭଳି ମୁଁ ବି ତାଙ୍କ ମାର୍ଗଦର୍ଶନରେ କ୍ରିକେଟ୍ର ଏବିସିଡି ଶିଖିଥିଲି। ମୋ ଜୀବନ ପ୍ରତି ତାଙ୍କ ଅବଦାନକୁ ଶବ୍ଦରେ ଧରି ହେବ ନାହିଁ। ସେ ଗଢ଼ିଥିବା ମୂଳଦୁଆ ଉପରେ ହିଁ ମୁଁ ଆଜି ଛିଡ଼ା ହୋଇଛି’ ବୋଲି ସଚିନ ପ୍ରକାଶ କରିଛନ୍ତି। ଗତମାସରେ ମୁଁ ତାଙ୍କର କେତେକ ଛାତ୍ରଙ୍କୁ ଭେଟି କିଛି ସମୟ ବିତାଇଥିଲି। ପୁରୁଣା ଦିନକୁ ମନେ ପକାଇ ମଜା ବି କରିଥିଲୁ। ଆଚରେକର ସାର ଆମକୁ ସିଧା ଖେଳିବାକୁ ଏବଂ ସାଧାରଣ ଜୀବନ ଜୀଇଁବାକୁ ଶିଖାଇଥିଲେ। ଆପଣଙ୍କ ଜୀବନର ଅଂଶବିଶେଷ ହୋଇପାରିଥିବାରୁ ସଚିନ ପୁଣି ଥରେ ଧନ୍ୟବାଦ ଜଣାଇବା ଅବସରରେ ପ୍ରକାଶ କରିଥିଲେ। ସର୍ବକାଳୀନ ମହାନ ବ୍ୟାଟସମ୍ୟାନ୍ ଭାବେ ସଚିନ ଏବେ ମଧ୍ୟ ଦିନିକିଆ (୧୮,୪୨୬) ଏବଂ ଟେଷ୍ଟ୍ (୧୫,୯୨୧)ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଅଛନ୍ତି। ସଚିନ ଏବଂ କାମ୍ବଲିଙ୍କ ଭଳି ବୀରେନ୍ଦ୍ର ସେହବାଗ, ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଗୁରୁ ପୂର୍ଣ୍ଣିମାରେ ସେମାନଙ୍କ ଗୁରୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ଗୁରୁ ପୂର୍ଣ୍ଣିମାରେ ଆଚରେକରଙ୍କୁ ସ୍ମରଣ କଲେ ସଚିନ
/sambad/media/post_attachments/wp-content/uploads/2019/07/scahin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)