ଭୁବନେଶ୍ବର: ବଲବିନ୍ଦର ସିଂହ ସାନ୍ଧୁ, ସୟଦ ସବା କରିମ, ଭେଙ୍କଟପତି ରାଜୁ, ମାଇକେଲ୍ ବେଭାନ, ୱାସିମ ଜାଫର, ଦୀନେଶ ମୋଙ୍ଗିଆଙ୍କ ଭଳି ରାଜ୍ୟ ବାହାରର ଅନ୍ତର୍ଜାତୀୟ ଖେଳାଳି ଦିନେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ଥିଲେ। ହେଲେ କେହି ବି ଦଳକୁ ରଣଜୀ ଟ୍ରଫି ନକ୍ଆଉଟ୍ ପର୍ଯ୍ୟନ୍ତ ନେଇପାରି ନଥିଲେ। ଏବେ ପୁଣି ଥରେ ପୂର୍ବତନ ଖେଳାଳି ତଥା ଜାତୀୟ ଚୟନକର୍ତ୍ତା ସୁରେନ୍ଦ୍ର ଭାବେଙ୍କୁ ନେଇ ଓସିଏ ଓଡ଼ିଶା କ୍ରିକେଟ୍କୁ ମଜବୁତ୍ କରିବାକୁ ଅଣ୍ଟା ଭିଡିଛି। ସୁରେନ୍ଦ୍ର ମଧ୍ୟ ଖେଳାଳିଙ୍କ ମନୋଭାବ, ଫିଟ୍ନେସ୍ ଓ ଦକ୍ଷତାକୁ ଅଧିକ ମାର୍ଜିତ କରି ଓଡ଼ିଶାକୁ ନକ୍ଆଉଟ୍ରେ ପହଞ୍ଚାଇବାକୁ ଆଶା ରଖିଛନ୍ତି। ନିଯୁକ୍ତି ପରେ ପ୍ରଥମେ ‘ସମ୍ବାଦ’ ସହ କଥା ହେବାବେଳେ ଏଭଳି ଦୂରଦୃଷ୍ଟି ରଖିଥିବା କହିଛନ୍ତି ଏହି ପୂର୍ବତନ ବ୍ୟାଟିଂ ଅଲରାଉଣ୍ଡର୍।
ସୁରେନ୍ଦ୍ର କହିଛନ୍ତି, ଓଡ଼ିଶାର କ୍ରିକେଟ୍ ବ୍ୟବସ୍ଥା ବିଷୟରେ ଭଲ ଭାବେ ଜାଣିନି। ଦିନେ ଦୁଇଦିନ ଭିତରେ କଟକରେ ପହଞ୍ଚି ବ୍ୟବସ୍ଥାକୁ ବୁଝିବାକୁ ଚେଷ୍ଟା କରିବି। ଦଳ ସହିତ ଯୋଗଦେବା ପରେ ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତାକୁ ବିଶ୍ଲେଷଣ କରିବି। ଓଡ଼ିଶାକୁ ତିନିଟି ଫର୍ମାଟ୍ରେ ନକ୍ଆଉଟ୍ ଯିବାକୁ ପଡ଼ିବ। ଉପରସ୍ତରକୁ ଗଲେ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଭଲ ହୋଇଚାଲିବ। ଜଣେ ବ୍ୟାଟର୍ ଭାବେ ମୁଁ ଜାଣିଛି ଗୋଟିଏ ଗୋଟିଏ ସୋପାନ ଦେଇ ବଢ଼ିବାକୁ ହେବ। ଠିକ୍ ଲକ୍ଷ୍ୟରେ ସଂଗଠିତ ଭାବେ ଖେଳିଲେ ଭଲ ଫଳ ନିଶ୍ଚୟ ମିଳିବ। ଓଡ଼ିଶାରେ ଆଗରୁ କେବେ କାମ କରିନି। ଜାତୀୟ ଚୟନକର୍ତ୍ତା (୨୦୦୮-୨୦୧୨) ଥିବା ସମୟରେ ବହୁ ଥର ଓଡ଼ିଶା ଆସି ପ୍ରଥମ ଶ୍ରେଣୀ ମ୍ୟାଚ୍ ଦେଖିଥିଲି। ଏବେ ଓଡ଼ିଶାରେ ଅଧିକ ସମୟ ବିତାଇବି ଓ ଓଡ଼ିଶା କ୍ରିକେଟ୍କୁ ମଧ୍ୟ ଉନ୍ନତି ପଥରେ ନେବା ଲକ୍ଷ୍ୟ ରହିଥିବା ସୁରେନ୍ଦ୍ର କହିଛନ୍ତି।
ଦୁଇଦିନ ପରେ ଓଡ଼ିଶା ଆସିବେ
ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତାକୁ ବିଶ୍ଳେଷଣ କରିବେ
ଭଲ ଖେଳିଲେ ଆଇପିଏଲ୍ରେ ସୁଯୋଗ ମିଳିବ
ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଉପରେ ସେ କହିଛନ୍ତି, ମୁଁ ପ୍ରସ୍ତୁତି ଉପରେ ବିଶ୍ବାସ ରଖେ। ଯଦି ଭଲ ପ୍ରସ୍ତୁତି କରିବି ତାହେଲେ ଭଲ ଫଳ ପାଇବି। ପ୍ରଥମେ ଖେଳାଳିଙ୍କ ମନୋଭାବକୁ ବୁଝିବାକୁ ହେବ। ପ୍ରତ୍ୟେକ ଖେଳାଳି ଓଡ଼ିଶା ଶିବିରର ମୂଲ୍ୟକୁ ବୁଝିବାକୁ ହେବ। ଦଳଗତ ପ୍ରଦର୍ଶନକୁ ପ୍ରଥମେ ପ୍ରାଧାନ୍ୟ ଦେବେ, ତାହେଲେ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ହୋଇପାରିବ। ତେଣୁ ଖେଳାଳିଙ୍କ ମନୋଭାବକୁ ପ୍ରଥମେ ମାର୍ଜିତ କରାଇବି। ଅଧିକ ଭଲ ଖେଳିଲେ ଆଇପିଏଲ୍ ଫ୍ରାଞ୍ଚାଇଜ୍ମାନେ ତାଙ୍କ ପାଖକୁ ଆସିବେ। ସେହି ବିଶ୍ବାସ ଖେଳାଳିଙ୍କ ଭିତରେ ଜମାଇବାକୁ ହେବ। ବହୁଦିବସୀୟ ମ୍ୟାଚ୍ଗୁଡ଼ିକରେ ସଂଗତିପୂର୍ଣ୍ଣ ପ୍ରଦର୍ଶନ ଦେବାକୁ ପଡ଼ିଥାଏ। ପ୍ରଶିକ୍ଷକ ଓ ଅଧିନାୟକ ଚାହାନ୍ତି ଯେ, ତାଙ୍କ ପାଖରେ ୩/୪ ବୋଲର ଦିନର ୯୦ ଓଭର ସାରା ଚାପ ପକାଇପାରୁଥିବେ। ତେଣୁ ଖେଳାଳିଙ୍କ ଫିଟ୍ନେସ୍, ଶାରୀରିକ ଦକ୍ଷତା ଓ ମନୋଭାବକୁ ନେଇ କାମ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ ବ୍ୟକ୍ତିଗତ ଭାବେ ରଣଜୀ ଟ୍ରଫି ଜିତିନପାରିବା କଥା ମନେପକାଇ ସେ ଦୁଃଖ ଅନୁଭବ କରିଛନ୍ତି। କିନ୍ତୁ ଏହାକୁ ଆଧାରକରି ଦକ୍ଷତା ମପାଯାଇପାରିବନି। ୨୦୦୧ରେ ଯେଉଁଦିନ ରଣଜୀ ଟ୍ରଫି ଶେଷ ମ୍ୟାଚ୍ ଖେଳିଥିଲି, କ୍ରିକେଟ୍କୁ ସେହି ପଡ଼ିଆରେ ଛାଡ଼ିଦେଇ ଆସିଥିଲି। ସେହିଭଳି ଭାରତୀୟ ଦଳରୁ ଖେଳିପାରିଲିନି ବୋଲି ଅବସୋସ କରୁନାହିଁ। ଏଭଳି ଭାବିଥିଲେ ଏତେବର୍ଷ ବୋଝକୁ ନେଇ ଆଗକୁ ବଢିପାରି ନଥାନ୍ତି। ଯେଉଁମାନେ ଏପରି ଅନୁଭବ କରିଥାନ୍ତି, ସେମାନେ ତାଙ୍କ ବର୍ତ୍ତମାନକୁ ବିଗାଡ଼ି ଦେଇଥାନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/01c8f392-9ef5-4677-bd7d-7cdd6ca8b590.jpeg)