ନୂଆଦିଲ୍ଲୀ: ଷୋହଳ ବର୍ଷ ତଳେ ସ୍ପିନ୍ କିମ୍ବଦନ୍ତୀ ଅନୀଲ କୁମ୍ବଲେ ଯାହା କରିଥିଲେ ସୋମବାର ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ଉନ୍ମୁକ୍ତ ଚାନ୍ଦ ତାହା କରିଛନ୍ତି। ୨୦୦୨ ମସିହାରେ ମର୍ଭିନ ଢିଲୋଁଙ୍କ ବଲ୍ରେ ଥୋଡ଼ି ଫାଟିଯିବା ପରେ ମଧ୍ୟ କୁମ୍ବଲେ ପଟି ଗୁଡ଼ାଇ ପଡ଼ିଆକୁ ଓହ୍ଲାଇଥିଲେ। ସେହି ଅବସ୍ଥାରେ ସେ ବ୍ରାଏନ ଲାରାଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଦେଇଥିଲେ। ସୋମବାର ବିଜୟ ହଜାରେ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ର ଠିକ୍ ପୂର୍ବରୁ ଅଭ୍ୟାସ ବେଳେ ସାଥୀ ଖେଳାଳିଙ୍କ ବଲ୍ ସିଧା ଯାଇ ଉନ୍ମୁକ୍ତଙ୍କ ମୁହଁରେ ବାଜିଥିଲା। ଏଥିରେ ତାଙ୍କ ଥୋଡ଼ି ଫାଟିବା ସହ ଧାର ଧାର ରକ୍ତ ବୋହିଥିଲା। ଦଳୀୟ ଡାକ୍ତର ପଟି ଭିଡ଼ିଦେବା ପରେ କିନ୍ତୁ ସେ ବ୍ୟାଟିଂ କରିବାକୁ ବାହାରି ପଡ଼ିଥିଲେ। ୧୨୫ ବଲ୍ ପର୍ଯ୍ୟନ୍ତ କ୍ରିଜ୍ରେ ରହି ୧୨ ଚୌକା ଏବଂ ୩ ଛକା ବଳରେ ୧୧୬ ରନ୍ର ପାଳି ଖେଳିଥିଲେ।
ତାଙ୍କ ଶତକ ବଳରେ ହିଁ ଦିଲ୍ଲୀ ୫୦ ଓଭରରେ ୩୦୭/୬ ରନ୍ କରିଥିଲା। ଉତ୍ତର ପ୍ରଦେଶ ମାତ୍ର ୨୫୨ ରନ୍ କରି ୫୫ ରନ୍ରେ ମ୍ୟାଚ୍ ହାରିଥିଲା। ଖରାପ ଫର୍ମ ପାଇଁ ରଣଜୀ ଟ୍ରଫିର ସେମିଫାଇନାଲ୍ ଏବଂ ଫାଇନାଲରୁ ବାଦ୍ ପଡ଼ିଥିଲେ ଉନ୍ମୁକ୍ତ। ସେଥିପାଇଁ ବିଜୟ ହଜାରେ ଟ୍ରଫି ଆରମ୍ଭରୁ ଧମାକା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଥିଲେ। ତାଙ୍କ ସାହାସିକ ବ୍ୟାଟିଂ ପାଇଁ ଏହା ମଧ୍ୟ ସମ୍ଭବ ହୋଇଥିଲା। ୨୦୧୨ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଧିନାୟକ ଥିବା ଉନ୍ମୁକ୍ତ ଆଗାମୀ ପିଢ଼ି ପାଇଁ ଆଦର୍ଶ ପାଲଟି ଯାଇଥିଲେ। ସୋମବାର ଖେଳା ଯାଇଥିବା ଅନ୍ୟ ବିଜୟ ହଜାରେ ଟ୍ରଫି ମ୍ୟାଚ୍ଗୁଡ଼ିକରେ ତାମିଲନାଡୁ, ମୁମ୍ବାଇ ଓ ଆନ୍ଧ୍ର ବିଜୟୀ ହୋଇଥିଲେ।