କୋହ‌ଲିଙ୍କ ଅନୁପସ୍ଥିତିରେ ଭାରତୀୟ ଖେଳାଳି ନିଜ ସ୍ତର ବଢ଼ାନ୍ତି: ଗାଭାସ୍କର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପରେ ବିରାଟ କୋହଲି ପିତୃତ୍ବ ଛୁଟିରେ ଯିବେ। ଶେଷ ୩ ଟେଷ୍ଟ୍ ସେ ଖେଳିବେ ନାହିଁ। ଏହାକୁ ନେଇ ବିତର୍କ ଚାଲିଥିବା ବେଳେ ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର ଭିନ୍ନ କଥା କହିଛନ୍ତି। ଏହାକୁ ନେଇ ଉତ୍କଣ୍ଠା ପ୍ରକାଶ କରିବା ଉଚିତ୍ ନୁହେଁ ବୋଲି ଗାଭାସ୍କର ମତ‌ ଦେଇଛନ୍ତି। ‘ଆପଣମାନେ ଯଦି ବାସ୍ତବରେ ଅତୀତ ଉପରେ ନଜର ପକାଇବେ ବିରାଟ କୋହଲି ନଥିବାବେଳେ ପ୍ରତିଥର ଭାରତ ଜିତିଛି। ଧର୍ମଶାଳାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ହେଉ ଅବା ଅଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍ ହେଉ। ୨୦୧୮ ମସିହାର ନିଦହାସ ଟ୍ରଫି କିମ୍ବା ଏସିଆ କପ୍‌ ହେଉ। କୋହଲି ଅନୁପସ୍ଥିତ ଥିବାବେଳେ ଭାରତୀୟ ଖେଳାଳିମାନେ ନିଜ ସ୍ତର ବଢ଼ାଇବାରେ ଅଭ୍ୟସ୍ତ ଅଛନ୍ତି।

ବିରାଟ କୋହଲିଙ୍କ ଅନୁପସ୍ଥିତି କିନ୍ତୁ ଅଜିଙ୍କ୍ୟ ରାହାଣେଙ୍କୁ ଅଧିକ ସୁରକ୍ଷା ଦେବ ବୋଲି ଗାଭାସ୍କର ମତ ରଖିଛନ୍ତି। ସମାନ ସମୟରେ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ମଧ୍ୟ ଏହା କଷ୍ଟକର ହେବ‌ ବୋଲି ଗାଭାସ୍କର କହିଥିଲେ। ଅଧିନାୟକତ୍ବ କିନ୍ତୁ ରାହାଣେଙ୍କ ପାଇଁ ସହାୟକ ହେବ, ଟେଷ୍ଟ୍ ଅଧିନାୟକ ଭାବେ ‌ସେ ମଧ୍ୟ ଭଲ କରିଛନ୍ତି। ସେହିଭଳି ପୂଜାରାଙ୍କୁ ତାଙ୍କ ନିଜସ୍ବ ଖେଳ ଖେଳିବାକୁ ନିରୋଳାରେ ଛାଡିଦେବା ଉଚିତ୍‌। ସେ ଦୃଢ଼ ଏବଂ ଅନ୍ୟମାନେ ତାଙ୍କ ଚତୁଃପାର୍ଶ୍ବରେ ରନ୍‌ ସଂଗ୍ରହ କରିପାରିବେ। ଦ୍ବୈତ ନେତୃତ୍ବ ଚର୍ଚ୍ଚା ସମ୍ପର୍କରେ ମତ ରଖି ଗାଭାସ୍କର କହିଥ‌ିଲେ ଏହା ଅଷ୍ଟ୍ରେଲିଆ ଗସ୍ତ ପରେ ଆଲୋଚନା କଲେ ଭଲ। ଏବେ ଅଷ୍ଟ୍ରେଲିଆ ଗସ୍ତ ଉପରେ ଏକାଗ୍ର ରହିବାର ବେଳ, କେବଳ ଭାରତୀୟ କ୍ରିକେଟ୍ ନୁହେଁ ବିଶ୍ବ କ୍ରିକେଟ୍ ପାଇଁ ବି ଏହ‌ା ଅତି ଗୁରୁତ୍ବପୂର୍ଣ୍ଣ। ମହାମାରୀ ସମୟରେ ଭାରତ ଏକ ଭିନ୍ନ ଅଷ୍ଟ୍ରେଲିଆ ଦଳକୁ ଭେଟିବାକୁ ଯାଉଛି‌ ବୋଲି ଗାଭାସ୍କର ମଧ୍ୟ ମତ ରଖିଥିଲେ।

ସମ୍ବନ୍ଧିତ ଖବର