ମୁମ୍ବାଇ : ଟି-୨୦ ବିଶ୍ବକପ ସେମି ଫାଇନାଲରେ ଇଂଲଣ୍ଡଠାରୁ ଟିମ ଇଣ୍ଡିଆର ଶୋଚନୀୟ ପରାଜୟ ପରେ କ୍ରିକେଟପ୍ରେମୀମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏ ପରିପ୍ରେକ୍ଷୀରେ କ୍ରିକେଟପ୍ରେମୀମାନଙ୍କୁ ସାନ୍ତ୍ବନା ଦେବାକୁ ଉଦ୍ୟମ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
ଏକ ଟୁଇଟ କରି ସେ ଲେଖିଛନ୍ତି, “ ଗୋଟିଏ ମୁଦ୍ରାର ଯେପରି ଦୁଇଟି ପାର୍ଶ୍ବ ଥାଏ, ଜୀବନର ସେପରି ଦୁଇଟି ପାର୍ଶ୍ବ ଥାଏ । ଆମେ ଯଦି ଟିମର ବିଜୟକୁ ଆମ ବିଜୟ ଭାବି ସେଲିବ୍ରେଟ କରୁ, ତେବେ ଟିମର ପରାଜୟକୁ ବି ଆମକୁ ଗ୍ରହଣ କରିବାକୁ ହେବ । ଜୀବନରେ ହାରଜିତ ଲାଗି ରହିଥାଏ ।“
A coin has two sides, so does life.
If we celebrate our team’s success like our own then we should be able to take our team's losses too…In life, they both go hand in hand.#INDvsENG
— Sachin Tendulkar (@sachin_rt) November 10, 2022
ସଚିନଙ୍କ ଏହି ଟୁଇଟକୁ ନେଇ କ୍ରିକେଟପ୍ରେମୀ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । କେତେକ ଫ୍ୟାନ ଏହାକୁ ସକାରାତ୍ମକ ଭାବେ ନେଇ ସମର୍ଥନ କରିଥିବାବେଳେ ଆଉ କେତେକ ସମାଲୋଚନା କରିଛନ୍ତି । ଜଣେ ଟୁଇଟର ୟୁଜର ଲେଖିଛନ୍ତି, ଯଦି ଫ୍ୟାନମାନେ ଦଳର ବିଜୟରେ ଖେଳାଳମାନଙ୍କୁ ପ୍ରସଂଶା ଓ ସମର୍ଥନ କରୁଛନ୍ତି, ଦଳର ହାରରେ ବି ଖେଳାଳିମାନେ ଫ୍ୟାନଙ୍କ କଠୋର ସମାଲୋଚନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରୁହନ୍ତୁ ।
ସୂଚନାଯୋଗ୍ୟ ଯେ, ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଇଂଲଣ୍ଡର ବିଜୟ ପାଇଁ ଭାରତ ୧୬୯ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡର ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜସ ବଟଲର ହିଁ ଖେଳ ସମାପ୍ତ କରିଦେଇଥିଲେ ।