ଅହମ୍ମଦାବାଦ: ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଗୋଲାପି ବଲ୍ ଟେଷ୍ଟ୍ର ପ୍ରଥମ ଦିନ ଭାରତୀୟ ସ୍ପିନର ପ୍ରତିପକ୍ଷ ଇଂଲଣ୍ଡକୁ ପୁଣି ଥରେ ପୂରା ଘାଇଲା କରି ଦେଇଛନ୍ତି। ୧୩୨,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ମୋଟେରା ଷ୍ଟାଡିୟମ୍ର ନାମ ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ବିବାଦଠାରୁ ଊର୍ଧ୍ବରେ ରହି ଦୀର୍ଘ ୬ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିବା ଏବଂ କୋଭିଡ୍ ସଙ୍କଟ ଜନିତ ମାନସିକ ଚାପ, ଅବସାଦ ଓ ବିପଦ ଭିତରେ ଦର୍ଶକଙ୍କୁ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବାର ଅନୁମତି ପାଇଁ ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ କ୍ରିକେଟ୍ ମାହୋଲ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ଭଳି ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି, ଦେଶର ଦ୍ବିତୀୟ ଦିବା-ରାତ୍ର ଟେଷ୍ଟ୍କୁ ନେଇ ଅସୀମ ଉତ୍କଣ୍ଠା ତଥା ଆହ୍ବାନପୂର୍ଣ୍ଣ ଗୋଲାପି ବଲ୍ରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତୀକ୍ଷିତ ମୁକାବିଲାର ପ୍ରଥମ ଦିନରେ ସ୍ଥାନୀୟ ତାରକା ଅକ୍ଷର ପଟେଲ (୬/୩୮) ଓ ୪୦୦ ୱିକେଟ୍ ପୂରଣର ମାଇଲଖୁଣ୍ଟ ଦ୍ବାରରେ ଥିବା ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ (୩/୨୬) ଏକପ୍ରକାର ଝଡ଼ ସୃଷ୍ଟି କରିଥିଲେ। ଉଭୟଙ୍କ ସ୍ପିନ୍ ଚକ୍ରବ୍ୟୂହରେ ଅଣନିଶ୍ବାସୀ ହୋଇ ଇଂଲଣ୍ଡ ମାତ୍ର ୧୧୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଦିନ ଖେଳର ଦୁଇ ନାୟକ ଅକ୍ଷର ଓ ଅଶ୍ବିନ ନିଜ ନିଜ ଭିତରେ ୯ ୱିକେଟ୍ ବାଣ୍ଟି ନେଇଥିଲେ। ଶତକୀୟ ଟେଷ୍ଟ୍ ଖେଳୁଥିବା ଈଶାନ୍ତ ଶର୍ମା କିନ୍ତୁ ତୃତୀୟ ଓଭରରେ ଇଂଲଣ୍ଡକୁ ଡମ୍ ସିବ୍ଲେଙ୍କ ରୂପରେ ପ୍ରଥମ ଝଟ୍କା ଦେଇଥିଲେ। ନିଜ ଦ୍ବିତୀୟ ପାଞ୍ଚ ୱିକେଟ୍ ସଫଳତା ପାଇଥିବା ଅକ୍ଷର ପ୍ରଥମ ଥର ପାଇଁ ଗୋଲାପି ବଲ୍ ଟେଷ୍ଟ୍ ଖେଳି ଇଂଲଣ୍ଡର ତିନି ଜଣ ଖେଳାଳିଙ୍କୁ ଏକ ଅଙ୍କ ଆଗକୁ ବଢ଼ିବାକୁ ଦେଇନଥିଲେ। ସେ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ଇଂଲଣ୍ଡ ପାଇଁ କେବଳ ପ୍ରାରମ୍ଭିକ ବ୍ୟାଟ୍ର ଜ୍ୟାକ୍ କ୍ରଲି କେତେକ ଦର୍ଶନୀୟ ସଟ୍ ଖେଳି ୫୩ ରନ୍ର ଲଢ଼ୁଆ ପାଳି ଖେଳିଥିଲେ। ଭ୍ରମଣକାରୀ ଦଳ ବି ନିଜ ଟେଷ୍ଟ୍ ଇତିହାସରେ ମାତ୍ର ଷଷ୍ଠ ଥର ପାଇଁ ୫୦ରୁ କମ୍ ଓଭର ଖେଳି ଅଲଆଉଟ୍ ହେବାର ଅଲୋଡ଼ା କୀର୍ତ୍ତି କରିଥିଲା।
ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ବୁଧବାର ନିଜର ୧୦୦ତମ ଟେଷ୍ଟ୍ ଖେଳିଛନ୍ତି। ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ର ପ୍ରଥମ ଦିବସରେ ସେ ନିଜର ଦ୍ବିତୀୟ ଓଭରର ତୃତୀୟ ବଲ୍ରେ ଡୋମିନିକ୍ ସିବ୍ଲେ (୦)ଙ୍କୁ ଆଉଟ୍ କରି ସ୍ମରଣୀୟ ଶତକୀୟ ଟେଷ୍ଟ୍ରେ ପ୍ରଥମ ୱିକେଟ୍ ଦଖଲ କରିଥିଲେ। କିଂବଦନ୍ତି କପିଳ ଦେବଙ୍କ ପରେ ଦ୍ବିତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ ଟେଷ୍ଟ୍ ଖେଳିବାରେ ୩୨ ବର୍ଷ ବୟସ୍କ ଈଶାନ୍ତ ଦ୍ବିତୀୟ ହୋଇଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ କ୍ରିକେଟ୍ କିଂବଦନ୍ତି ସଚିନ୍ ତେନ୍ଦୁଲକର ଏବଂ ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା ପ୍ରଶଂସା କରିଛନ୍ତି।
କ୍ରିକେଟ୍ର ସବୁଠୁ ଆହ୍ବାନଭରା ଫର୍ମାଟ୍ (ଟେଷ୍ଟ୍)ରେ ୧୦୦ ମ୍ୟାଚ୍ ଖେଳିବା ଯେକୌଣସି କ୍ରିକେଟର୍ଙ୍କ ପାଇଁ ବୃହତ୍ ମାଇଲଖୁଣ୍ଟ। ବିଶେଷକରି ଜଣେ ଦ୍ରୁତ ବୋଲରଙ୍କ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି ତେନ୍ଦୁଲକର। ‘‘୧୯ ବର୍ଷରୁ କମ୍ ବୟସ ବେଳେ ତୁମକୁ ଖେଳିବା ଦେଖିଆସିଛି ଏବଂ ତୁମର ପ୍ରଥମ ଟେଷ୍ଟ୍ରେ ଏକାଠି ଖେଳିଥିଲି। ଟିମ୍ ଇଣ୍ଡିଆକୁ ତୁମର ସେବା ପାଇଁ ଗର୍ବିତ’’ ବୋଲି ସଚିନ୍ ଟ୍ବିଟ୍ କରିଛନ୍ତି। ଅନ୍ୟପକ୍ଷରେ ଏହା ତୁମ ପାଇଁ ବଡ଼ ସଫଳତା ବୋଲି ଈଶାନ୍ତଙ୍କୁ କହିଛନ୍ତି ନେହରା। ‘‘କେବଳ କୌଣସି ଭାରତୀୟ ଦ୍ରୁତ ବୋଲର ନୁହଁନ୍ତି, ବରଂ କୌଣସି ବି ଦ୍ରୁତ ବୋଲର ୧୦୦ ଟେଷ୍ଟ୍ ଖେଳିବା ଏକ ବଡ଼ ସଫଳତା। ଈଶାନ୍ତଙ୍କ ସଂପର୍କରେ କହିବାକୁ ଗଲେ ସେ ଟେଷ୍ଟ୍ କ୍ରିକେଟ୍ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ’’ ବୋଲି କହିଛନ୍ତି ନେହରା। ଆଗରୁ ସେ କେବଳ ଓଭର ଦି ଷ୍ଟମ୍ପ୍ ବୋଲିଂ କରୁଥିଲେ। ହେଲେ ଏବେ ସେ ବାମହାତୀ ହେଉ ବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଙ୍କ ବିପକ୍ଷରେ ମଧ୍ୟ ଚକତ୍କାର ବୋଲିଂ କରୁଛନ୍ତି ବୋଲି ନେହରା କହିଛନ୍ତି। ୨୦୦୭ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିବା ଈଶାନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ (ଚେନ୍ନାଇ) ବେଳେ ୩୦୦ ୱିକେଟ୍ ପୂରଣ କରିବାରେ ଷଷ୍ଠ ଭାରତୀୟ ତଥା ତୃତୀୟ ଦ୍ରୁତ ବୋଲର ହୋଇଥିଲେ। ଏକ୍ଷେତ୍ରରେ ସେ କପିଳ ଦେବ ଓ ଅନିଲ କୁମ୍ବଲେଙ୍କ ପଛକୁ ଯୋଡ଼ି ହୋଇଥିଲେ। ସେ ୧୧ ଥର ୫ ୱିକେଟ୍ ଏବଂ ଥରେ ୧୦ ୱିକେଟ୍ ସଫଳତା ହାସଲ କରିଛନ୍ତି।
ରୋହିତଙ୍କୁ ରୋକି ପାରିଲାନି ଗୋଲାପି ବଲ୍
କୁହାଯାଏ ଗୋଲାପି ବଲ୍ ଟେଷ୍ଟ୍ର ପ୍ରତ୍ୟେକ ଦିନର ସଞ୍ଜବେଳର ଖେଳ ଅତି ବିପଜ୍ଜନକ। ସୂର୍ଯ୍ୟ ନଇଁ ଆସୁଥିଲା ବେଳେ ଗୋଲାପି ରଙ୍ଗର ଏସ୍ଜି ବଲ୍ ଆଖିକୁ ଭଲ ଭାବରେ ଦେଖା ଯାଇନଥାଏ। ବ୍ୟାଟ୍ସମ୍ୟାନ୍ଙ୍କ ମନରେ ଭ୍ରମ ସୃଷ୍ଟି କରିଥାଏ। ଭାରତର ଅନଭିଜ୍ଞ ତଥା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ପ୍ରଥମ ଥର ପାଇଁ ଗୋଲାପି ବଲ୍ରେ ଟେଷ୍ଟ୍ କ୍ରିକେଟ୍ ଖେଳୁଥିବାରୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଇଂଲଣ୍ଡ ପେସରଙ୍କ ବଲ୍କୁ ମୁକାବିଲା କରିବାରେ ସେ ଅସହଜ ଅନୁଭବ କରୁଥିବା ଆରମ୍ଭରୁ ସ୍ପଷ୍ଟ ହୋଇଯାଇଥିଲା। ବେନ୍ ଷ୍ଟୋକ୍ସ ଏକ ଭଲ ସୁଯୋଗକୁ ଅଳ୍ପକେ ହାତଛଡ଼ା କରିଥିଲେ ମଧ୍ୟ ରିଭ୍ୟୁରେ ବର୍ତ୍ତି ଯାଇଥିବା ଗିଲ୍ ଏହାର ବିଶେଷ ଫାଇଦା ଉଠାଇ ପାରିନଥିଲେ। ନିଜ ୨୭ତମ ବଲ୍ରେ ଜ୍ୟାକ୍ ଲିଚ୍ଙ୍କୁ ଏକ ସୁନ୍ଦର ଚୌକା ମାରି ଖାତା ଖୋଲି ଥିବା ଗିଲ୍ (୧୧) ୫୧ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରି ଜୋଫ୍ରା ଆର୍ଚରଙ୍କୁ ପୁଲ୍ କଲା ବେଳେ ମିସ୍ ଟାଇମ୍ ପାଇଁ କ୍ରଲିଙ୍କ ହାତରେ ଧରାପଡ଼ିଥିଲେ। ୫ ବଲ୍ ପରେ ଭାରତକୁ ଆଉ ଏକ ବଡ଼ ଝଟ୍କା ଲାଗିଥିଲା। ଅନ୍ୟତମ ସ୍ଥାନୀୟ ହିରୋ ଚେତେଶ୍ବର ପୂଜାରା ଖାତା ଖୋଲିବା ପୂର୍ବରୁ ଜ୍ୟାକ୍ ଲିଚ୍ଙ୍କ ଶିକାର ହୋଇଥିଲେ। ପାଳିର ପ୍ରାରମ୍ଭିକ ପର୍ଯାୟରେ ଥିବାରୁ ପାଦ ଜମାଇ ପାରିନଥିବା ପୂଜାରା ଆଗକୁ ପାଦ ବଢ଼ାଇ ରକ୍ଷଣାତ୍ମକ ଢଙ୍ଗରେ ଖେଳିଲା ବେଳେ ଏଲ୍ବିଡବ୍ଲ୍ୟୁ ହୋଇ ଯାଇଥିଲେ। ଘରୋଇ ପରିବେଶରେ କ୍ବଚିତ ବିଫଳ ହେଉଥିବା ପୂଜାରା ସଂଯୋଗ ବଶତଃ ୨୦୧୨ ମସିହାରେ ମୋଟେରାରେ ଶେଷ ଥର ପାଇଁ ଖେଳା ଯାଇଥିବା ଟେଷ୍ଟ୍ ମ୍ୟାଚ୍ରେ ଦ୍ବିଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଆଉଟ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି (୨୭) ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୫୭*) ତୃତୀୟ ୱିକେଟ୍ରେ ୬୪ ରନ୍ ଯୋଡ଼ିଥିଲେ। ଭାରତ ଦୃଢ଼ ସ୍ଥିତିରେ ଥିଲା ବେଳେ ପ୍ରଥମ ଦିନ ଖେଳ ଶେଷ ହେବାର ମାତ୍ର ଚାରିଟି ବଲ୍ ପୂର୍ବରୁ କୋହଲି ବୋଲ୍ଡ ହେବା ଭାରତ ପାଇଁ ଆଉ ଏକ ଅପ୍ରତ୍ୟାଶିତ ଝଟ୍କା ଥିଲା। ଜ୍ୟାକ୍ ଲିଚ୍ଙ୍କ ଲେନ୍ଥ ବଲ୍ କୋହଲିଙ୍କ ବ୍ୟାଟ୍ ଧାର ଛୁଇଁ ଷ୍ଟମ୍ପ୍ସ ଭିତରକୁ ପଶି ଯାଇଥିଲା। ଫଳରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଥିଲା। ସେ ମାତ୍ର ତିନିଟି ବଲ୍ର ସମ୍ମୁଖୀନ ହୋଇ ୧ ରନ୍ରେ ଅପରାଜିତ ରହିଥିଲେ। ଏହା ପୂର୍ବରୁ ରୋହିତ ୮ ଚୌକା ବଳରେ ନିଜ ଦ୍ବାଦଶ ଅର୍ଧଶତକ ହାସଲ କରି ନେଇଥିଲେ। ଭାରତ ଏବେ କିନ୍ତୁ ଇଂଲଣ୍ଡର ପ୍ରଥମ ପାଳି ସ୍କୋରଠାରୁ ମାତ୍ର ୧୩ ରନ୍ ପଛରେ ରହିଛି। ଦଳ ହାତରେ ଆହୁରି ୭ ୱିକେଟ୍ ବାକି ଅଛି। ସେପଟେ ପ୍ରଥମ ଦିନ ମୋଟ ୧୩ ୱିକେଟ୍ର ପତନ ଘଟିଛି।