ନୂଆ ବର୍ଷରେ ନୂଆ ବିଜେତା: ବିଦର୍ଭକୁ ପ୍ରଥମ ରଣଜୀ ମୁକୁଟ

ଇନ୍ଦୋର: ନୂଆବର୍ଷରେ ଭାରତୀୟ କ୍ରିକେଟ୍‌ ଦୁନିଆରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି। ଦୀର୍ଘ ତିନି ମାସର ଲମ୍ବା ଲଢ଼େଇ ପରେ ବିଦର୍ଭ ନାଟକୀୟ ଢଙ୍ଗରେ ରଣଜୀ ଟ୍ରଫିର ନୂଆ ବିଜେତା ଭାବେ ଉଭା ହୋଇଛି। ସୋମବାର ଶକ୍ତିଶାଳୀ ଦିଲ୍ଲୀକୁ ୯ ଓ୍ଵିକେଟ୍‌ରେ ହରାଇ ବିଦର୍ଭ ଏହି ଅନନ୍ୟ ସଫଳତା ଲାଭ କରିଥିଲା। ସହଜ ବିଜୟ ସହ ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ‘ରଣଜୀ ଟ୍ରଫି’ ଜିତିବାର ଗୌରବମୟ ସଫଳତା ହାସଲ କରି ନେଇଥିଲା। ଫାଇନାଲ୍‌ ପଦାର୍ପଣରେ ହିଁ ବିଦର୍ଭ ଆଜି ବିଜେତା ହେବାର ମଧୁର ସ୍ୱାଦ ଚାଖିଥିଲା। ରଣଜୀ ମୁକୁଟ ପିନ୍ଧି ନିଜ କ୍ରିକେଟ୍‌ ଇତିହାସରେ ସମୃଦ୍ଧମୟ ଫର୍ଦ ଯୋଡ଼ିଥିଲା।

ପ୍ରଥମ ପାଳିରେ ୫୪୭ ରନ୍‌ର ବିଶାଳ ସ୍କୋର କରି ବିଜୟ ସୁନିଶ୍ଚିତ କରି ନେଇଥିବା ଏହି ଦଳ ସୋମବାର ଖେଳ ଶେଷ ହେବାର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ବିଜୟର ଔପଚାରିକତା ପୂରଣ କରିଥିଲା। ପୂର୍ବ ବିଜେତା ତଥା ଗୌତମ ଗମ୍ଭୀର ଏବଂ ଋଷବ ପନ୍ତଙ୍କ ଭଳି ଖେଳାଳି ଥିବା ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୯ ରନ୍‌ର ସ୍ୱଳ୍ପ ବିଜୟ ଲକ୍ଷ୍ୟକୁ ଅଧିନାୟକ ଫୈଜ ଫଜଲଙ୍କ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ତା’ ସହ ରଣଜୀ ଟ୍ରଫିକୁ ମିଳି ଯାଇଥିଲା ନୂଆ ବିଜେତା। ଏହା କରି ବିଦର୍ଭ ରଣଜୀ ଟ୍ରଫି ତୋଳି ଧରିଥିବା ବଛା ବଛା ଘରୋଇ ଦଳ ମଧ୍ୟରେ ସାମିଲ ହୋଇ ଯାଇଥିଲା। ରଣଜୀ ଟ୍ରଫି ଜିତିବାରେ ବିଦର୍ଭ ସପ୍ତଦଶ ଦଳ ହୋଇଥିଲା।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀକୁ କ୍ଷେତ୍ରରକ୍ଷଣ ପାଇଁ ଆମନ୍ତ୍ରଣ କରିଥିଲା ବିଦର୍ଭ। ୨୪ ବର୍ଷୀୟ ଦ୍ରୁତ ବୋଲର ରଜନୀଶ ଗୁରବାଣୀ ଭାରତୀୟ କ୍ରିକେଟ୍‌ ଜଗତର ଦ୍ୱିତୀୟ ବୋଲର ଭାବେ ରଣଜୀ ଫାଇନାଲରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ପରେ ଦିଲ୍ଲୀ ମାତ୍ର ୨୯୫ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା।

ଅନ୍ୟ ପକ୍ଷରେ ଦୁଇଟି ଦ୍ୱିଶତକୀୟ ଭାଗୀଦାରି ବଳରେ ବିଦର୍ଭ ୫୪୭ ରନ୍‌ କରି ୨୫୨ ରନ୍‌ରେ ଆଗୁଆ ହୋଇ ଯାଇଥିଲା। ଶତକ ହାସଲ କରି ଅକ୍ଷୟ ଓ୍ଵାଦକର ଦିଲ୍ଲୀ ବୋଲରଙ୍କୁ ନିରାଶ କରିଥିଲେ। ଦିଲ୍ଲୀ ପାଇଁ ଦ୍ୱିତୀୟ ପାଳିରେ ପ୍ରତ୍ୟାବର୍ତନ କରିବାର ସୁଯୋଗ ଥିଲେ ମଧ୍ୟ ସ୍ପିନର ଅକ୍ଷୟ ଓ୍ଵାଖରେ (୨୮-୨-୯୫-୪) ଏବଂ ଗୁରବାଣୀ (୧୮-୨-୯୨-୨) ଏହା କରାଇ ଦେଇ ନଥିଲେ। ତାଙ୍କ ପାଇଁ ଦିଲ୍ଲୀ ଦ୍ୱିତୀୟ ପାଳିରେ ମାତ୍ର ୨୮୦ ରନ୍‌ କରି ପାରିଥିଲା। ଫଳରେ ବିଦର୍ଭ ସମ୍ମୁଖରେ ମାତ୍ର ୨୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ୍ଵାସିମ ଜାଫର ଚୌକା ମାରି ବିଦର୍ଭକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଦ୍ରୁତ ବୋଲର ରଜନୀଶ (୮/୧୫୧) ଗୁରବାଣୀ ପ୍ରଥମ ଥର ରଣଜୀ ଖେଳି ବିଜେତା ଦଳରେ ରହିବାର କୀର୍ତ୍ତିମାନ ଲାଭ କରିଥିଲେ। ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଘରୋଇ କ୍ରିକେଟ୍‌ର ସଚିନ ତେନ୍ଦୁଲକର ଭାବେ ପରିଚିତ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ୍ଵାସିମ ଜାଫର ନବମ ଥର ପାଇଁ ରଣଜୀ ବିଜେତା ଦଳରେ ସାମିଲ ଥିଲେ। ମୁମ୍ବାଇ ରଣଜୀ ଦଳର ପୂର୍ବତନ ଅଧିନାୟକ ଜାଫର ଭିନ୍ନ ଭିନ୍ନ ଦଳ ପକ୍ଷରୁ ନବମ ଥର ଫାଇନାଲ୍‌ ଖେଳି ଶତ ପ୍ରତିଶତ ସଫଳତା ସହ ନବମ ଥର ବିଜେତା ଦଳରେ ରହିଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ ପ୍ରଥମ ପାଳି: ୨୯୫ (ଧୃବ ସୋରେ-୧୪୫, ରଜନୀଶ ଗୁରବାଣୀ-୬/୫୯)। ବିଦର୍ଭ ପ୍ରଥମ ପାଳି: ୫୪୭ (ଅକ୍ଷୟ ଓ୍ଵାଡକର୍‌-୧୩୩, ଓ୍ଵାସିମ୍‌ ଜାଫର୍‌-୭୮, ଆଦିତ୍ୟ ସରଓ୍ଵାତେ-୭୯, , ସିଦ୍ଧେଶ ନେରାଲ୍‌-୭୪, ନବଦୀପ ସଇନି-୫/୧୩୫, ଆକାଶ ସୁଦାନ-୨/୧୦୨, କୁଲଓ୍ଵନ୍ତ ଖେଜ୍ରୋଲିଆ-୨/୧୩୨)। ଦିଲ୍ଲୀ ଦ୍ୱିତୀୟ ପାଳି: ୨୮୦ (ଧୃବ ସୋରେ-୬୨, ନୀତିଶ ରାଣା-୬୪, ବିକାଶ ମିଶ୍ର-୩୪, ଅକ୍ଷୟ ଓ୍ଵାଖରେ-୪/୯୫, ରଜନୀଶ ଗୁରବାଣୀ-୨/୯୨)। ବିଦର୍ଭ ଦ୍ୱିତୀୟ ପାଳି: ୫ ଓଭରରେ ୩୨/୧ (ଓ୍ଵାସିମ ଜାଫର-୧୯*, ଧୃବ ସୋରେ-୯*)।

ସମ୍ବନ୍ଧିତ ଖବର