ପ୍ୟାରିସ୍‌ରେ ମେସିଙ୍କ ହୋଟେଲ ଖର୍ଚ୍ଚ ରାତିକୁ ୧୭.୫ ଲକ୍ଷ

ପ୍ୟାରିସ୍‌: ତାରକା ଫୁଟ୍‌ବଲର୍‌ ଲିଓନେଲ୍‌ ମେସି ନିକଟରେ ତାଙ୍କ ପୁରୁଣା କ୍ଲବ୍‌ ବାର୍ସିଲୋନା ଛାଡ଼ି ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ (ପିଏସ୍‌ଜି)ରେ ଯୋଗଦେଇଛନ୍ତି। ଏଥିପାଇଁ ପିଏସ୍‌ଜି ସହ ୨ ବର୍ଷିଆ ଚୁକ୍ତି ସ୍ବାକ୍ଷର କରିବା ପରେ ମେସି ପ୍ୟାରିସ୍‌ରେ ରହି ନୂଆ କ୍ଲବ୍‌ ସାଥୀମାନଙ୍କ ସହ ଅଭ୍ୟାସ ମଧ୍ୟ ଆରମ୍ଭ କରିସାରିଛନ୍ତି। ତେବେ ମେସିଙ୍କୁ ନେବାରେ କ୍ଲବ୍‌ଗୁଡ଼ିକ କେତେ ଅର୍ଥ ବ୍ୟୟ କରନ୍ତି ଏବଂ ମେସି କେତେ ମୂଲ୍ୟବାନ ଖେଳାଳି ତାହା ଏବେ ତାଙ୍କ ପ୍ୟାରିସ୍‌ ରହଣୀ ବେଳେ ପ୍ରମାଣିତ ହୋଇଯାଇଛି। ପ୍ୟାରିସ୍‌ରେ ରହଣୀ ବେଳେ ଏବେ ମେସିଙ୍କ ପାଇଁ ଗୋଟିଏ ରାତି ହୋଟେଲ ଖର୍ଚ୍ଚ ସାଢ଼େ ୧୭ ଲକ୍ଷ ବ୍ୟୟ କରାଯାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମେସି ରହୁଥିବା ଏକ ପଞ୍ଚତାରକା ହୋଟେଲରେ ସନ୍ତରଣ ପୁଲ୍‌, ସିନେମା ହଲ୍‌ ସହିତ ଏକାଧିକ ରେ‌ଷ୍ଟୁରାଣ୍ଟ ରହିଛି।

ହୋଟେଲର ବାହ୍ୟ ଓ ଅନ୍ତ ପରିପାଟୀ ମଧ୍ୟ ଅତ୍ୟନ୍ତ ରମଣୀୟ ରହିଛି। ମେସିଙ୍କ ସହ ତାଙ୍କ ପତ୍ନୀ ଆଣ୍ଟୋନେଲା ଓ ତିନି ସନ୍ତାନ ପ୍ୟାରିସ୍‌ରେ ଲି ରୟାଲ ମନେକ୍ୟୁ ହୋଟେଲରେ ଅବସ୍ଥାନ କରୁଛନ୍ତି। ମେସି ମଧ୍ୟ ତାଙ୍କ ପ୍ୟାରିସ୍‌ ରହଣୀକୁ ଢେର ଉପଭୋଗ କରୁଥିବା କହିଛନ୍ତି। ମେସି ପିଏସ୍‌ଜି କ୍ଲବ୍‌ ସହ ଚୁକ୍ତି କରିବା ପରେ ବାର୍ଷିକ ୩୫ ମିଲି୍ରନ୍‌ ପାଉଣ୍ଡ (୩୬୦ କୋଟି) ଆୟ କରିବେ। ତାଙ୍କ ଦରମା ବ୍ୟତୀତ ଏହି ୬ ଥର ବାଲନ୍‌ ଡି’ ଓର୍‌ ବିଜେତା ମଧ୍ୟ ତାଙ୍କ ଭାବମୂର୍ତ୍ତି ଅଧିକାର ପାଇଁ ଅଧିକ ଅର୍ଥ ପାଇବେ। ପୁଣି ତାଙ୍କ ଜର୍ସି ବିକ୍ରି ବାବଦ ଅର୍ଥ ତାଙ୍କ ରୋଜଗାରରେ ସାମିଲ ରହିବ। ସବୁଠୁ ଖୁସୀର କଥା‌ ହେଲା ମେସିଙ୍କ ୩୦ ନଂ ଜର୍ସି ପିଏସ୍‌ଜି ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହେବାର ମାତ୍ର ଅଧଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା। ସୂଚନାଯୋଗ୍ୟ, ପିଏସ୍‌ଜିରେ ଯୋଗଦେବା ପରେ ଅନ୍ୟତମ ତାରକା ଫୁଟ୍‌ବଲର୍‌ ନେମାର ମଧ୍ୟ ଏହି ହୋଟେଲରେ ରହୁଥିଲେ। ଅବଶ୍ୟ ୨୦୧୭ରେ ନେମାର ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ର ସ୍ଥାୟୀ ବାସିନ୍ଦା ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର