ଭୁବନେଶ୍ବର: ଚଳିତ ଋତୁରେ ପ୍ରଥମ ବାହାର ବିଜୟ ସନ୍ଧାନରେ ଥିବା ରାଜ୍ୟର ପ୍ରତିଷ୍ଠିତ ପେସାଦାର ଫୁଟ୍‌ବଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ରବିବାର ଆସାମର ଗୁଆହାଟୀଠାରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍ ଏଫ୍‌ସିକୁ ଭେଟିବ। ଏହି ମ୍ୟାଚ୍ ରବିବାର ସଂଧ୍ୟା ୫ଟାରେ ଖେଳାଯିବ। ଯାହା ସ୍ପୋର୍ଟସ ୧୮ ଓ ଜିଓ ସିନେମାରେ ପ୍ରସାରିତ ହେବ। 

Advertisment

ଓଡ଼ିଶା ଏଫ୍‌ସି ଗତ ଦୁଇ ମ୍ୟାଚ୍‌ରୁ  ଘରୋଇ ପରିବେଶ (କଳିଙ୍ଗ ଷ୍ଟାଡିୟମ୍)ରେ ଇଷ୍ଟ ବେଙ୍ଗଲ୍ ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରିବା ପରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ରୋମାଞ୍ଚକ ଡ୍ର’ ପାଇଥିଲା। ମୁମ୍ବାଇ ସିଟି ବିପକ୍ଷ ମୁକାବିଲାର ୮୦ତମ ମିନିଟ୍‌ରେ ଅହମଦ ଜହୁ ଲାଲ୍ କାର୍ଡ ପାଇବା ପରେ ଶେଷ ୧୦ ମିନିଟ୍ ୧୦ଜଣରେ ଖେଳିବା ଦଳକୁ ଅଡ଼ୁଆରେ ପକାଇଥିଲା। ତେବେ ଗୋଲ୍‌ରକ୍ଷକ ଅମରିନ୍ଦର ସିଂହଙ୍କ ଚମତ୍କାର ସେଭ୍ ବଳରେ ଦଳ ମୁମ୍ବାଇ ସିଟି ଏଫ୍‌ସିଠାରୁ ପଏଣ୍ଟ୍‌ ଛଡ଼ାଇ ଆଣିଥିଲା। ଚଳିତ ଋତୁରେ ୬ଟି ମ୍ୟାଚ୍ ଖେଳି ସାରିଥିବା ଓଡ଼ିଶା ଏଫ୍‌ସି ଦୁଇଟି ଲେଖାଏଁ ବିଜୟ, ପରାଜୟ ଓ ଡ୍ର’ ଅର୍ଜନ କରିଛି। ପୁଣି ଦୁଇଟି ଯାକ ବିଜୟ ଘରୋଇ ପରିବେଶରେ ହାସଲ କରିଛି। ଏଣୁ ରବିବାର ବାହାରେ ପ୍ରଥମ ବିଜୟ ପାଇବାକୁ ଲକ୍ଷ୍ୟ ରଖିଛି। ଏହା ସେତେଟା ସହଜ ହେଲା ଭଳି ମନେ ହେଉନି। କାରଣ ରବିବାରର ମ୍ୟାଚ୍‌ରେ ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେର ଏବଂ ରକ୍ଷଣଭାଗ ଖେଳାଳି ଅହମଦ ଜହୁଙ୍କ ସେବାରୁ ବଞ୍ଚିତ ହେବ।

ଉଭୟ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷ ଲାଲ୍ କାର୍ଡ ପାଇଁ ଏହି ମ୍ୟାଚ୍‌ରୁ ନିଲମ୍ବିତ ହୋଇଛନ୍ତି। ଏଣୁ ସହକାରୀ ପ୍ରଶିକ୍ଷକ ଆନ୍ଥୋନି ଫର୍ଣ୍ଣାଣ୍ଡିସ୍ ନର୍ଥଇଷ୍ଟ ୟୁନାଇଟେଡ୍ ବିପକ୍ଷରେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ବରିଷ୍ଠ ଖେଳାଳି ହୁଗୋ ଫେରିବା କିନ୍ତୁ ଦଳ ପାଇଁ ମନୋବଳବୃଦ୍ଧିକାରୀ ଖବର ହୋଇପାରେ। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀ‌ରେ ଫର୍ଣ୍ଣାଣ୍ଡୋ ପ୍ରତିପକ୍ଷ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏକ ଶକ୍ତିଶାଳୀ ଦଳ ବୋଲି ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନର୍ଥଇଷ୍ଟ ୟୁନାଇଟେଡ୍ ଏକ ଭଲ ଦଳ। ତେବେ ସେମାନଙ୍କ ପାଇଁ ଆମେ ସମନ୍ବିତ ରଣନୀତି ପ୍ରସ୍ତୁତ କରିଛୁ। ଏହାର ସଫଳ ରୂପାୟନ କରିପାରିଲେ ଚଳିତ ଋତୁର ପ୍ରଥମ ବାହାର ବିଜୟର ମିଠାମିଠା ସ୍ବାଦ ପାଇବୁ। ସୂଚନାଯୋଗ୍ୟ ଯେ ନର୍ଥଇଷ୍ଟ ୟୁନାଇଟେଡ୍ ଜାମସେଦପୁର ଏଫ୍‌ସିକୁ ୫-୦ରେ ପରାସ୍ତ କରିବା ପରେ ଏହି ଦଳର ଆତ୍ମବିଶ୍ବାସ ଆକାଶ ଛୁଇଁଛି। ଅଧିନାୟକ ଆଝାରି ଲିଗ୍‌ରେ ସର୍ବାଧିକ ଗୋଲ୍ ଦେଇଛନ୍ତି। ପଏଣ୍ଟ୍‌ ତାଲିକାରେ ଏହି ଦଳ ପଞ୍ଚମ ସ୍ଥାନରେ ଥିଲାବେଳେ ଓଡ଼ିଶା ଏଫ୍‌ସି ସପ୍ତମରେ ରହିଛି। ଏଣୁ ରବିବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ବୋଲି ଉଭୟ ଦଳର ସମର୍ଥକ ଆଶା ରଖିଛନ୍ତି।