କେପ୍‌ ଟାଉନ୍‌: ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ଦୁଇ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ଆସନ୍ତା ୫ ତାରିଖରୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନୂଆ ଇତିହାସ ରଚିବାର ଲକ୍ଷ୍ୟ ରଖିଛି। ନୂଆ ବର୍ଷ ୨୦୧୮ ଆରମ୍ଭରୁ ଏହି ଶୃଙ୍ଖଳା କୋହଲି ଓ ଭାରତୀୟ ଦଳ ପାଇଁ ବଡ଼ ଆହ୍ଵାନ ପାଲଟିଛି। ପ୍ରଥମ ଥର ପାଇଁ ୧୯୯୨-୯୩ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ଦଳ ଇତି ମଧ୍ୟରେ ୨୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଫ୍ରିକାରେ ଗୋଟିଏ ହେଲେ ଟେଷ୍ଟ ଶୃଙ୍ଖଳା ଜିତିପାରିନାର୍ହି। ଏହା ହିଁ ଭାରତ ପାଇଁ ଦୁଃସ୍ୱପ୍ନ ରହିଆସିଛି। ହେଲେ ଏଥର ନୂଆ ବର୍ଷରୁ ପୁରୁଣା ଦୁଃସ୍ୱପ୍ନକୁ ସାକାର କରି ଦେଶବାସୀଙ୍କୁ କିଛି ଖୁସୀ ଖବର ଦେବା ପାଇଁ କୋହଲି ବାହିନୀ ସଂକଳ୍ପ ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ପିଚ୍‌ରେ ଘରୋଇ ଦଳର ମାରାତ୍ମକ ବୋଲରଙ୍କୁ ସାମ୍‌ନା କରିବାରେ ଆଜିପର୍ଯ୍ୟନ୍ତ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ସଂଘର୍ଷ କରିଚାଲିଥିଲା ବେଳେ ଏଥର ସେହି ପରମ୍ପରାକୁ ଭାଙ୍ଗିଦେବା ପାଇଁ କୋହଲି ଓ ତାଙ୍କ ଦଳ ମାନସିକ ଭାବେ ପ୍ରସ୍ତୁତ ରହିଛନ୍ତି। ଅତୀତ ପରିସଂଖ୍ୟାନରୁ ଯାହା ଜଣାପଡ଼େ, ଦକ୍ଷିଣ ଆଫ୍ରିକାରେ ଭାରତ ଏହି ୨୫ ବର୍ଷ ମଧ୍ୟରେ ମୋଟ ୧୭ ଟେଷ୍ଟ ଖେଳିଥିଲା ବେଳେ ମାତ୍ର ୨ଟିରେ ବିଜୟୀ ହୋଇଛି। ୮ ଟେଷ୍ଟ ଅମୀମାଂସିତ ରଖିଥିଲା ବେଳେ ଅବଶିଷ୍ଟ ୭ ଟେଷ୍ଟ ହାରିଛି। ତେବେ ଖେଳିଥିବା ମୋଟ ୬ ଶୃଙ୍ଖଳାରୁ ଭାରତ ୫ ହାରିଥିଲା ବେଳେ ମାତ୍ର ଗୋଟିଏ ଶୃଙ୍ଖଳା ଅମୀମାଂସିତ ରଖିପାରିଥିଲା। ୨୦୧୦-୧୧ରେ ମହେନ୍ଦ୍ର ସିଂହ ଧୋନି ହିଁ ତାଙ୍କ ନେତୃତ୍ୱରେ ଏହି ପରାଜୟ ଧାରା ଭାଙ୍ଗିବାର ନିକଟତର ହୋଇଥିଲେ। ତେବେ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଶୃଙ୍ଖଳା ଅମୀମାଂସିତ ରଖି ଭାରତକୁ ଆଉ ଏକ ଶୃଙ୍ଖଳା ପରାଜୟରୁ ରକ୍ଷା କରିଥିଲେ। ହେଲେ ଶେଷ ଥର ପାଇଁ ୨୦୧୩-୧୪ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୦-୧ରେ ହାରିଯାଇଥିଲା।
ବ୍ୟାଟିଂରେ ସଚିନ୍‌, ବୋଲିଂରେ କୁମ୍ବଲେ ଶ୍ରେଷ୍ଠ
ଆଫ୍ରିକୀୟ ରାଷ୍ଟ୍ରରେ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ସଫଳତା ଆଖିଦୃଶିଆ ନଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ସଫଳତାକୁ ଭୂଲି ହେବନାର୍ହି। ପରସ୍ପର ମୁକାବିଲାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ବ୍ୟାଟିଂରେ ଏବଂ ସ୍ପିନର ଅନିଲ କୁମ୍ବଲେ ବୋଲିଂରେ ଉଭୟ ଦଳ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ସଚିନ୍‌ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର କୀର୍ତିମାନ ପାଇଛନ୍ତି। ସଚିନ୍‌ ୨୫ ଟେଷ୍ଟ ଖେଳି ୭ ଶତକ ସହ ମୋଟ ୧୭୪୧ ରନ୍‌ କରିଛନ୍ତି। ବ୍ୟାଟିଂରେ ସଚିନ୍‌ଙ୍କ କୀର୍ତିମାନ ପରେ ବୋଲିଂରେ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ ସର୍ବାଧିକ ଓ୍ଵିକେଟ୍‌ ଅକ୍ତିଆରର ସଫଳତା ନିଜ ନାମରେ ରଖିଛନ୍ତି। ୨୧ ଟେଷ୍ଟରୁ ୮୪ ଓ୍ଵିକେଟ୍‌ କୁମ୍ବଲେଙ୍କ ସର୍ବାଧିକ କୀତିମାନ। ବ୍ୟାଟିଂରେ ସଚିନ୍‌ଙ୍କ ପଛକୁ ଜାକ୍ସ କାଲିସ୍‌ (୧୮ ଟେଷ୍ଟ, ୧୭୩୪ ରନ୍‌) ରହିଥିଲା ବେଳେ ବୋଲିଂରେ କୁମ୍ବଲେଙ୍କ ପଛକୁ ଅନ୍ୟତମ ଭାରତୀୟ ଜଭଗଲ୍‌ ଶ୍ରୀନାଥ (୧୩ ଟେଷ୍ଟ, ୬୪ ଓ୍ଵିକେଟ୍‌) ଏବଂ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ (୧୩ ଟେଷ୍ଟ, ୬୩ ଓ୍ଵିକେଟ୍‌) ରହିଛନ୍ତି।
ଭାରତ ୧୦, ଦକ୍ଷିଣ ଆଫ୍ରିକା ୧୩
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପର ମଧ୍ୟରେ ମୋଟ ୩୩ ଟେଷ୍ଟ ଖେଳି ସାରିଛନ୍ତି। ସେଥିରୁ ଭାରତ ୧୦ ଓ ଦକ୍ଷିଣ ଆଫ୍ରିକା ୧୩ ଟେଷ୍ଟ ଜିତିଥିଲା ବେଳେ ୧୦ ଅମୀମାଂସିତ ରହିଛି। ଦକ୍ଷିଣ ଆଫ୍ରିକାରେ ୧୭ ଟେଷ୍ଟରୁ ଭାରତ ୨ ଓ ଦକ୍ଷିଣ ଆଫ୍ରିକା ୮ ଜିତିଥିଲା ବେଳେ ୭ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ ଭାରତରେ ୧୬ ଟେଷ୍ଟରୁ ଭାରତ ୮ ଓ ଦକ୍ଷିଣ ଆଫ୍ରିକା ୫ ଜିତିଥିଲା ବେଳେ ୩ ଅମୀମାଂସିତ ରହିଛି। ଉଭୟ ଦଳ ପରସ୍ପର ମଧ୍ୟରେ ମୋଟ ୧୨ ଶୃଙ୍ଖଳା ଖେଳିଥିଲା ବେଳେ ଭାରତ ୩ ଓ ଦକ୍ଷିଣ ଆଫ୍ରିକା ୬ ଜିତିଛି।

Advertisment

୩ ଟେଷ୍ଟ ଶୃଙ୍ଖଳା ଅମୀମାଂସିତ ରହିଛି। ସେମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ୬ ଶୃଙ୍ଖଳାରୁ ଭାରତ ଆଦୌ ଜିତିନଥିଲା ବେଳେ ଦକ୍ଷିଣ ଆଫ୍ରିକା ୫ ଜିତିଛି ଓ ଗୋଟିଏ ଅମୀମାଂସିତ ରହିଛି। ଭାରତରେ ମଧ୍ୟ ସମାନ ୬ ଶୃଙ୍ଖଳାରୁ ଭାରତ ୩ ଓ ଦକ୍ଷିଣ ଆଫ୍ରିକା ୧ ଜିତିଥିଲା ବେଳେ ୩ ଅମୀମାଂସିତ ରହିଛି।
ଦକ୍ଷିଣ ଆଫ୍ରିକାରେ ରାହୁଲ୍‌ ଦ୍ରାବିଡ୍‌ (୨୦୦୬-୦୭) ଗ୍ରେମ୍‌ ସ୍ମିଥ୍‌ଙ୍କ ଘରୋଇ ଦଳ ବିପକ୍ଷରେ ୩ ଟେଷ୍ଟରୁ ଗୋଟିଏ ଜିତିଥିଲା ବେଳେ ମହେନ୍ଦ୍ର ସିଂହ ଧୋନି (୨୦୧୦-୧୧) ସେହି ସ୍ମିଥ୍‌ଙ୍କ ଦଳ ବିପକ୍ଷରେ ଗୋଟିଏ ବିଜୟ ପାଇଥିଲେ। ମହମ୍ମଦ ଆଝାରୁଦ୍ଦିନ୍‌ (୧୯୯୨-୯୩), ସଚିନ୍‌ ତେନ୍ଦୁଲକର (୧୯୯୬-୯୭), ସୌରଭ ଗାଙ୍ଗୁଲି (୨୦୦୧-୦୨) ମିଳିତ ଭାବେ ୯ ଟେଷ୍ଟର ନେତୃତ୍ୱ ନେଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ବିଜୟ ପାଇଁ ସଂଘର୍ଷ କରିଥିଲେ। ତେବେ ଘରୋଇ ମାଟିରେ ଭାରତ ୮ ବିଜୟ ପାଇଥିଲା। ସେଥିରୁ ସଚିନ୍‌ ତେନ୍ଦୁଲକର (୧୯୯୬-୯୭) ହାନ୍‌ସି କ୍ରୋନିଙ୍କ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ୩ରୁ ୨, ସୌରଭ ଗାଙ୍ଗୁଲି (୨୦୦୪-୦୫) ଗ୍ରେମ୍‌ ସ୍ମିଥ୍‌ଙ୍କ ଦଳ ବିପକ୍ଷରେ ୨ରୁ ୧, ଅନିଲ କୁମ୍ବଲେ (୨୦୦୭-୦୮) ସ୍ମିଥ୍‌ଙ୍କ ଦଳ ବିପକ୍ଷରେ ୩ରୁ ୧, ଧୋନି (୨୦୦୯-୧୦) ସ୍ମିଥ୍‌ଙ୍କ ଦଳ ବିପକ୍ଷରେ ୨ରୁ ୧ ଏବଂ ବିରାଟ କୋହଲି (୧୦୧୫-୧୬) ହାସିମ୍‌ ଆମ୍‌ଲାଙ୍କ ଦଳ ବିପକ୍ଷରେ ୪ରୁ ୩ ବିଜୟ ପାଇଥିଲେ।
ଜୋହାନେସ୍‌ବର୍ଗରେ ଭାରତ ହାରିନି
ଦକ୍ଷିଣ ଆଫ୍ରିକାର ୬ ପ୍ରମୁଖ ପଡ଼ିଆରେ ଭାରତ ମୋଟ ୧୭ ଟେଷ୍ଟ ଖେଳିଥିଲା ବେଳେ ସେମଧ୍ୟରୁ ଜୋହନେସ୍‌ବର୍ଗରେ ଆଦୌ ହାରିନି। ଏହି ପଡ଼ିଆରେ ଭାରତ ୪ ଟେଷ୍ଟ ଖେଳିଥିଲା ବେଳେ ଗୋଟିଏ ଜିତିଛି ଏବଂ ଅବଶିଷ୍ଟ ୩ ଅମୀମାଂସିତ ରଖିଛି। ଏହା ପଛକୁ ଡର୍ବାନ୍‌ ୫ ଟେଷ୍ଟରୁ ଗୋଟିଏ ବିଜୟ ଓ ଗୋଟିଏ ଅମୀମାଂସିତ ରଖିଥିଲା ବେଳେ ୩ ହାରିଛି। ତେବେ କେପ୍‌ଟାଉନ୍‌, ପୋର୍ଟ ଏଲିଜାବେଥ୍‌, ବ୍ଲୋଏମ୍‌ଫୋଣ୍ଟିନ୍‌ ଏବଂ ସେଞ୍ଜୁରିଅନ୍‌ରେ ଭାରତକୁ ଗୋଟିଏ ହେଲେ ବିଜୟ ମିଳିନି। କେପ୍‌ଟାଉନ୍‌ରେ ୪ରୁ ୨ ପରାଜୟ ଓ ୨ ଅମୀମାଂସିତ, ପୋର୍ଟ ଏଲିଜାବେଥ୍‌ରେ ୨ରୁ ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ, ବ୍ଲୋଏମ୍‌ଫୋଣ୍ଟିନ୍‌ରେ ୧ରୁ ୧ ପରାଜୟ ଏବଂ ସେଞ୍ଜୁରିଅନ୍‌ରେ ୧ରୁ ୧ ପରାଜୟ ବରଣ କରିଛି।
ସର୍ବାଧିକ ଓ ସର୍ବନିମ୍ନ ଦଳଗତ ସ୍କୋର୍‌
ସେଞ୍ଚୁରିଅନ୍‌ରେ ୪୫୯ (୨୦୧୦-୧୧) ରନ୍‌ ଦକ୍ଷିଣ ଆଫ୍ରିକାର ଭାରତର ସର୍ବାଧିକ ଦଳଗତ ସ୍କୋର୍‌। ସେହିପରି ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ଦଳଗତ ସ୍କୋର୍‌ ୬୨୦/୪ (ଘୋଷିତ) ମଧ୍ୟ ସେହି ସେଞ୍ଜୁରିଅନ୍‌ରେ ରହିଛି। ଭାରତ ଘରୋଇ ମାଟିରେ ସର୍ବାଧିକ ସ୍କୋର୍‌ ୬୪୩/୬ (ଘୋଷିତ) କୋଲ୍‌କାତା (୨୦୦୯-୧୦)ର ଇଡେନ୍‌ ଗାର୍ଡେନ୍‌ରେ କରିଥିଲା ବେଳେ ଭାରତରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ସ୍କୋର୍‌ ୫୫୮/୬ (ଘୋଷିତ) ନାଗପୁର (୨୦୦୯-୧୦)ରେ କରିଥିଲା।
ଘରୋଇ ମାଟିରେ ଭାରତର ସର୍ବନିମ୍ନ ସ୍କୋର୍‌ ୭୬ (ଅହମ୍ମଦାବାଦ, ୨୦୦୭-୦୮)ରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକାରେ ୬୬ (ଡର୍ବାନ୍‌, ୧୯୯୬-୯୭)ରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକାର ଘରୋଇ ମାଟିରେ ସର୍ବନିମ୍ନ ସ୍କୋର୍‌ ୮୪ (ଜୋହାନେସ୍‌ବର୍ଗ, ୨୦୦୬-୦୭) ଏବଂ ଭାରତରେ ୭୯ (ନାଗପୁର, ୨୦୧୫-୧୬) କରିଛି।
ସଚିନ, କାଲିସ୍‌ଙ୍କ ନାମରେ ସର୍ବାଧିକ ଶତକ
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାରେ ଦୁଇ ଦଳ ଖେଳିଥିବା ୨୫ ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ଶତକ ଜମାଇବାର କୀର୍ତିମାନ ସଚିନ୍‌ ତେନ୍ଦୁଲକର ଓ ଜାକ୍ସ କାଲିସ୍‌ଙ୍କ ନାମରେ ରହିଛି। ଉଭୟେ ସଚିନ୍‌ ଓ କାଲିସ୍‌ ୭ ଲେଖାଏଁ ଶତକର ଅଧିକାରୀ ହୋଇଛନ୍ତି। ଏହି ୨୫ ଟେଷ୍ଟରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ମିଳିତ ଭାବେ ୨୭ (ଦକ୍ଷିଣ ଆଫ୍ରିକାରେ ୧୩ ଓ ଭାରତରେ ୧୪) ଶତକ ମାରିଥିଲା ବେଳେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ମିଳିତ ଭାବେ ୩୩ (ଘରୋଇ ମାଟିରେ ୧୮ ଓ ଭାରତରେ ୧୫) ଶତକ ମାରିଛନ୍ତି।