ସିଡ୍ନି: ଅଷ୍ଟ୍ରେଲିଆର ପୂର୍ବତନ ଅମ୍ପାୟାର ଡାରେଲ ହେୟାର ଏକ ମଦ ଦୋକାନରୁ ଚୋରି କରି ଦଣ୍ଡିତ ହେବା ଖବର ସମଗ୍ର କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ୬୫ ବର୍ଷୀୟ ହେୟାର କିନ୍ତୁ ଚୋରି କରିଥିବା ୭,୦୩୪ ପାଉଣ୍ଡ ଫେରାଇ ଦେଇ ଜେଲ୍ ଯିବାରୁ ବର୍ତି ଯାଇଛନ୍ତି। ତେବେ ୧୮ ମାସ ପର୍ଯ୍ୟନ୍ତ ପୁଲିସ ତାଙ୍କ ଉପରେ ନଜର ରଖିବ। ଏହି ସମୟ ଭିତରେ କିଛି ବି ଗଡ଼ବଡ଼ କଲେ ଏହି ବିବାଦୀୟ ଅମ୍ପାୟାରଙ୍କୁ ନିଶ୍ଚିତ ଭାବେ ଜେଲ୍ ଯିବାକୁ ପଡ଼ିବ। ମଦ ଦୋକାନର ମାଲିକ ତଥା ହେୟାରଙ୍କ ପୂର୍ବତନ ନିଯୁକ୍ତିଦାତା ତାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିବା ପରେ ଅଷ୍ଟ୍ରେଲିଆର ଅରେଞ୍ଜ ସହରର ତଳିଆ କୋର୍ଟରେ ଏହାର ବିଚାର ହୋଇଥିଲା। ହେୟାର ନିଜ ଦୋଷ ସ୍ୱିକାର କରିବା ସହ ଭବିଷ୍ୟତରେ ଏଭଳି କାମ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇବା ପରେ ଅଦାଲତ ତାଙ୍କୁ ଜେଲ୍କୁ ନ ପଠାଇ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ଏକଦା ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅମ୍ପାୟାରର ମାନ୍ୟତା ଲାଭ କରିଥିବା ହେୟାର ଜୁଆ ଖେଳି ନିଜ ସବୁୁ ସମ୍ପତ୍ତି ହରାଇବା ପରେ ଚୋରି କରିବାକୁ ବାଧ୍ୟ ହୋଇଥିଲେ ବୋଲି ଅଷ୍ଟ୍ରେଲିଆର ଏକ ଦୈନିକ ଖବର କାଗଜ ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ ହେୟାର ୧୯୯୨ରୁ ୨୦୦୮ ମଧ୍ୟରେ ୭୮ ଟେଷ୍ଟରେ ଅମ୍ପାୟରିଂ କରିଥିଲେ। ୧୯୯୫ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶ୍ରୀଲଙ୍କା ସ୍ପିନର ମୁଥିୟା ମୁରଲୀଧରନଙ୍କୁ ‘ନୋ’ ଡାକି ସେ ବେଶ୍ ବିବାଦୀୟ ହୋଇ ପଡ଼ିଥିଲେ। ସେହିଭଳି ୨୦୦୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ବଲର ଆକାର ବଦଳାଇବା ଅଭିଯୋଗ ଆଣି ଆଇସିସି ଦ୍ୱାରା ଦଣ୍ଡିତ ହୋଇଥିଲେ। ଏହି କାରଣରୁ ଆଇସିସି ତାଙ୍କୁ ଟେଷ୍ଟ ଅମ୍ପାୟାର ତାଲିକାରୁ ହଟାଇ ଦେଇଥିଲା।
ଚୋରି କରି ହେୟାର ହଟହଟା
/sambad/media/post_attachments/wp-content/uploads/2017/10/3-umpire-hair.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)