ବେଙ୍ଗାଲୁରୁ: ଆଇପିଏଲ୍ରେ ରବିବାର ରାତିରେ ସପ୍ତମ ଶତକ ଅର୍ଜନ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର୍ ବିରାଟ କୋହଲି ପୁଣି ଥରେ ନିଜ ସମାଲୋଚକଙ୍କୁ ଚୁପ୍ କରିଦେଇଛନ୍ତି। କୋହଲିଙ୍କ ଟ୍ବେଣ୍ଟି-୨୦ କ୍ୟାରିୟର ଶେଷ ହୋଇଯାଉଥିବା ନେଇ ଏକାଧିକ ପୂର୍ବତନ କ୍ରିକେଟର୍ ମତପୋଷଣ କରୁଥିଲେ ହେଁ ସେ ଏବେ ପୁଣି ଥରେ ଶ୍ରେଷ୍ଠ ସମୟ ଦେଇ ଗତି କରୁଥିବା କୋହଲି ପ୍ରତିକ୍ରିୟା ରଖିଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରୁ ଭାରତର ବିଦାୟ ପରେ ଭାରତୀୟ ସୀମିତ ଓଭର ଖେଳାଳିଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଏପରିକି ଶୀର୍ଷ ଖେଳାଳିଙ୍କ ଉପରେ ଚାପ ଅଧିକ ହେଉଥିବାରୁ ସେମାନଙ୍କୁ ସୀମିତ ଓଭରରୁ ବାଦ୍ ଦିଆଯିବାକୁ ଆଲୋଚନା ହୋଇଥିଲା। କିନ୍ତୁ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ପରେ ବିସିସିଆଇ ସହିତ ହୋଇଥିବା ଏକ ସାକ୍ଷତକାରରେ କୋହଲି ଏହି ପାଳି ଦ୍ବାରା ଶ୍ରେଷ୍ଠ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳୁଥିବା କହିଥିଲେ। ଲୋକମାନେ ଭାବୁଛନ୍ତି ଯେ ମୋ ଟ୍ବେଣ୍ଟି-୨୦ କ୍ୟାରିୟର ନିମ୍ନଗାମୀ ହେଉଛି, କିନ୍ତୁ ମୁଁ ସେମିତି କେବେ ବି ଅନୁଭବ କରିନାହିଁ ବୋଲି କୋହଲି କହିଥିଲେ। ଏଭଳି ପାଳି ଦ୍ବାରା କ୍ରିକେଟ୍କୁ ସେ ମନଭରି ଉପଭୋଗ କରିପାରୁଛନ୍ତି। ଅଧିକ ବାଉଣ୍ଡରି ମାରିବା ସହ ଶେଷ ଆଡ଼କୁ ବଡ଼ ହିଟ୍ ଲଗାଇବା ତାଙ୍କୁ ସନ୍ତୁଷ୍ଟି ପ୍ରଦାନ କରୁଥିବା ସେ କହିଛନ୍ତି। ଉକ୍ତ ଶତକୀୟ ପାଳି ଦ୍ବାରା କୋହଲି ଟ୍ବେଣ୍ଟି-୨୦ରେ ୧୨ ହଜାର ରନ୍ ପୂରଣ କରିଥିଲେ। କିନ୍ତୁ ଶୁବମନ ଗିଲ୍ଙ୍କ ମ୍ୟାଚ୍ ବିଜୟୀ ଶତକୀୟ ପାଳି କୋହଲିଙ୍କ ଶତକକୁ ଫିକା କରିଦେଇଥିଲା।