ନୂଆଦିଲ୍ଲୀ: ଯଶସ୍ବୀ ଜୟସ୍ବାଲଙ୍କ ଆଉ ଏକ ଯଶସ୍ବୀ ପାଳି ବଳରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ବି ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଜୟସ୍ବାଲଙ୍କ ସପ୍ତମ ଟେଷ୍ଟ୍ ଶତକ (୧୭୩*) ଏବଂ ସାଇ ସୁଦର୍ଶନଙ୍କ ଶ୍ରେଷ୍ଠ ଟେଷ୍ଟ୍ ପାଳି (୮୭) ସହାୟତାରେ ଭାରତ ପ୍ରଥମ ଦିନରେ ୨ ୱିକେଟ୍ ବିନିମୟରେ ୩୧୮ ରନ୍ ସଂଗ୍ରହ କରିଛି। ୨-୦ରେ ଶୃଙ୍ଖଳା ମୂଳପୋଛ ପାଇଁ ମୂଳଦୁଆ ବି ପକାଇ ଦେଇଛି।
ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଅହମଦାବାଦ ବିଜୟର ଆତ୍ମବିଶ୍ବାସ ସତ୍ତ୍ବେ ସତର୍କତାର ସହ ଖେଳିଥିଲା। କେଏଲ୍ ରାହୁଲ୍ ଏବଂ ଯଶସ୍ବୀ ଜୟସ୍ବାଲ ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ ଯୋଡ଼ିଥିଲେ। ମୋଟେରାରେ ସୁଯୋଗ ହାତଛଡ଼ା କରିଥିବା ଜୟସ୍ବାଲ ରନ୍ ପାଇଁ କିଛି ସମୟ ନେଇଥିବା ବେଳେ ରାହୁଲ ଆକ୍ରମଣାତ୍ମକ ଖେଳିଥିଲେ। ତେବେ ସ୍ପିନର୍ ଜୋମେଲ୍ ୱାରିକାନ୍ଙ୍କ ଏକ ଟର୍ନରେ ରାହୁଲ ପରାସ୍ତ ହୋଇ ଷ୍ଟମ୍ପିଂ ହୋଇଯାଇଥିଲେ। ରାହୁଲ ୭୦.୩୭ ଷ୍ଟ୍ରାଇକ୍ ରେଟ୍ରେ ୫୪ ବଲ୍ରୁ ୩୮ ରନ୍ ସଂଗ୍ରହ କରିନେଇଥିଲେ।
କିଂବଦନ୍ତିଙ୍କ କ୍ଲବ୍ରେ ଯଶସ୍ବୀ
ଯଶସ୍ବୀ ଜୟସ୍ବାଲଙ୍କ ସପ୍ତମ ଟେଷ୍ଟ୍ ଶତକ କ୍ରିକେଟ୍ ଇତିହାସରେ ସ୍ବତନ୍ତ୍ର ଗୁରୁତ୍ବ ବହନ କରିଛି। ୨୪ ବର୍ଷ ପୂରଣ ପୂର୍ବରୁ ୭ ଶତକ ହାସଲ କରିବାରେ ସେ ବିଶ୍ବର ବହୁ ମହାନ ଖେଳାଳିଙ୍କ ସମକକ୍ଷ ହୋଇଛନ୍ତି। ଜୟସ୍ବାଲଙ୍କଠାରୁ ଏବେ କେବଳ ସାର୍ ଡନ୍ ବ୍ରାଡମ୍ୟାନ୍ (୧୨), ସଚିନ ତେନ୍ଦୁଲକର (୧୧), ଗାରଫିଲ୍ଡ ସୋବର୍ସ (୯) ଆଗରେ ରହିଛନ୍ତି। ଶୁକ୍ରବାର କିନ୍ତୁ ଜୟସ୍ବାଲ ଅନ୍ୟ ୪ କିଂବଦନ୍ତି କ୍ରିକେଟର୍ ଜାଭେଦ୍ ମିଆଁଦାଦ, ଗ୍ରେମ୍ ସ୍ମିଥ୍, ଆଲେଷ୍ଟର୍ କୁକ୍, କେନ୍ ୱିଲିୟମସନ୍ଙ୍କ ସମକକ୍ଷ ହୋଇଛନ୍ତି। ଏମାନେ ୨୪ ବର୍ଷ ପୂରଣ ପୂର୍ବରୁ ୭ ଲେଖାଏଁ ଟେଷ୍ଟ୍ ଶତକ ହାସଲ କରିସାରିଥିଲେ। ଜୟସ୍ବାଲ ଯେଉଁ ସମୟରେ ୭ ଶତକ ହାସଲ କରିଛନ୍ତି ସେହି ସମୟ ଭିତରେ ମିଳିତ ଭାବେ ଅନ୍ୟ ଭାରତୀୟ ଓପନର୍ ୬ ଶତକ ମାରିଛନ୍ତି। ଏହି ସମୟ ଭିତରେ ମଧ୍ୟ ବିଶ୍ବ କ୍ରିକେଟ୍ରେ କେବଳ ଇଂଲଣ୍ଡର ବେନ୍ ଡକେଟ୍ ସର୍ବାଧିକ ୪ ଶତକ ଜମାଇଛନ୍ତି। ଶୁକ୍ରବାର ଜୟସ୍ବାଲ ମଧ୍ୟ ୫୦ ମ୍ୟାଚ୍ରୁ ୩,୦୦୦ ଅନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି। ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ଶିଖର ଧାୱନଙ୍କ ପରେ ଚତୁର୍ଥ ଭାରତୀୟ ଓପନର୍ ଭାବେ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି।
ଏହା ମଧ୍ୟରେ ୫ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହା ପରେ ଯଶସ୍ବୀଙ୍କ ସୁନ୍ଦର ବ୍ୟାଟିଂ ପ୍ରଶଂସକଙ୍କ ହୃଦୟ ଜିଣିଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ମାତ୍ର ୪୦ ରନ୍ କରିଥିବା ଜୟସ୍ବାଲ ଏହା ପରବର୍ତ୍ତୀ ପ୍ରଥମ ଓଭରରେ ୩ ଚୌକା ସହ ଅର୍ଦ୍ଧଶତକ ପୂର୍ଣ୍ଣ କରି ନେଇଥିଲେ। ଚା’ପାନ ବିରତି ପୂର୍ବରୁ ମଧ୍ୟ ନିଜ ସପ୍ତମ ଟେଷ୍ଟ୍ ଶତକ ହାସଲ କରିଥିଲେ। ୨୩ ବର୍ଷ ବୟସ ଭିତରେ ୫ ଥର ୧୫୦+ ସ୍କୋର୍ କରିବାରେ ମଧ୍ୟ ଜୟସ୍ବାଲ ପ୍ରଥମ ଭାରତୀୟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ତାଙ୍କ ଦ୍ବିତୀୟ ଶତକ। ସୂଚନାଯୋଗ୍ୟ, ୨୦୨୩ରେ ରୋସେୟୁରେ ଜୟସ୍ବାଲ ନିଜ ପ୍ରଥମ ଟେଷ୍ଟ୍ ଶତକ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲେ।
ଯଶସ୍ବୀ ଜୟସ୍ବାଲ ଓ ସାଇ ସୁଦର୍ଶନ ଶୁକ୍ରବାର ଦ୍ବିତୀୟ ୱିକେଟ୍ ପାଇଁ ୧୯୩ ରନ୍ ଯୋଡ଼ିବା ଭାରତକୁ ବଡ଼ ସ୍କୋର୍ ଦିଗରେ ନେଇଛି। ମଝି ଅଧିବେଶନରେ ଭାରତ କୌଣସି ୱିକେଟ୍ ନହରାଇ ୩୦ ଓଭରରେ ୧୨୬ ରନ୍ ଯୋଡ଼ି ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲା। ଚା’ପାନ ବିରତି ପରେ ସୁଦର୍ଶନ (୧୬୫ ବଲ୍ରୁ ୮୭ ରନ୍, ୧୨ ଚୌକା)ଙ୍କୁ ୱାରିକାନ୍ ଦ୍ବିତୀୟ ଶିକାର କରିବା ସହ ତାଙ୍କ ପ୍ରଥମ ଶତକ ସ୍ବପ୍ନକୁ ଫିକା କରିଦେଇଥିଲେ। ତଥାପି ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭାଗୀଦାର ଗଢ଼ିନେଇଥିଲେ। ଏହା ତାଙ୍କର ଦ୍ବିତୀୟ ଅର୍ଦ୍ଧଶତକ ଥିଲା। ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ଜୟସ୍ବାଲ (୨୫୩ ବଲ୍ରୁ ୧୭୩* ରନ୍, ୨୨ ଚୌକା) ଏବଂ ଅଧିନାୟକ ଶୁବମନ ଗିଲ୍ (୬୮ ବଲ୍ରୁ ୨୦* ରନ୍, ୩ ଚୌକା) ବ୍ୟାଟିଂ କରୁଥିଲେ। ଏଥି ସହିତ ପ୍ରଥମ ଦିନରେ ଜୟସ୍ବାଲ ଦୁଇଟି ଅର୍ଦ୍ଧଶତକ (୫୮ ଓ ୬୭*) ଏବଂ ଗୋଟିଏ ଶତକ (୧୯୩) ଭାଗୀଦାରର ଅଂଶ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବାମହାତୀ ସ୍ପିନର୍ ଜୋମେଲ୍ ୱାରିକାନ୍ (୨୦-୩-୬୦-୨) ସଫଳ ବୋଲର୍ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୯୦ ଓଭରରେ ୩୧୮/୨ (ଯଶସ୍ବୀ ଜୟସ୍ବାଲ-୧୭୩*, ସାଇ ସୁଦର୍ଶନ-୮୭, କେଏଲ୍ ରାହୁଲ-୩୮, ଶୁବମନ ଗିଲ୍-୨୦*, ଜୋମେଲ୍ ୱାରିକାନ୍-୨/୬୦)।