ଆବୁଧାବି: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍ ଫାଇନାଲ୍ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍ ସେମିଫାଇନାଲ୍। ବିଶ୍ବକପ୍ର ଶେଷ ଦୁଇଟି ନକ୍ ଆଉଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍କୁ ଇଂଲଣ୍ଡ ନିକଟରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ସେହି ଧାରା ଭାଙ୍ଗିବ ବୋଲି ଆଶା ରଖିଛି। ଇଂଲଣ୍ଡ କିନ୍ତୁ କ୍ରମେ ଶକ୍ତିରୁ ଶକ୍ତିଶାଳୀ ହେବାରେ ଲାଗିଛି। ଅବଶ୍ୟ ପ୍ରାରମ୍ଭିକ ବ୍ୟାଟର୍ ଜାସନ୍ ରୟ ଏବଂ ଦ୍ରୁତ ବୋଲର ଟାଇମଲ୍ ମିଲ୍ସ ଆହତ ଜନିତ ସମସ୍ୟା କାରଣରୁ ବାଦ୍ ପଡ଼ିବାରୁ ଇଂଲଣ୍ଡ ସାମାନ୍ୟ ଚିନ୍ତାରେ ପଡ଼ିଛି। ତଥାପି ଜାସନ ରୟଙ୍କ ସ୍ଥାନରେ ଜେମ୍ସ ଭିନ୍ସେ ସ୍ଥାନ ପାଇଥିବାରୁ କିଛିଟା ଆଶ୍ବସ୍ତ ହୋଇଛି।
ଚଳିତ ବିଶ୍ବକପ୍ରେ ଇଂଲଣ୍ଡର ମଧ୍ୟକ୍ରମ ଅଣପରୀକ୍ଷିତ ରହିଛି। ମାତ୍ର ୩ ଜଣ ବ୍ୟାଟର୍ ୬୦ରୁ ଊର୍ଧ୍ବ ବଲ୍ ଖେଳିଛନ୍ତି। ସେମାନଙ୍କ ମଧ୍ୟରୁ ଜାସନ୍ ରୟ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ୍ ବୋଲରମାନେ ଏଥିରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ୟୁଏଇ ପରିବେଶରେ ବେଶ କିଛି ଦିନ ଖେଳି ଆସୁଥିବା ମୋଇନ୍ ଅଲୀ ଇଂଲଣ୍ଡର ଭରସା ରହିବେ। ସ୍ପିନରଙ୍କ ବିପକ୍ଷରେ ସେ ଭଲ ଖେଳୁଥିବାରୁ ଈଶ ସୋଢ଼ି ଏବଂ ମିଚେଲ୍ ସାଣ୍ଟନର୍ଙ୍କୁ ଟାର୍ଗେଟ୍ କରିପାରନ୍ତି। ଦାୱିଦ ମଲାନ ମନ୍ଥର ଆରମ୍ଭ କରୁଥିଲେ ମଧ୍ୟ ଇଂଲଣ୍ଡ ତାଙ୍କଠାରୁ ଏକ ବଡ଼ ପାଳି ଆଶା ରଖିଛି। ଟାଇମଲ୍ ମିଲ୍ସ ଆହତ ଥିବାରୁ ଇଂଲଣ୍ଡ ଡେଥ୍ ବୋଲିଂ ଦୁର୍ବଳତାରୁ ମଧ୍ୟ ନ୍ୟୁଜିଲାଣ୍ଡ୍ ଫାଇଦା ଉଠାଇବା ବିଶ୍ବାସ କରାଯାଉଛି। ପାୱାର୍ ପ୍ଲେ ଭିତରେ ଇଂଲଣ୍ଡ ଚଳିତ ବିଶ୍ବକପ୍ରେ ସର୍ବାଧିକ ୮.୩୩ ହାରରେ ବ୍ୟାଟିଂ କରିଛି। କିନ୍ତୁ ଆବୁଧାବିରେ ଇଂଲଣ୍ଡ ପ୍ରଥମ ଥର ଖେଳିବାକୁ ଯାଉଥିବାରୁ ସିମରଙ୍କୁ ସୁହାଉଥିବାରୁ ଏହି ସମୟରେ ଦଳର ବୋଲରମାନେ ପ୍ରଭାବ ପକାଇବେ ବୋଲି ବିଶ୍ବାସ କରାଯାଉଛି। ନ୍ୟୁଜିଲାଣ୍ଡ ମଧ୍ୟ ନିଜର ଶେଷ ମ୍ୟାଚ୍ରେ ଆଫଗାନିସ୍ତାନ ବିପକ୍ଷରେ ଏହିଠାରେ ଖେଳିଥିବାରୁ ଅଭ୍ୟସ୍ତ ହୋଇଛି। ଇଂଲଣ୍ଡର ପଞ୍ଚମ ବୋଲର ଦୁର୍ବଳତାରୁ ନ୍ୟୁଜିଲାଣ୍ଡ୍ ବ୍ୟାଟର୍ ମଧ୍ୟ ଟାର୍ଗେଟ୍ କରିପାରନ୍ତି।
ଇଂଲଣ୍ଡ ବିପକ୍ଷରେ ଈଶ ସୋଢ଼ୀଙ୍କ ଦୁର୍ବଳ ପ୍ରଦର୍ଶନ ଥିବାରୁ କେନ୍ ୱିଲିୟମସନ୍ ଚିନ୍ତିତ ଅଛନ୍ତି। ଇଂଲଣ୍ଡ ପାଇଁ ଅଧିନାୟକ ଇଅନ୍ ମୋର୍ଗାନଙ୍କ ଫର୍ମ ମଧ୍ୟ ଚିନ୍ତାର କାରଣ ହୋଇଛି। ୨୦୧୯ ଏବଂ ୨୦୨୦ ଭଳି ଶ୍ରେଷ୍ଠ ସମୟରେ ସେ ନାହାନ୍ତି। ଚଳିତ ବର୍ଷ ସେ ମାତ୍ର ୧୭.୫୯ ହାର ଏବଂ ୧୧୮ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରୁଥିବାରୁ ନିଜ ସ୍ବାଭାବିକ ଖେଳଠାରୁ ଦୂରରେ ରହିଛନ୍ତି। ଇଂଲଣ୍ଡର ଦୁଇ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମସନ୍ ଚିନ୍ତିତ ଅଛନ୍ତି। ‘ଇଂଲଣ୍ଡ୍ ବେଶ କିଛି ଦିନ ଧରି ଭଲ ଖେଳି ଆସୁଛି, ଦଳର ବ୍ୟାଟିଂ ଗଭୀରତା ଥିବାରୁ ଆମେ ନିଶ୍ଚିତରେ ରହିବା ଭୁଲ କଥା। ଆମେ ଆମ ସାମର୍ଥ୍ୟ ଅନୁସାରେ ଖେଳିବୁ’ ବୋଲି ୱିଲିୟମସନ୍ ପ୍ରକାଶ କରିଛନ୍ତି। ଆବୁଧାବିର ପିଚ୍ ଓ ପରିବେଶ ସହିତ ନ୍ୟୁଜିଲାଣ୍ଡ୍ ଖେଳାଳି ଅଭ୍ୟସ୍ତ ହୋଇସାରିଥିବାରୁ ଆଇପିଏଲ୍କୁ ମଧ୍ୟ ୱିଲିୟମସନ୍ ଶ୍ରେୟ ଦେଇଥିଲେ।
ମୁହାଁମୁହିଁ: ଚଳିତ ବିଶ୍ବକପ୍ରେ ସୁପର୍-୧୨ର ୫ ମ୍ୟାଚ୍ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ସମାନ ୪ ଲେଖାଏଁ ଜିତି ସେମିଫାଇନାଲ୍ ଆସିଛନ୍ତି। ଇଂଲଣ୍ଡ ଗ୍ରୁପ୍-୧ରେ ପ୍ରଥମ ଏବଂ ନ୍ୟୁଜିଲାଣ୍ଡ୍ ଗ୍ରୁପ୍-୨ର ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ ଆସିଛନ୍ତି। ନିଜ ନିଜ ଶେଷ ମୁକାବିଲାରେ କିନ୍ତୁ ଇଂଲଣ୍ଡକୁ ପରାଜୟ ଓ ନ୍ୟୁଜିଲାଣ୍ଡକୁ ବିଜୟ ମିଳିଥିଲା। ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ୍ ନିଜ ଶେଷ ଲିଗ୍ରେ ଆଫଗାନିସ୍ତାନକୁ ହରାଇଥିଲା। ପାକିସ୍ତାନ ନିକଟରୁ ହାରିବା ପରେ ନ୍ୟୁଜିଲାଣ୍ଡ୍ ଲଗାତାର ୪ ମ୍ୟାଚ୍ ଜିତିଥିଲା। ଇଂଲଣ୍ଡ କିନ୍ତୁ ପାଲଟା ପ୍ରଦର୍ଶନ ସହ ଲଗାତାର ୪ ମ୍ୟାଚ୍ ଜିତିବା ପରେ ଶେଷ ଲିଗ୍ରେ ହାରିଥିଲା। ଟ୍ବେଣ୍ଟି-୨୦ କ୍ରିକେଟ୍ରେ କିନ୍ତୁ ଦୁଇ ଶ୍ରେଷ୍ଠଙ୍କ ମଧ୍ୟରେ ହୋଇଥିବା ଶେଷ ୫ ମୁକାବିଲା ୨-୨ରେ ରହିଛି। ଗୋଟିଏ ଟାଇରେ ଶେଷ ହୋଇଥିଲା। ମୋଟ ଉପରେ ଦୁଇ ଦେଶ ୨୧ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ମୁହାଁମୁହିଁ ହୋଇଛନ୍ତି। ଇଂଲଣ୍ଡ ୧୨ ଓ ନ୍ୟୁଜିଲାଣ୍ଡ୍ ୭ ଜିତିଛି। ବିଶ୍ବକପ୍ର ୫ ମୁକାବିଲାରେ ଇଂଲଣ୍ଡ୍ ୩-୨ରେ ଆଗୁଆ ରହିଛି।
ପିଚ୍ ରିପୋର୍ଟ: ବିଶ୍ବକପ୍ ଆରମ୍ଭ ତୁଳନାରେ ଆବୁଧାବି ପିଚ୍ ଏବେ ଅପେକ୍ଷାକୃତ ବ୍ୟାଟିଂ ଅନୁକୂଳ ରହିଛି। ପାୱାର ପ୍ଲେ ସମୟରେ ପେସ୍ ବୋଲରଙ୍କୁ ଫାଇଦା ମିଳିବ। ତେବେ ପଶ୍ଚାତଧାବନ କରି ଜିତିବା ଉଭୟ ଦଳର ଟସ୍ ଯୋଜନା ରହିବ।
ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଜେମ୍ସ ଭିନ୍ସ, ଜୋସ୍ ବଟ୍ଟଲର୍ (ୱିକେଟରକ୍ଷକ), ଦାୱିଦ ମଲାନ୍, ଜନି ବେୟାରଷ୍ଟୋ, ଇଅନ୍ ମୋର୍ଗାନ୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, କ୍ରିସ୍ ୱକ୍ସ, କ୍ରିସ୍ ଜୋର୍ଡାନ୍, ଆଦିଲ ରସିଦ୍, ମାର୍କ ଉଡ୍।
ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ଏକାଦଶ: ମାର୍ଟିନ୍ ଗପ୍ଟିଲ୍, ଡାରିଲ୍ ମିଚେଲ୍, କେନ୍ ୱିଲିୟମସନ୍ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍, ଆଦାମ ମିଲ୍ନେ, ଟିମ୍ ସାଉଦି, ଈଶ ସୋଢ଼ି, ଟ୍ରେଣ୍ଟ୍ ବୋଲ୍ଟ।