କାତାର: ଚଳିତ ଫିଫା ବିଶ୍ବକପ୍ର ସୋମବାର ସୁଦ୍ଧା ସମସ୍ତ ୮ ଗ୍ରୁପ୍ର ୨ଟି ଲେଖାଏଁ ମ୍ୟାଚ୍ ଶେଷ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ମୋଟ ୪୮ ମ୍ୟାଚ୍ ଶେଷ ହୋଇଥିଲା ବେଳେ ପ୍ରତ୍ୟେକ ଦଳ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ରହିଛି। ଏହି ପର୍ଯ୍ୟାୟରେ ଏପର୍ଯ୍ୟନ୍ତ କୌଣସି ବଡ଼ ପସନ୍ଦର ଦଳ ଏଲିମିନେଟ୍ ହୋଇନାହାନ୍ତି। ୪ ଥର ବିଜେତା ଜର୍ମାନି ଆଶା ଉଜ୍ଜୀବିତ ରଖିଛି। ତେବେ ୪୮ ଗ୍ରୁପ୍ ମ୍ୟାଚ୍ ଶେଷ ସୁଦ୍ଧା ସମ୍ମାନଜନକ ଗୋଲ୍ଡେନ୍ ବୁଟ୍ ହାସଲ ଦୌଡ଼ରେ ଇକ୍ବେଡରର ଇନର ଭାଲେନ୍ସିଆ, ଫ୍ରାନ୍ସର କିଲିଆନ୍ ଏମ୍ବାପେ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଆଗରେ ରହିଛନ୍ତି। ବିଶେଷକରି ଭାଲେନ୍ସିଆ ଓ ଏମ୍ବାପେ ସର୍ବାଧିକ ୩ ଲେଖାଏଁ ଗୋଲ୍ କରିସାରିଥିଲା ବେଳେ ମେସିଙ୍କ ସହିତ ଅନ୍ୟ ୮ ଜଣ ୨ ଲେଖାଏଁ ଗୋଲ୍ କରି ଦାବିଦାର ରହିଛନ୍ତି। ତେବେ ମଙ୍ଗଳବାର ଗ୍ରୁପ୍-ଏ’ର ଶେଷ ମୁକାବିଲା ପରେ ନେଦରଲାଣ୍ଡ୍ସ କୋଡି ଗାକ୍ପୋ ଗୋଟିଏ ଗୋଲ୍ କରିବାରୁ ସର୍ବାଧିକ ତାଲିକାରେ ସେ ଭାଲେନ୍ସିଆ, ଏମ୍ବାପେଙ୍କ ସହ ସମାନ ହୋଇଯାଇଛନ୍ତି। ବିଶ୍ବକପ୍ରେ ସର୍ବାଧିକ ଗୋଲ୍ ସ୍କୋରର୍ ହିଁ ଶେଷକୁ ଏହି ସମ୍ମାନ ହାତେଇନେବେ।
ଅନ୍ୟପକ୍ଷରେ ଦଳ ଗୋଲ୍ ସ୍କୋର୍ କରିବାରେ ସବୁଠୁ ଅଧିକ ସହାୟତା କରିଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ତାଲିକାରେ ଇଭାନ ପେରିସିକ୍ (କ୍ରୋଏସିଆ), ଜୋର୍ଡି ଅଲ୍ବା (ସ୍ପେନ୍), ଥିଓ ହର୍ନାଣ୍ଡେଜ୍ (ଫ୍ରାନ୍ସ), ବ୍ରୁନୋ ଫର୍ଣ୍ଣାଡେଜ୍ (ପର୍ତୁଗାଲ) ଏବଂ ହାରି କେନ୍ (ଇଂଲଣ୍ଡ) ରହିଛନ୍ତି। ଏହି ସମସ୍ତ ୫ ଖେଳାଳି ୨ ଲେଖାଏଁ ଗୋଲ୍ରେ ସହାୟତା କରିଛନ୍ତି।
ସେହିପରି ସର୍ବାଧିକ ଗୋଲ୍ ବଞ୍ଚାଇବାର ଶ୍ରେଷ୍ଠ ୫ ତାଲିକାରେ ୱଜ୍ସିଚ୍ ସିଜେସ୍ନି (ପୋଲାଣ୍ଡ), ସୁଇଚି ଗୋଣ୍ଡା (ଜାପାନ) ଓ ମିଲନ ବୋର୍ଜାନ (କାନାଡା) ଆଗରେ ରହିଥିଲା ବେଳେ ଆନ୍ଦ୍ରିସ୍ ନୋପର୍ଟ (ନେଦରଲାଣ୍ଡ୍ସ) ଓ ଭାଞ୍ଜା ମିଲିଙ୍କୋଭିକ୍ ସାଭିକ (ସର୍ବିୟା) ପଛକୁ ପଛ ରହିଛନ୍ତି। ପ୍ରଥମ ତିନି ଜଣ ୮ ଲେଖାଏଁ ଗୋଲ୍ ବଞ୍ଚାଇ ଥିଲା ବେଳେ ଶେଷ ୨ ଜଣ ୭ ଲେଖାଏଁ ବଞ୍ଚାଇଛନ୍ତି।