ଗ୍ରିନ୍‌ସ ସିଲ୍ଡ କ୍ରିକେଟ୍‌ ଫାଇନାଲ୍‌ରେ ପ୍ରଗତି

ଭୁବନେଶ୍ୱର: ସ୍ଥାନୀୟ ଗାଡ଼କଣ ସ୍ଥିତ ଗଡ଼େଶ୍ୱର ଖେଳପଡିଆରେ ଗ୍ରିନ୍ସ କ୍ରିକେଟ ଆସୋସିଏସନ ଓ ଗଡ଼େଶ୍ୱର ସ୍ପୋର୍ଟ୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଚାଲିଥିବା ଗ୍ରିନ୍ସ ସିଲଡ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାରେ ପ୍ରଗତି ସ୍ପୋର୍ଟିଂ ୩୪ ରନରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ପ୍ରଗତି ନିର୍ଦ୍ଧାରିତ ୪୦ ଓଭରରେ ଦଳ ୭ ୱକେଟ ହରାଇ ୧୬୩ରନ କରିଥିଲା। ଦଳ ପକ୍ଷରୁ ସନ୍ଧାନ ମହାନ୍ତି ୫୨ ଏବଂ ଅମନ ଦାସ ୩୧ ରନ କରିଥିଲେ। ଜବାବରେ ରାମେଶ୍ୱର ୩୫.୧ ଓଭରରେ ୧୨୯ ରନ୍‌ କରିଥିଲା। ପ୍ରିୟାଂଶୁ ପ୍ରସାଦ ୫୮ ରନ୍‌ କରିବାକୁ ସମର୍ଥ ହୋଇଥିଲେ। ପ୍ରଗତି ପକ୍ଷରୁ କୁବେର ସାହୁ ୩ ଏବଂ ସାର୍ଥକ ଓ ଈଶାନ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ପ୍ରଗତିର କୁବେର ସାହୁଙ୍କୁ ଗ୍ରିନ୍ସ କ୍ରିକେଟ ଆସୋସିଏସନର ସମ୍ପାଦକ ରାକେଶ ଜେନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଅମ୍ପାୟାର ପ୍ରଦୀପ ଜେନା ଓ ସୁଶୀଲ ପରିଡା ପରିଚାଳନା କରିଥିଲେ। ଅନ ଲାଇନ ସ୍କୋରିଙ୍ଗରେ ଅଭିଷେକ ମହାନ୍ତି ସହାୟତା କରିଥିଲେ। ଶୁକ୍ରବାର ଆୟୋଜକ ଗ୍ରିନ୍ସ ଓ ପାରାମାଉଣ୍ଟ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍‌ ମୁକାବିଲା ହେବ।

ବୁଧବାର ଖେଳାଯାଇଥିବା ଶେଷ ଲିଗ ମ୍ୟାଚରେ ଗ୍ରିନ୍ସ କ୍ରିକେଟ ଆସୋସିଏସନ ୬୦ ରନରେ ମୁକ୍ତେଶ୍ଵର କ୍ରିକେଟ କ୍ଲବକୁ ପରାସ୍ତ କରି ଶେଷ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା। ଗ୍ରିନ୍ସ ୪୦ ଓଭରରେ ୩ ୱିକେଟ୍ ହରାଇ ୨୭୨ ରନ୍‌ କରିଥିଲା। ଆୟୁଷ ମହାନ୍ତି ୧୧୪ (୯୦ ବଲ୍) ଶତକ ହାସଲ କରିଥିବାବେଳ ମୃତ୍ୟୁଞ୍ଜୟ ମହାପାତ୍ର ୫୨ ଓ ଆୟୁଷ ଚାନ୍ଦ ୪୩ ରନ୍‌ କରିଥିଲେ। ମୁକ୍ତେଶ୍ଵର ୬ ୱିକେଟ୍‌ ହରାଇ ୨୧୨ ରନ୍‌ କରିଥିଲା। ସମର୍ପିତ ପଟେଲ ଅପରାଜିତ ଶତକ (୧୪୧*, ୧୨୮ ବଲ୍‌) ହାସଲ କରିଥିଲେ। ଗ୍ରିନ୍ସ ପକ୍ଷରୁ ଅଭିଜିତ ମହାନ୍ତି, ଅଭିଷେକ ସେନାପତି, ସୁମିତ ମିଶ୍ର ଓ ଆୟୁଷ ଚାନ୍ଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଆୟୁଷ ମହାନ୍ତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ଅମ୍ପାୟାର୍‌ ସମ୍ବିତ ପଟ୍ଟନାୟକ।

ସମ୍ବନ୍ଧିତ ଖବର