ଭୁବନେଶ୍ବର: ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା କନିଷ୍ଠ ହକି ବିଶ୍ବକପ୍ ଲାଗି ୧୮ ଜଣିଆ ଭାରତୀୟ ଦଳ ଗୁରୁବାର ଘୋଷିତ ହୋଇଛି। ଏହି ଦଳରେ ୩ ଓଡ଼ିଆ ଖେଳାଳି ସୁଦୀପ ଚିର୍ମାକୋ, ସୁନିଲ ଜୋଜୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି। ୨୦୨୮ ବୁଏନସ୍ ଏୟର୍ସ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ସୁଦୀପଙ୍କୁ ପୁଣି ଭାରତୀୟ ଦଳରେ ସୁଯୋଗ ମିଳିଥିବା ବେଳେ ସୁନିଲ୍ ଓ ଅଭିଷେକ ପ୍ରଥମ ଥର ବଡ଼ ପ୍ରତିଯୋଗିତାରେ ଖେଳିବାକୁ ଯାଉଛନ୍ତି। ଘରୋଇ ପରିବେଶରେ ଏମାନେ ଖେଳିବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ପାଇବେ। ଗତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିତିବା ଭାରତୀୟ ଦଳର ଅନ୍ୟତମ କନିଷ୍ଠ ଖେଳାଳି ବିବେକ ସାଗର ପ୍ରସାଦଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ୨୦୧୮ ଯୁବ ଅଲିମ୍ପିକ୍ସ ପଦକ ବିଜୟୀ ଦଳର ଅନ୍ୟତମ ସଦସ୍ୟ ସଞ୍ଜୟଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ୨୦୧୬ ମସିହାରେ ଲକ୍ଷ୍ନୌରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ବିଜେତା ହୋଇଥିଲା। ଏଥର ଘରୋଇ ପରିବେଶରେ କପ୍ ବଜାୟ ରଖିବା ଆହ୍ବାନର ସମ୍ମୁଖୀନ ହେବ। ଦୁଇ ଜଣ ଖେଳାଳି ଦିନଚନ୍ଦ୍ର ସିଂହ ମୋଇରଙ୍ଗଥେମ୍ ଏବଂ ବବି ସିଂହ ଧାମିଙ୍କୁ ସଂରକ୍ଷିତ ଖେଳାଳି ଭାବେ ରଖାଯାଇଛି, ଯତି କେହି ଆହତ ସମସ୍ୟାରେ ପଡ଼ନ୍ତି ତେବେ ଏମାନେ ଖେଳିବା ସମ୍ଭାବନା ରହିବ।
ଭାରତୀୟ ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ କହିଥିଲେ, ‘‘ଦେଶର ପ୍ରତିନିଧିତ୍ବ ପାଇଁ ଶ୍ରେଷ୍ଠ ଦଳ ବାଛିବା କଷ୍ଟକର କାର୍ଯ୍ୟ ଥିଲା, ବିଗତ ୧୨-୧୮ ମାସ ହେବ ବହୁ କିଛି କରାଯାଇଛି। କୋଭିଡ୍ ପରିସ୍ଥିତ ଏବଂ ତତ୍ଜନିତ କଟକଣା କାରଣରୁ ବହୁ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ପଡିଛି। ୧୮ ଜଣିଆ ଦଳ ଏବଂ ୨ ଜଣ ସଂରକ୍ଷିତ ଖେଳାଳିଙ୍କୁ ନେଇ ଗଠିତ ଏହି ଦଳ କପ୍ ସୁରକ୍ଷିତ ରଖିବାକୁ ସକ୍ଷମ ହେବେ ବୋଲି ବିଶ୍ବାସ ରହିଛି। ଏହି ଦଳ ସମ୍ପୂର୍ଣ୍ଣ ସନ୍ତୁଳିତ ରହିଛି। ପରସ୍ପର ମଧ୍ୟରେ ବିଶ୍ବାସ ଏବଂ ପ୍ରସ୍ତୁତି ଅନୁସାରେ ଏମାନେ ବଡ଼ ମଇଦାନରେ ସଫଳ ହୋଇପାରିବେ।’’ ଭୁବନେଶ୍ବରରେ ଚାଲିଥିବା ପ୍ରସ୍ତୁତି ଶିବିରରେ ଖେଳାଳିମାନେ ଜୋରଦାର ଅଭ୍ୟାସ କରୁଛନ୍ତି। ଷ୍ଟାଡିୟମ୍ ଦର୍ଶକବିହୀନ ରହିବାକୁ ଥିଲେ ମଧ୍ୟ ଅଲିମ୍ପିକ୍ସ ଭଳି ହକି ମଧ୍ୟ ବେଶ ଉପଭୋଗ୍ୟ ହୋଇପାରିବ।
ନଭେମ୍ବର ୨୪ ତାରିଖ ଉଦ୍ଘାଟନୀ ଦିବସରେ ଫ୍ରାନ୍ସ ବିପକ୍ଷରେ ଖେଳି ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ଭାରତ ନିଜ ପରବର୍ତୀ ମ୍ୟାଚ୍ଗୁଡିକରେ ୨୫ରେ କାନାଡ଼ା, ୨୭ରେ ପୋଲାଣ୍ଡ୍ ସହ ଖେଳିବ। ଡିସେମ୍ବର ୧ ଓ ୫ ତାରିଖରେ ନକ୍ ଆଉଟ୍ ମ୍ୟାଚ୍ ଖେଳାଯିବ। ମୋଟ ୧୬ ଦଳ ଭାଗ ନେଉଥିବାରୁ ପ୍ରତି ୪ ବର୍ଷରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଟ୍ରଫି ଜିତିବାକୁ ସଭିଏଁ ଆଗଭର ରହିବେ। ଭାରତ ବ୍ୟତୀତ ଅନ୍ୟ ଦଳଗୁଡିକ ହେଲେ ବେଲଜିୟମ୍, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା, ଜର୍ମାନି, କାନାଡ଼ା, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ପାକିସ୍ତାନ, କୋରିଆ, ମାଲେସିଆ, ପୋଲାଣ୍ଡ୍, ଫ୍ରାନ୍ସ, ଚିଲି, ସ୍ପେନ୍ ଏବଂ ଆମେରିକା।
ଭାରତୀୟ ଦଳ: ସର୍ଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ (ଗୋଲରକ୍ଷକ), ସଞ୍ଜୟ (ଉପଅଧିନାୟକ), ସୁଦୀପ ଚିର୍ମାକୋ, ରାହୁଲ କୁମାର ରାଜଭର, ମନିନ୍ଦର ସିଂହ, ପୱନ, ବିଷ୍ଣୁକାନ୍ତ ସିଂହ, ଅଙ୍କିତ ପାଲ୍, ଉତ୍ତମ ସିଂହ, ସୁନିଲ ଜୋଜୋ, ମନଜିତ୍ ଜୋଜୋ, ମନଜିତ୍, ରବିଚନ୍ଦ୍ର ସିଂହ ମୋଇରଙ୍ଗଥେମ୍, ବିବେକ ସାଗର ପ୍ରସାଦ (ଅଧିନାୟକ), ଅଭିଷେକ ଲାକ୍ରା, ଯଶଦୀପ୍ ସିୱାଚ୍, ଗୁର୍ମୁଖ ସିଂହ, ଅରୈଜିତ୍ ସିଂହ ହୁଣ୍ଡାଲ୍।