ଶେଷ ଓଭରରେ ଅବଶ୍ୟକ ଥିଲା ୩୫ ରନ୍; ଗ୍ଲାସ୍ ମାରିଲେ ୬ ଛକା
ଡବ୍ଲିନ୍: କ୍ରିକେଟ୍ ଭଳି ଏକ ଖେଳରେ ଜଣେ ବୋଲର ହ୍ୟାଟ୍ରିକ୍ ଅର୍ଜନ କରିବା, ଜଣେ ବ୍ୟାଟ୍ସମ୍ୟାନ୍ ଦ୍ବିଶତକ ହାସଲ କରିବା, ଜଣେ ବୋଲର ଗୋଟିଏ ଓଭରରେ ୬ ଛକା ମାରିବା ହେଉ କିମ୍ବା ଜଣେ ବୋଲର ୧୦ ୱିକେଟ୍ ସଫଳତା ହାସଲ କରିବାର ମୁହୂର୍ତ୍ତ ସବୁବେଳେ ନିଆରା ଅନୁଭୁତି ଆଣିଥାଏ। ଦର୍ଶକମାନେ ମଧ୍ୟ ଏଭଳି ମୁହୂର୍ତ୍ତକୁ ଅପେକ୍ଷା କରିଥା’ନ୍ତି। ଏଭଳି ଏକ ମୁହୂର୍ତ୍ତ ଆୟର୍ଲାଣ୍ଡ୍ର ଏକ କ୍ଲବ୍ ମ୍ୟାଚ୍ରେ ଦେଖିବାକୁ ମିଳିଛି। ଜଣେ ବ୍ୟାଟ୍ସମ୍ୟାନ୍ ଗୋଟିଏ ଓଭରର ୬ ବଲ୍କୁ ୬ ଛକା ମାରିବାର କୀର୍ତ୍ତିମାନ ରଚିଛନ୍ତି। ସେହି ବ୍ୟାଟ୍ସମ୍ୟାନ୍ ଜଣକ ହେଲେ ଜନ୍ ଗ୍ଲାସ୍।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ନର୍ଦର୍ନ ଇରିଶ୍ କ୍ଲବ୍ କ୍ରେଗାଗ୍ ଓ ବାଲିମେନା କ୍ଲବ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ର ଶେଷ ଓଭରରେ ବାଲିମେନାକୁ ଜିତିବା ପାଇଁ ୩୫ ରନ୍ ଦରକାର ଥିଲା। ତେଣୁ ପ୍ରତିପକ୍ଷ କ୍ରେଗାଗ୍ ଏହି ମ୍ୟାଚ୍ ଜିତିବା ସହଜ ମନେ ହୋଇଥିଲା। ମାତ୍ର କାମଚଳା ଅଧିନାୟକ ଜନ୍ ଗ୍ଲାସ୍ ସବୁକିଛି ଓଲଟପାଲଟ କରିଦେଲେ। ସେ ସେହି ଶେଷ ଓଭରର ୬ ବଲ୍କୁ ୬ ଛକା ମାରି ବାଲେମେନା କ୍ଲବ୍କୁ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ଏହି ଓଭର ପୂର୍ବରୁ ୫୧ ରନ୍ରେ ଅପରାଜିତ ଥିବା ଗ୍ଲାସ୍ ମ୍ୟାଚ୍ ଶେଷରେ ୮୭ ରନ୍ରେ ଅପରାଜିତ ରହିଥିଲେ। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୁଣି ଗ୍ଲାସ୍ଙ୍କ ବଡ଼ ଭାଇ ସାମ୍ ଗ୍ଲାସ୍ ଏହି ମ୍ୟାଚ୍ର ପ୍ରଥମ ପାଳିରେ ହ୍ୟାଟ୍ରିକ୍ ଅର୍ଜନ କରିଥିବାରୁ ସେମାନଙ୍କ ଘରେ ଉତ୍ସବ ପାଳନ ହୋଇଯାଇଥିଲା। ସାମ୍ ସେହି ପାଳିରେ ୫ ରନ୍ ବ୍ୟୟ କରି ୩ ୱିକେଟ୍ ଦଖଲ କରିଥିଲେ।