ଟୋକିଓ: ବହୁ ପ୍ରତୀକ୍ଷିତ ସେମିଫାଇନାଲ୍ ପ୍ରବେଶର ଅନ୍ତ ଘଟାଇଥିବା ଭାରତୀୟ ପୁରୁଷ ହକି ଦଳ ମଙ୍ଗଳବାର ଫାଇନାଲ୍ ପ୍ରବେଶ ଲାଗି ବେଲଜିୟମ୍କୁ ଭେଟିବ। ଦୀର୍ଘ ୪୯ ବର୍ଷ ପରେ ସେମିଫାଇନାଲ୍ ପ୍ରବେଶ କରିଥିବା ଭାରତ ଶେଷ ଥର ପାଇଁ ୧୯୮୦ ମସିହାରେ ପଦକ ଜିତିଥିଲା। କିନ୍ତୁ ଶେଷ ଥର ପାଇଁ ୧୯୭୨ ଅଲିମ୍ପିକ୍ସରେ ସେମିଫାଇନାଲ୍ ଖେଳିଥିଲା। ରବିବାରର କ୍ବାର୍ଟର ଫାଇନାଲରେ ଭାରତୀୟ ଦଳ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଯେଭଳି ବିଜୟୀ ହେଲା ଏବେ ଭାରତୀୟ କ୍ରୀଡ଼ାପ୍ରେମୀମାନେ ଦୃଢ଼ ଆଶାବାଦୀ ରହିଛନ୍ତି ପଦକ ଅର୍ଜନ ନେଇ। ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଦୁଇଟି ଗ୍ରିନ୍ କାର୍ଡ ଏବଂ ଗୋଟିଏ ୟେଲୋ କାର୍ଡ ପାଇବାର ଭୁଲକୁ ହଟାଇବାକୁ ପଡ଼ିବ। କିନ୍ତୁ ଯେଭଳି ଆକ୍ରମଣାତ୍ମକ ଖେଳ ଖେଳିଥିଲେ ତାହା ଜାରି ରଖିଲେ ନିଶ୍ଚିତ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଅମେ କଠୋର ଲଢ଼େଇ କରିଥିଲୁ, ବେଳେବେଳେ ଶେଷ ମୁହୂର୍ତରେ ଦଳ ସୁଯୋଗ ହାତଛଡ଼ା କରି ଦେଉଥିଲା ଏବେ ସେଭଳି ହୋଇନାହିଁ।
ଆମକୁ ଏବେ ବି ଲଢ଼ିବାକୁ ହେବ, ବିଜୟକୁ ଛଡ଼ାଇ ଆଣିବାକୁ ହେବ ବୋଲି କହିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ଗ୍ରାହାମ ରିଡ୍। ଆମ ତୁଳନାରେ ଗ୍ରେଟ୍ ବ୍ରିଟେନ୍ ଅଧିକ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଆମ ପେନାଲଟି କର୍ଣ୍ଣର ଡିଫେନ୍ସ ବିଶେଷ କରି ପିଆର୍ ଶ୍ରୀଜେଶ ଚମତ୍କାର ଖେଳୁଥିବାରୁ ବିଜୟ ମିଳିପାରିଥିଲା, ଶ୍ରୀଜେଶ ହିଁ ଆମକୁ ବଞ୍ଚାଇ ଦେଇଥିଲେ’ ବୋଲି କହିଥିଲେ ଏହି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ। ଆଗକୁ ଦେଖିଲେ ଆମକୁ କିନ୍ତୁ ପୂର୍ବ ରାତିରୁ ଅନେକ କିଛି ଶିକ୍ଷା ମିଳିଛି। କିନ୍ତୁ ଆବେକ ଓ ଭାବାବେଗ ମଧ୍ୟରେ ଅନେକ ଫରକ ରହିଛି, ବେଳେବେଳେ ଆମେ ଭାବାବେଗକୁ ଉପରକୁ ଚଢ଼ିବାକୁ ଦେଇଦେଉ। ଆମକୁ ସବୁବେଳେ ୧୧ ଜଣ ଖେଳାଳିଙ୍କୁ ପଡିଆ ଭିତରେ ରହିବାକୁ ପଡ଼ିବ। ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଅଧିକାଂଶ ସମୟ ଭାରତ ୧୦ ଜଣରେ ଖେଳିଥିଲା। ବେଲଜିୟମ୍ ବିପକ୍ଷରେ ଆମେ ସେଭଳି କଲେ ବିଜୟ କଥା ଚିନ୍ତା କରାଯାଇପାରିବ ନାହିଁ। ତେବେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ତିନି ତିନିଟି ଫିଲ୍ଡ ଗୋଲ୍ (ଦୀଲପ୍ରୀତ୍ ସିଂହ, ଗୁରଜାଣ୍ଟ୍ ସିଂହ ଏବଂ ହାର୍ଦିକ ସିଂହ) ଦଳର ମନୋବଳକୁ ବଢ଼ାଇଛି ବୋଲି କହିଥିଲେ ରିଡ୍। କିନ୍ତୁ ଦଳକୁ ନିରଂତର ଆକ୍ରମଣ ଜାରି ରଖିବାକୁ ହେବ। ଫିଲ୍ଡ ଗୋଲ୍ ଦେଇଥିଲେ ବି କର୍ଣ୍ଣର ନ ପାଇବାକୁ ଚିନ୍ତା କରିବାକୁ ପଡିବ। ବେଲଜିୟମ୍ ବିପକ୍ଷରେ ସମସ୍ତ ୧୧ ଜଣ ପୂରା ସମୟ ପିଚ୍ରେ ଖେଳିବା ଗୁରୁତ୍ବପୂର୍ଣ୍ଣ ହେବ।
ସୂଚନାଯୋଗ୍ୟ, ଏଫଆଇଏଚ୍ ବିଶ୍ବ ମାନ୍ୟତାରେ ଭାରତୀୟ ପୁରୁଷ ଦଳ ପଞ୍ଚମ ସ୍ଥାନରେ ଥିବାବେଳେ ବେଲଜିୟମ୍ ଦୁଇ ନମ୍ବର। ନିକଟ ଅତୀତ ମୁକାବିଲା କିନ୍ତୁ ଭାରତ ସପକ୍ଷରେ ରହିଛି। ୨୦୨୦ ଏଫଆଇଏଚ୍ ପ୍ରୋ ଲିଗ୍ରେ ଭାରତ ଏହି ବିଶ୍ବ ବିଜେତା ଦଳକୁ ୨-୧ରେ ପରାସ୍ତ କରିଥିଲା। କିନ୍ତୁ ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ୨-୩ରେ ହାରିଯାଇଥିଲା। ୨୦୧୯ରେ କିନ୍ତୁ ବେଲଜିୟମ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ସମସ୍ତ ୩ ମ୍ୟାଚ୍ (୫-୧, ୨-୧, ୨-୦) ଜିତି ପ୍ରାଧାନ୍ୟ ବିସ୍ତାର କରିଥିଲା। ୨୦୧୮ ଭୁବନେଶ୍ବର ବିଶ୍ବକପ୍ରେ ପୁଲ୍ ‘ସି’ରେ ଉଭୟ ଦଳର ମୁକାବିଲା ୨-୨ରେ ଅମୀମାଂସିତ ରହିବା ପରେ ସେହିବର୍ଷ ମଧ୍ୟ ବ୍ରେଡା ଚାମ୍ପିଅନ୍ସ ଟ୍ରଫିରେ ୧-୧ରେ ସମାନ ଫଳ ପାଇଥିଲେ। ବ୍ରେଡାରେ ଭାରତ ମଧ୍ୟ ରୌପ୍ୟ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ଦୁଇ ଦଳର ଅତୀତ ମୁହାଁମୁହିଁର କିଛି ମାନେ ନଥାଏ ବୋଲି କହିଛନ୍ତି ଅଧିନାୟକ ମନପ୍ରୀତ୍ ସିଂହ। ବେଲଜିୟମ୍ ଏବଂ ଅଷ୍ଟ୍ରେଲିଆ ବିଗତ ୨ ବର୍ଷ ହେବ ଏକ ନମ୍ବର ସ୍ଥାନ ରଖିଥିଲେ।
ବେଲଜିୟମ୍ ଏକ କଷ୍ଟକର ପ୍ରତିଦ୍ବନ୍ଦ୍ବୀ। କିନ୍ତୁ ଆମେ ନିକଟ ଅତୀତରେ ସେମାନଙ୍କ ସହ ଖେଳିଥିବାରୁ ଅଭିଜ୍ଞତା ରଖିଛୁ। ତାଙ୍କ ବିପକ୍ଷରେ କ’ଣ ଯାଇପାରିବ ଭଲ ଭାବେ ଜାଣିଛୁ। ଆମକୁ ଶୃଙ୍ଖଳିତ ରକ୍ଷଣଭାଗ ସହ ଖେଳିବାକୁ ପଡ଼ିବ ବୋଲି କହିଛନ୍ତି ମନପ୍ରୀତ୍। ଆମେ ଆମ ସଙ୍କଳ୍ପବଦ୍ଧତା ଓ ଲଢ଼ୁଆ ଆଗ୍ରହକୁ ଦେଖାଇଛୁ। ବେଲଜିୟମ୍ ବିପକ୍ଷରେ ସମାନ ଲଢ଼ୁଆ ଖେଳ ଦେଖାଇବୁ’ ବୋଲି ମନପ୍ରୀତ୍ ପ୍ରକାଶ କରିଛନ୍ତି।