ଅଭ୍ୟାସ ମ୍ୟାଚ୍‌ରେ ଭାରତ ପାଳି ପଛୁଆ, ସିଡ୍‌ନି ସକାଳର ମଜାନେଲେ ଧାୱନ

ସିଡ୍‌ନି: ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ସିଡ୍‌ନିର ଡ୍ରୁମୋନେ ଓଭାଲଠାରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ପଛରେ ପଡ଼ିଯାଇଛି। ପ୍ରଥମ ପାଳିରେ ଭାରତ ୨୪୭/୯ (ଘୋଷିତ) କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ‘ଏ’ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସରଣ ବେଳକୁ ୨୮୬/୮ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନରେ ୨୩୭/୮ କରିଥିଲା। ଦ୍ବିତୀୟ ଦିନ ଏଥିରେ ଆଉ ମାତ୍ର ୧୦ ରନ୍‌ ଯୋଡ଼ି ପାଳି ଘୋଷଣା କରିଥିଲା। ଆଜିଙ୍କ୍ୟ ରାହାଣେ (୧୧୭* ରନ୍‌) ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେତେଶ୍ବର ପୂଜାରା (୫୪ ରନ୍‌) ଓ ଉମେଶ ଯାଦବ (୨୪ ରନ୍‌) ଭଲ ବ୍ୟାଟିଂ କରିଥିଲେ। ଜବା‌ବରେ ଅଷ୍ଟ୍ରେଲିଆ ‘ଏ’ ୫ ରନ୍‌ରେ ୨ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା। ଉମେଶ ଯାଦବ ଏହି ଦୁଇ ୱିକେଟ୍‌ ନେଇ ଘରୋଇ ଦଳକୁ ଯୁଗଳ ଝଟ୍‌କା ଦେଇଥିଲେ। ତେବେ କ୍ୟାମେରନ୍ ଗ୍ରିନ୍ (୧୧୪* ରନ୍‌)ଙ୍କ ଅପରାଜିତ ଶତକ ସାଙ୍ଗକୁ ଟିମ୍‌ ପେନ୍‌ଙ୍କ ୪୪ ରନ୍‌ ଓ ମାର୍କସ ହାରିସଙ୍କ ୩୫ ରନ୍‌ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳି ଅଗ୍ରଣୀ ନେଇଛି।

ସଂକ୍ଷିପ୍ତ ସ୍କୋର: ଭାରତର ପ୍ରଥମ ପାଳି ୯୩ ଓଭରରେ ୨୪୭/୯, ଘୋଷିତ (ଅଜିଙ୍କ୍ୟ ରାହାଣେ ୧୧୭*, ଚେତେଶ୍ବର ପୂଜାରା ୫୪, ଉମେଶ ଯାଦବ ୨୪, ଜେମ୍ସ ପାଟିନସନ୍ ୩/୫୮, ଟ୍ରାଭିସ୍ ହେଡ୍ ୨/୨୪, ମାଇକେଲ ନାସେର ୨/୫୫)। ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ପାଳି ୮୫ ଓଭରରେ ୨୮୬/୮ (କ୍ୟାମେରନ୍ ଗ୍ରିନ ୧୧୪*, ଟିମ୍‌ ପେନ୍‌ ୪୪, ମାର୍କସ ହାରିସ ୩୫, ଉମେଶ ଯାଦବ ୩/୪୪, ମହମ୍ମଦ ସିରାଜ ୨/୭୧, ରବିଚନ୍ଦ୍ରନ ଅଶ୍ବିନ ୨/୫୮)।

ସିଡ୍‌ନି: ସିଡ୍‌ନି ସକାଳର ମଜାନେଲେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ। ଏଠାରେ ଥିବା ପ୍ରସିଦ୍ଧ ଓପେରା ହାଉସ୍ ସମ୍ମୁଖରେ ବସି ଖରା ପୋଇଁବାର ଏକ ଫଟୋ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଛାଡ଼ିଛନ୍ତି ସେ। ଫଟୋଟି ତଳେ ଧାୱନ ଲେଖିଛନ୍ତି ‘‘ଅପରୂପ ସୌନ୍ଦର୍ଯ୍ୟଭରା ସିଡ୍‌ନି ଓପେରା ହାଉସ୍ ସମ୍ମୁଖରେ ଖୁସୀର ଗୋଟିଏ ଦିନ’’। ଶନିବାର ୩୫ ବର୍ଷରେ ପଦାର୍ପଣ କରିଥିବା ଧାୱନ ରବିବାର ଭାରତର ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ। ଚମତ୍କାର ଅର୍ଧଶତକ ଅର୍ଜନ କରି ଭାରତର ପଶ୍ଚାତଧାବନକୁ ଦୃଢ଼ କରିଥିଲେ। ସେ କିନ୍ତୁ ଟେଷ୍ଟ୍ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ନାହାନ୍ତି। ତେବେ ମଙ୍ଗଳବାରର ତୃତୀୟ ତଥା ‌ଶେଷ ଟ୍ବେଣ୍ଟି-୨୦ରେ ବ୍ୟକ୍ତିଗତ ଭାବେ ବଡ଼ ସ୍କୋର କରି ଅଷ୍ଟ୍ରେଲିଆକୁ ମୂଳପୋଛ କରିବା ଲକ୍ଷ୍ୟରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଧାୱନ ତାଙ୍କ ପତ୍ନୀ ଆୟେସା ଓ ପରିବାର ସହ ଅଷ୍ଟ୍ରେଲିଆର ମେଲବର୍ନ ସହରରେ ହିଁ ରୁହନ୍ତି।

ସମ୍ବନ୍ଧିତ ଖବର