ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଅପରାଜେୟ ଭାରତ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ସୋମବାର ଲିଗ୍‌ ମ୍ୟାଚ୍‌ରେ ଘରୋଇ ଦଳ ୩-୨ ଗୋଲରେ କୋରିଆକୁ ପରାସ୍ତ କରିଥିଲା। ଫଳରେ ଭାରତ ୪ ମ୍ୟାଚ୍‌ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲା। ମାଲେସିଆ ମଧ୍ୟ ୪ରୁ ୩ ବିଜୟ ୧ ପରାଜୟରୁ ୯ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟରେ ରହିବା ସହ ସେମିଫାଇନାଲରେ ପହଞ୍ଚିଛି।‌ କୋରିଆ (୫ ପଏଣ୍ଟ) ତୃତୀୟ, ପାକିସ୍ତାନ (୫ ପଏଣ୍ଟ) ଚତୁର୍ଥରେ ରହି ସେମିଫାଇନାଲ୍‌ ଦୌଡ଼ରେ ଅଛନ୍ତି। ଜାପାନ (୨ ପଏଣ୍ଟ)ର ଆଶା ଉଜ୍ଜୀବିତ ଥିଲା ବେଳେ ଚୀନ୍‌ (୧ ପଏଣ୍ଟ) ଏହି ଦୌଡ଼ରୁ ବାଦ୍‌ ପଡ଼ିଛି।

Advertisment

ସୋମବାରର ଶେଷ ମ୍ୟାଚ୍‌ରେ ୩ ଥରର ବିଜେତା ଭାରତ ପାଇଁ ଷଷ୍ଠ ମିନିଟ୍‌ରେ ନୀଳକାନ୍ତ ଶର୍ମା ଫିଲ୍‌ଡ ଗୋଲ୍‌ ଦେଇ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୧୨ତମ ମିନିଟ୍‌ରେ କିମ୍‌ ସୁଙ୍ଗହୁଁ ଏହି ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ୨୩ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍‌ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧକୁ ୨-୧ରେ ଆଗୁଆ ଥିବା ଘରୋଇ ଦଳର ମନଦୀପ ସିଂହ (୩୩ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇଥିଲେ। ୧-୩ରେ ପଛୁଆ ଥିବା କୋରିଆ ୫୮ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ। ‌ଏହି ଗୋଲ୍‌ଟି ୟାଙ୍ଗ ଜିହୁଁ ଦେଇଥିଲେ।