ତୃତୀୟ ଟେଷ୍ଟ୍‌ରେ, ଆଝାର-ରିଜୱାନ୍‌ ପାକିସ୍ତାନ ସମ୍ମାନ ରଖିଲେ

ସାଉଥମ୍ପଟନ୍: ତୃତୀୟ ଟେଷ୍ଟ୍‌ରେ ଇଂଲଣ୍ଡକୁ ୫୦୦ରୁ ଅଧିକ (୫୮୩/୮, ଘୋଷଣା) ରନ୍ କରିବାର ସୁଯୋଗ ଦେଇଥିବା ପାକିସ୍ତାନ ତୃତୀୟ ଦିନରେ ତୁଳନାତ୍ମକ ଭାବେ ଭଲ ଖେଳିଛି। ପାକିସ୍ତାନ ପ୍ରତ୍ୟୁତ୍ତରର ମଙ୍ଗ ଅଧିନାୟକ ଆଝାର ଅଲ୍ଲୀ (୧୦୯*) ହିଁ ଧରିଛନ୍ତି। ତାଙ୍କ ଲଢ଼ୁଆ ଓ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ପାକିସ୍ତାନ ବଡ଼ ବିପର୍ଯ୍ୟରୁ ବାହାରିଛି। ୨୪/୩ର ଓଭରନାଇଟ୍ ସ୍କୋରରୁ ଖେଳ ଆରମ୍ଭ କରି ଧୀରେଧୀରେ ଫଲୋଅନ୍ ଏଡ଼ାଇବା ଆଡ଼କୁ ଅଗ୍ରସର ହେଉଛି। ରବିବାର ମାତ୍ର ୪ ରନ୍‌ର ବ୍ୟକ୍ତିଗତ ସ୍କୋରରୁ ଖେଳ ଆରମ୍ଭ କରିଥିବା ଆଝାର ୧୩୭ ବଲ୍‌ରୁ ୭ ଚୌକା ସହାୟତାରେ ଅର୍ଧଶତକ ଛୁଇଁଥି‌ଲେ। ପରେ ଏହାକୁ ସଫଳତାର ସହ ଶତକରେ ରୂପାନ୍ତର କରି ଦୀର୍ଘ ଦିନ ପରେ ଫର୍ମକୁ ଫେରିବାର ସଙ୍କେତ ବି ଦେଇଥିଲେ। ଆଝାରଙ୍କର ଏହା ସପ୍ତଦଶ ଟେଷ୍ଟ୍‌ ଶତକ (୨୦୫ ବଲ୍, ୧୫ ଚୌକା) ଥିଲା। ରବିବାର ଖେଳର ପ୍ରଥମ ସେସନ୍‌ରେ ଅସଦ ସଫିକ (୫) ଓ ଫୱାଦ ଆଲମ (୨୧) ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥି‌ଲେ। ଆଝାର ଓ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ (୫୩*) କିନ୍ତୁ ସପ୍ତମ ୱିକେଟ୍‌ରେ ୧୩୮ ରନ୍ ଯୋଡ଼ି ଦଳର ସମ୍ମାନ ରଖିଥିଲେ। ଏଥିମଧ୍ୟରେ ରିଜୱାନ ନିଜ ତୃତୀୟ ଅର୍ଧଶତକ ପୂରଣ କରି ନେଇଥିଲେ। ତାଙ୍କୁ ଜୋସ୍ ବଟଲରଙ୍କ ହାତରେ କ୍ୟାଚ୍ କରାଇ କ୍ରିସ୍ ଓକ୍ସ ‌ଯୋଡ଼ି ଭାଙ୍ଗିଥିଲେ। ଶନିବାର ଦ୍ବିତୀୟ ଦିନ ଖେଳର ଅନ୍ତିମ ସେସନ୍‌ରେ ଇଂଲଣ୍ଡ ପାଳି ଘୋଷଣା କରିବା ପରେ ପାକିସ୍ତାନ ୧୦.୫ ଓଭର ଖେଳି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସନ୍ ମସୁଦ ଓ ଆବିଦ ଅଲ୍ଲୀଙ୍କ ସହ ନିର୍ଭରଯୋଗ୍ୟ ବାବର ଆଜମଙ୍କୁ ହରାଇଥିଲା। ତିନିଟି ଯାକ ୱିକେଟ୍ ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୫୪.୪ ଓଭରରେ ୫୮୩/୮ ( ଘୋଷଣା, ଜାକ୍ କ୍ରଲି-୨୬୭, ଜୋସ୍ ବଟ୍ଟଲର୍‌-୧୫୨, କ୍ରିସ୍ ୱକ୍ସ-୪୦, ଫୱାଦ ଆଲମ ୨/୪୬, ସାହିନ ଆଫ୍ରିଦି ୨/୧୨୧, ୟାସିର ସାହା ୨/୧୭୩)। ପାକିସ୍ତାନ ପ୍ରଥମ ପାଳି ୮୦ ଓଭର ୨୩୬/୬ ( ଆଝାର ଅଲ୍ଲୀ ୧୦୯*, ରିଜୱାନ ୫୩, ଆଣ୍ଡରସନ୍ ୪/୪୨, କ୍ରିସ୍ ଓକ୍ସ ୧/୩୮, ଡମ୍ ବେସ୍ ୧/୬୮)।

କ୍ରଲିଙ୍କ କୀର୍ତ୍ତିମାନ
ନିଜର ପ୍ରଥମ ଟେଷ୍ଟ୍ ଶତକରୁ ଦ୍ବିଶତକରେ ପରିଣତ କରିବା ବାଟରେ ଜାକ୍ କ୍ରଲି ଅନେକ ବ୍ୟକ୍ତିଗତ ଓ ଦଳଗତ କୀର୍ତ୍ତିମାନରେ ଅବଦାନ ରଖିଥିଲେ। ସ୍ବଳ୍ପ ପାଳିରୁ ଦ୍ବିଶତକ ହାସଲ କରିବାରେ ସେ ଯୁଗ୍ମ ଚତୁର୍ଥ ଖେଳାଳି ହୋଇଛନ୍ତି। ପୂର୍ବରୁ ଟିପ୍ ଫଷ୍ଟର (୧), ଡେଭିଡ୍ ଲୟଡ (୨), ଲେନ୍ ହଟ୍ଟନ (୯) ସ୍ବଳ୍ପ ପାଳିରୁ ଦ୍ବିଶତକ ହାସଲ କରିଥିଲେ। ବିଲ ଏଲଡ୍ରିଚଙ୍କ ଭଳି କ୍ରଲି ନିଜ ଦ୍ବାଦଶ ପାଳିରେ ଦ୍ବିଶତକ ହାସଲ କରିଛନ୍ତି। ପ୍ରଥମ ଟେଷ୍ଟ ଶତକରୁ ଦ୍ବିଶତକ ତଥା ସର୍ବୋଚ୍ଚ ପାଳି ଖେଳିବାରେ ସେ ଦ୍ବିତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଆର୍‌ଇ ଫଷ୍ଟର୍ ୧୯୦୩-୦୪ରେ ସିଡନିରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୮୭ ରନ୍ କରିଥିଲେ। ସେହିଭଳି ଦ୍ବିଶତକ ହାସଲରେ ସେ ଇଂଲଣ୍ଡର ତୃତୀୟ ସର୍ବକନିଷ୍ଠ ଖେଳାଳି ମଧ୍ୟ ହୋଇଛନ୍ତି। ଲେନ୍ ହଟ୍ଟନ (୨୨ ବର୍ଷ ୬୦ ଦିନ, ବନାମ ଅଷ୍ଟ୍ରେଲିଆ, ଦ ଓଭାଲ, ୧୯୩୮), ‌ଡେଭିଡ୍‌ ଗାୱାର (୨୨ ବର୍ଷ ୧୦୩ ଦିନ, ବନାମ ଭାରତ, ଏଜବାଷ୍ଟନ, ୧୯୭୯)ଙ୍କ ପରେ କ୍ରଲି (୨୨ ବର୍ଷ ୨୦୧ ଦିନ)ରେ ଏହି କ୍ଲବରେ ଯୋଗ ଦେଇଛନ୍ତି। ଶେଷକୁ ଦ୍ବିଶତକ ପରେ ଷ୍ଟମ୍ପ ଆଉଟ୍ ହେବାରେ ସେ ସର୍ବୋଚ୍ଚ ସ୍କୋର୍‌ (୨୬୭) କରିଛନ୍ତି।

ସମ୍ବନ୍ଧିତ ଖବର