ଭାରୋତ୍ତୋଳନରେ ଦିବ୍ୟାଙ୍ଗ ଜ୍ଞାନରଂଜନଙ୍କୁ ସ୍ବର୍ଣ୍ଣ

ଚଣ୍ଡିଖୋଲ: ପଶ୍ଚିମବଙ୍ଗର ବାରାକପୁରଠାରେ ‘ଅଲ୍ ବେଙ୍ଗଲ ପାୱାର ଲିଫଟିଂ ଆସୋସିଏସନ’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଇଷ୍ଟର୍ଣ୍ଣ ଇଣ୍ଡିଆ ଆଣ୍ଡ ଅଲ ବେଙ୍ଗଲ ପାୱାର ଲିଫଟିଂ ପ୍ରତିଯୋଗିତାରେ ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁରପଟଣା ଗ୍ରାମର ଦିବ୍ୟାଙ୍ଗ ଜ୍ଞାନ ରଞ୍ଜନ ସାହୁ (୨୯) ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୨ ରାଜ୍ୟରୁ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୬୯ କେଜି ବର୍ଗର ଭାର ଉତ୍ତୋଳନରେ ଭାଗ ନେଇଥିବା ୩୦ ଜଣ ସାଧାରଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦିବ୍ୟାଙ୍ଗ ଜ୍ଞାନରଞ୍ଜନ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ ହୋଇଥିବା ଜ୍ଞାନରଞ୍ଜନ ଭଲ ଭାବେ ଠିଆହୋଇ ପାରନ୍ତି ନାହିଁ। ନିଜର ଇଚ୍ଛାଶକ୍ତି ବଳରେ ସେ ଗତ ପାଞ୍ଚବର୍ଷ ହେବ ଭାର ଉତ୍ତୋଳନ କରି ବେଶ୍‌ ସଫଳତା ପାଇପାରିଛନ୍ତି। ଅଦ୍ୟାବଧି ସେ ୫ଟି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ବର୍ଣ୍ଣ, ଗୋଟିଏ କାଂସ୍ୟ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ମାଟ୍ରିକ ପାସ ପରେ ବାଲିଚନ୍ଦ୍ରପୁର ବଜାରରେ ଛୋଟିଆ ପାନ ଦୋକାନ କରିଥିବା ଜ୍ଞାନରଞ୍ଜନ ଏତେ ବାଟଯାଏ ଯାଇଛନ୍ତି। ପାରା ଅଲିମ୍ପିକ୍ସରେ ଭାଗ ନେବା ପାଇଁ ସେ ଲକ୍ଷ୍ୟ ରଖିଥିବା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଏ କ୍ଷେତ୍ରରେ ଆହୁରି ଆଗକୁ ଯିବାପାଇଁ ସ୍ୱପ୍ନ ଦେଖିଥିଲେ ମଧ୍ୟ ଏଥିପାଇଁ ସେ ସରକାରଙ୍କ ପକ୍ଷରୁ ସହଯୋଗ ଓ ସହାୟତା ପାଇନାହାନ୍ତି। ସରକାରୀ ସହାୟତା ପାଇଲେ ସେ ଆହୁରି ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର