ଭୁବନେଶ୍ୱର: ଓଡ଼ିଶା ଫୁଟ୍‌ବଲ୍‌ର ଇତିହାସ ବହୁ ପୁରୁଣା। ହେଲେ ସଫଳତା ଧାରା ତୁଳନାତ୍ମକ ଭାବେ ବେଶ୍‌ ଛୋଟିଆ। ୫୦ ଦଶକରେ ଓଡ଼ିଶା ପୁରୁଷ ଦଳ ଜାତୀୟ ଫୁଟ୍‌ବଲ୍‌ରେ ଏକ ଦୁର୍ଦ୍ଧର୍ଷ ଦଳର ମାନ୍ୟତା ଲାଭ କରିଥିଲା। ଏବେ କିନ୍ତୁ ରାଜ୍ୟ ଫୁଟ୍‌ବଲ୍‌ରୁ ଆପାତତଃ କର୍ପୁର ଉଡ଼ି ଯାଇଛି। କେବଳ ଯାହା କନା ପଡ଼ି ରହିଛି। ଜାତୀୟ ସ୍ତରରେ ଧମାକାଦାର ଆରମ୍ଭ କରିଥିବା ଓଡ଼ିଶା ଏବେ ମଣିପୁର ଭଳି ବହୁ ଛୋଟ ରାଜ୍ୟଠାରୁ ପଛରେ ପଡ଼ିଯାଇଛି। ଗତ ୭୦ ବର୍ଷ ମଧ୍ୟରେ ଓଡ଼ିଶାର ମାତ୍ର ୩ ଜଣ ଖେଳାଳି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳିଛନ୍ତି। ବନ୍ଧୁତ୍ୱପୂର୍ଣ୍ଣ ଏବଂ ପ୍ରଦର୍ଶନୀ ଫୁଟ୍‌ବଲ୍‌ ମ୍ୟାଚ୍‌କୁ ମିଶାଇଲେ ଏହି ସଂଖ୍ୟା ୫ ହେବ। ଦୁଃଖର ବିଷୟ ଯେ ୨୦୦୩ ମସିହା ପରଠାରୁ ଜଣେ ହେଲେ ବି ଓଡ଼ିଆ ଖେଳାଳି ଜାତୀୟ ବରିଷ୍ଠ ପୁୁରୁଷ ଫୁଟ୍‌ବଲ୍‌ ଦଳରେ ସ୍ଥାନ ପାଇ ନାହାନ୍ତି। ଜାତୀୟ କନିଷ୍ଠ ସ୍ତରୀୟ ଦଳରେ ଅବଶ୍ୟ ବିକି ଓରାମ, ପଙ୍କଜ ସୋନା, ସେକ୍‌ ମୁସ୍ତାକିନ, ସମିର କେର୍କେଟା, ଶ୍ରୀକାନ୍ତ ଭୋଇ, ରମଣ ମଲ୍ହା, ଜ୍ଞାନ ରଞ୍ଜନ ସାମଲ, ଅକ୍ଷୟ ଦାସ, ପ୍ରୀତମ କୁମାର ସିଂହ, ଚିନ୍ମୟ ଶେଖର ବେହେରା ଓ ରାକେଶ କୁମାର ଓରାମଙ୍କ ଭଳି ଏକାଧିକ ଓଡ଼ିଆ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି।

Advertisment

ହେଲେ ଏମାନେ କେହି ଏ ପର୍ଯ୍ୟନ୍ତ ଭାରତୀୟ ବରିଷ୍ଠ ପୁରୁଷ ଫୁଟ୍‌ବଲ୍‌ ଦଳରେ ସାମିଲ ହେବାର ସୌଭାଗ୍ୟ ଲାଭ କରି ନାହାନ୍ତି। ସଂପ୍ରତି ଭାରତରେ ଚାଲିଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଖେଳିଥିବା ଭାରତୀୟ କନିଷ୍ଠ ଦଳରେ ବି କୌଣସି ଓଡ଼ିଆ ଖେଳାଳି ନଥିଲେ। ଶୁଭମ ଷଢ଼ଙ୍ଗୀ ସମ୍ଭାବ୍ୟ ଦଳରେ ଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଚୂଡ଼ାନ୍ତ ଦଳରୁ ବାଦ୍‌ ପଡ଼ିଥିଲେ। ଗତ ୨୫ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରୀୟ ଜାତୀୟ ମହିଳା ଦଳରେ ଓଡ଼ିଆ ତାରକାଙ୍କ ପ୍ରତିନିଧିତ୍ୱ ସଂଖ୍ୟା କିନ୍ତୁ ପାଖା ପାଖି ୭୦ ହେବ। ସେଥିପାଇଁ ଜାତୀୟ ଫୁଟ୍‌ବଲ୍‌ କଥା ବିଚାରକୁ ନେଲେ ଓଡ଼ିଶାର ମହିଳାମାନେ ହିଁ ରାଜ୍ୟର ସମ୍ମାନ ରଖିଛନ୍ତି। ଅବଶ୍ୟ ମହିଳା ଦଳ ମଧ୍ୟ ଏବେ ରାଜ୍ୟ ବାହାରକୁ ପଳାୟନ ଭଳି ଗୁରୁତର ସମସ୍ୟା ଦେଇ ଗତି କରୁଛି। ଅଧିକ ମହତ୍ୱ ଏବଂ ଉନ୍ନତ କର୍ମ ସଂସ୍ଥାନ ପାଇଁ ରାଜ୍ୟର ମହିଳା ଫୁଟ୍‌ବଲରମାନେ ଏବେ ଅନ୍ୟରାଜ୍ୟ ପଳାଉଛନ୍ତି କିମ୍ବା କୌଣସି ବୃତ୍ତିଗତ ସଂସ୍ଥାକୁ ପସନ୍ଦ କରୁଛନ୍ତି।

ଓଡ଼ିଶା ପୁଲିସରେ ମଧ୍ୟ କିଛି ପିଲା କର୍ମନିଯୁକ୍ତି ପାଇଛନ୍ତି। ସେଥିପାଇଁ ରାଜ୍ୟ ଦଳ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ତଥାପି ତୁଳନାତ୍ମକ ଭାବେ ପୁରୁଷ ଫୁଟ୍‌ବଲ୍‌ ଅପେକ୍ଷା ଓଡ଼ିଶା ଜାତୀୟ ସ୍ତରରେ ମହିଳାରେ ଭଲ କରୁଛି। ହେଲେ ରାଜ୍ୟର ମହିଳା ଫୁଟ୍‌ବଲରଙ୍କ ବ୍ୟକ୍ତିଗତ ପ୍ରଦର୍ଶନର ସ୍ତର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଭଳି ରହୁନି। ତଥାପି ସବୁ ସ୍ତରୀୟ ମହିଳା ଫୁଟ୍‌ବଲ୍‌ରେ ସଂପ୍ରତି ଅନ୍ୟୁନ ଦୁଇ ତିନି ଜଣ ଓଡ଼ିଆ ଖେଳାଳି ଭାରତୀୟ ଦଳରେ ରହୁଛନ୍ତି। ଯାହା ନିଶ୍ଚିତ ଭାବେ ଉତ୍ସାହଜନକ ଖବର। ପୁରୁଷ ଫୁଟ୍‌ବଲ୍‌ରେ କିନ୍ତୁ ଏକ ବଡ଼ ବ୍ୟତିକ୍ରମ ଦେଖା ଯାଉଛି। କନିଷ୍ଠ ସ୍ତରରେ ଭଲ କରୁଥିବା ଖେଳାଳି ବରିଷ୍ଠ ସ୍ତରକୁ ଯାଇ ପାରୁ ନାହାନ୍ତି। ଦୁର୍ଭାଗ୍ୟଜନକ ଭାବେ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରେ ଭାରତୀୟ ବରିଷ୍ଠ ଫୁଟବଲ୍‌ ଦଳରେ ଜଣେ ହେଲେ ବି ଓଡ଼ିଆ ସ୍ଥାନ ପାଇ ନାହାନ୍ତି।
ଦଳଗତ ଭାବେ ୧୯୯୪-୯୫ରେ ସନ୍ତୋଷ ଟ୍ରଫିର ସେମିଫାଇନାଲ୍‌ ପ୍ରବେଶ ଛଡ଼ା ଓଡ଼ିଶା ପୁରୁଷ ଫୁଟବଲ୍‌ ଦଳ ଗତ ୭୦ବର୍ଷ ମଧ୍ୟରେ ସେମତି କିଛି ଆଖି ଦୃଶିଆ ପ୍ରଦର୍ଶନ କରି ନାହିଁ। ୫୦ ଦଶକରେ ଓଡ଼ିଶା ଫୁଟବଲ୍‌ର ଦୁଇ କିମ୍ବଦନ୍ତୀ ତାରକା ସେଖ୍‌ ଅବଦୁଲ ମଜିଦ ଓ ଗୋଲକ ସାମଲ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ସମସାମୟିକ ସେଖ୍‌ ଅବଦୁର ଜବାର (ଗିଟୁ ଭାଇ) ମଧ୍ୟ ଜଣେ ଭଲ ଗୋଲ୍‌ ରକ୍ଷକ ଥିଲେ। ଦୀର୍ଘ ଅପେକ୍ଷା ପରେ ରାଜ୍ୟର ଆଉ ଜଣେ ନାମୀ ଫୁଟବଲ୍‌ ଖେଳାଳି ଦେବ ସିଂହଙ୍କ ପୁଅ ରାଜେନ୍ଦ୍ର ପ୍ରସାଦ ସିଂହ ଜାତୀୟ ବରିଷ୍ଠ ପୁରୁଷ ଫୁଟ୍‌ବଲ୍‌ ଦଳରେ ସ୍ଥାନ ପାଇବାର ଅନନ୍ୟ ସଫଳତା ଲାଭ କରିଥିଲେ।

ସେ ଦୁଇ ତିନି ବର୍ଷ ପାଇଁ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। ଏହି ସମୟ ମଧ୍ୟରେ ୧୭ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହାପରଠାରୁ ଓଡ଼ିଶାର କୌଣସି ଖେଳାଳି ଆଉ ଜାତୀୟ ବରିଷ୍ଠ ପୁରୁଷ ଫୁଟ୍‌ବଲ୍‌ ଦଳରେ ସ୍ଥାନ ପାଇ ନାହାନ୍ତି। ତାଙ୍କ ନେତୃତ୍ୱରେ ୧୯୯୪ ମସିହାରେ ଓଡ଼ିଶା ମଧ୍ୟ ସନ୍ତୋଷ ଟ୍ରଫିର ସେମିଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲା। ରାଜେନ୍ଦ୍ରଙ୍କ ପିତା ଦେବ ସିଂହ କେବଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରି ପାରିଥିଲେ। କୋରାପୁଟର ମଧ୍ୟଭାଗ ଖେଳାଳି ଜେ ହେମା ରାଓ ବି ୧୯୮୦-୮୧ ମସିହାରେ ବାରବାଟୀରେ ଖେଳା ଯାଇଥିବା ରୁଷିଆ ବିପକ୍ଷ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ହେଲେ ସେ ମଧ୍ୟ ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ପାରି ନଥିଲେ।
ସନ୍ତୋଷ ଟ୍ରଫି ୧୯୪୧ ମସିହାରେ ଆରମ୍ଭ ହୋଇଥିଲା ବେଳେ ଓଡ଼ିଶା ତା’ର ଅଭିଯାନ ଏହାର ୭ ବର୍ଷ ପରେ ଅର୍ଥାତ୍‌ ୧୯୪୮ରେ ଆରମ୍ଭ କରିଥିଲା। ଏନ୍‌ ଯାଦବ ଥିଲେ ରାଜ୍ୟ ଦଳର ପ୍ରଥମ ଅଧିନାୟକ। ଫୁଟ୍‌ବଲ୍‌ ଖେଳ ସହ ସେ ପରାଦୀପର ଡିଏସପି ଭାବେ ଅବସର ନେଇଥିଲେ। ଏହା ପରେ ସନ୍ତୋଷ ଟ୍ରଫିରେ ଅନେକ ପ୍ରତିଭାବାନ୍‌ ଖେଳାଳି ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ହାତଗଣତି ଜାତୀୟ ଦଳର ସଦସ୍ୟ ହୋଇ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି।
କାରଣ ଜଣାଅଛି, ନିରାକରଣ ହେଉନି
ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଭାରତର ସ୍ଥିତି ଦୋଦୁଲ୍ୟମାନ। ଫିଫାର ସଦସ୍ୟଥିବା ୨୦୬ ଦେଶ ମଧ୍ୟରୁ ଭାରତର ଏବେକାର ସ୍ଥାନ ହେଉଛି ୧୦୫। ଏଭଳି ସ୍ଥିତିରେ ଓଡ଼ିଶାରୁ ନିୟମିତ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ର ବାହାରିବା କଥା ଚିନ୍ତା କରାଯାଇ ନପାରେ। ତଥାପି ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଲେ ଓଡ଼ିଶା ଜାତୀୟ ସ୍ତରରେ ଏକ ଫୁଟବଲ୍‌ ଶକ୍ତି ଭାବେ ପୁଣି ଥରେ ଉଭା ହୋଇ ପାରିବ। ରାଜ୍ୟରେ ଫୁଟ୍‌ବଲ୍‌ର ପରିଚାଳନା ଦାୟିତ୍ୱରେ ଥିବା ‘ଫାଓ’ ଏବଂ ରାଜ୍ୟ ସରକାର ଓଡ଼ିଶାରେ ଫୁଟ୍‌ବଲ୍‌ର ବିକାଶ କାହିଁକି ହୋଇ ପାରୁନି ତା’ର କାରଣ ଊଣା ଅଧିକେ ଜାଣିଛନ୍ତି। ହେଲେ ନିରାକରଣ କରୁ ନାହାନ୍ତି। ରାଜ୍ୟରେ ଫୁଟ୍‌ବଲ୍‌ରଙ୍କ ପାଇଁ ସେମିତି କିଛି ଆଖି ଦୃଶିଆ ନିଯୁକ୍ତି ସୁଯୋଗ ନାହିଁ।

ସେହିଭଳି ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟରେ ଦୁର୍ବଳତା, ଭଲ ପ୍ରତିଯୋଗିତାର ଅଭାବ, ଫୁଟବଲ୍‌ ବିକାଶ ଲାଗି ଦୀର୍ଘ ମିଆଦି ଯୋଜନାର ଅଭାବ ସହ ବିଦ୍ୟାଳୟ ସ୍ତରରେ ଅବହେଳିତ କ୍ରୀଡ଼ା ସଂସ୍କୃତି ଏହାର ମୁଖ୍ୟ କାରଣ ବୋଲି ଫୁଟବଲ୍‌ ପଣ୍ଡିତମାନେ ମତ ଦିଅନ୍ତି। ରାଜ୍ୟ ସରକାର ଏବଂ ଫାଓ ଏହି ଦିଗରେ ଧ୍ୟାନ ଦେଲେ ଓଡ଼ିଶା ମଧ୍ୟ ଫୁଟ୍‌ବଲ୍‌ରେ ହକି ଭଳି ବହୁ ବରିଷ୍ଠ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରି ପାରିବ ବୋଲି ଫୁଟବଲ୍‌ ବିଶେଷଜ୍ଞମାନେ କ୍ଷୋଭର ସହ କୁହନ୍ତି।