ବଢ଼ୁଛି ଅନ୍‌ଲାଇନ୍‌ ‘କ୍ରୀଡ଼ା କ୍ଲାସ୍’ ଲୋକପ୍ରିୟତା, ଫେସବୁକ୍ ଲାଇଭ୍‌ରେ ଧୋନି, ଅଶ୍ବିନ୍‌

ଚେନ୍ନାଇ: କରୋନା ପାଇଁ କ୍ରୀଡ଼ା ଜଗତର ସମସ୍ତ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି। କୌଣସି ଦେଶ, ରାଜ୍ୟ କିମ୍ବା ସହରରେ ଆଉ ଖେଳ ପ୍ରତିଯୋଗିତା ଆୟୋଜିତ ହେଉନି। କରୋନା ଭୟରେ ଏସବୁକୁ ସ୍ଥଗିତ କରିଦିଆଯାଇଛି। ଫଳରେ ଖେଳାଳିମାନେ ନିଜ ନିଜର ଘରେ ଆବଦ୍ଧ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କ୍ରୀଡ଼ା ଜଗତ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ସହ ଖେଳାଳିଙ୍କୁ ବ୍ୟସ୍ତ ରଖିବାର ନୁଆ ନୂଆ ଉପାୟ ଖୋଜି ବାହାର କରୁଛି। ଏପରି ‌କରି ଖେଳାଳିଙ୍କ ପ୍ରଶିକ୍ଷଣ ଓ ଅଭ୍ୟାସ ଉପରେ ନଜର ରଖିବା ସହ ସେମାନେ ଯେମିତି ଏହି ଅଦିନିଆ ଓ ଅପ୍ରତ୍ୟାଶିତ ବିରତି ବେଳେ ସୁସ୍ଥ ଓ ସତେଜ ରୁହନ୍ତି, ସେ ଦିଗରେ ବିଶେଷ ଧ୍ୟାନ ଦେଉଛି କ୍ରୀଡ଼ା ଦୁନିଆ। ଭାରତୀୟ କ୍ରିକେଟ୍‌ର ଦୁଇ ଚର୍ଚିତ ତଥା ଲୋକପ୍ରିୟ ତାରକା ମହେନ୍ଦ୍ର ସିଂହ ଧୋନି ଓ ରବିଚନ୍ଦ୍ରନ୍ ଅଶ୍ବିନ ମଧ୍ୟ ଗତ ଏକ ସପ୍ତାହ ହେବ ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ଦେବା ଆରମ୍ଭ କରି ଦେଇଛନ୍ତି। ନିଜ ନିଜ ଏକାଡେମି ମାଧ୍ୟମରେ ସେମାନେ କୁନି ଓ ଉଦୀୟମାନ ଖେଳାଳିଙ୍କୁ କ୍ରିକେଟ୍‌ର ମୌଳିକ କଳାର ଶିକ୍ଷା ଦେଉଛନ୍ତି। ଧୋନି ନିଜ ଏକାଡେମି ‘ଏମଏସ୍ ଧୋନି କ୍ରିକେଟ୍ ଏକାଡେମି’ର ଦୈନନ୍ଦିନ ପରିଚାଳନାରେ ସଂପୃକ୍ତ ନାହାନ୍ତି। ହେଲେ ମଝିରେ ମଝିରେ ସେ ନିଜ ପ୍ରଶିକ୍ଷକ ଓ ବ୍ୟାୟାମ ଚିକିତ୍ସକଙ୍କୁ ବହୂମଲ୍ୟ ପରାମର୍ଶ ଦେଉଛନ୍ତି। ତାଙ୍କ ଏକାଡେମି ଏବେ ଫେସ୍‌ବୁକ୍ ଲାଇଭରେ ନିଜ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଚେନ୍ନାଇରେ ଥିବା ଅଶ୍ବିନଙ୍କ ଏକାଡେମି ବି ସେହିଭଳି ଅନଲାଇନ୍ ଶିକ୍ଷା ଆରମ୍ଭ କରିଛି। ଅଶ୍ବିନ ନିଜେ ଅନ୍‌ଲାଇନ୍‌ ଆସି ପ୍ରଶିକ୍ଷଣ ଦେଉଛନ୍ତି। ସଂପ୍ରତିକ ସ୍ଥିତିରେ ଏଭଳି ଅନଲାଇନ୍ କ୍ରିକେଟ୍ ଶିକ୍ଷା ମଧ୍ୟ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ହଜାର ହଜାର ପିଲା ଏଥିରେ ଯୋଗ ଦେଉଛନ୍ତି। ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ତଥା ‘ଏମଏସ୍ ଧୋନି ଏକାଡେମି’ର ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ ଲାହିରି କହିଛନ୍ତି ଯେ ଆମେ ଅନ୍‌ଲାଇନ୍‌ରେ ପ୍ରକାଶ କରୁଥିବା ସବୁ ଭିଡିଓ ଅଧିବେଶନକୁ ବହୁତ ପସନ୍ଦ କରାଯାଉଛି। ଗୋଟିଏ ଗୋଟିଏ ଭିଡିଓକୁ ୧୦୦୦୦ରୁ ଅଧିକ ଲୋକ ଦେଖୁଛନ୍ତି। ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ପରିଚାଳନା ଶୈଳୀ ବର୍ଣ୍ଣନା କରି ସେ ମତ ରଖିଛନ୍ତି ଯେ ‘କ୍ରିକେଟର’ ନାମରେ ଆମେ ଏକ ଆପ୍ ତିଆରି କରିଛୁ। ଏଥିରେ ଆମେ ପ୍ରଶିକ୍ଷଣ ଭିଡିଓକୁ ପ୍ରକାଶ କରୁଛୁ।

ପ୍ରଶୀକ୍ଷାର୍ଥୀମାନେ ମଧ୍ୟ ନିଜ ନିଜର ଭିଡିଓ ଏହି ଆପ୍‌ରେ ପ୍ରକାଶ କରନ୍ତି। ଆମେ ତାକୁ ଦେଖି ସେମାନଙ୍କୁ ଭୁଲ ଭଟକା ସୁଧାରିବାକୁ ପଦକ୍ଷେପ ନେଉ। ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ନେଉ। ବ୍ୟାଟ୍ସମ୍ୟାନ୍ ନିଜ ଭିଡିଓରେ କାନ୍ଥକୁ ବଲ୍ ମାରି ନରମ ହାତରେ ଏହାକୁ ଖେଳିବାକୁ ହୁଏ। ଏହାଦ୍ବାରା ଦୁଇଟି ଲକ୍ଷ୍ୟ ସାଧନ ହୋଇଥାଏ। ପ୍ରଥମତଃ ସେମାନଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଦକ୍ଷତା ବଢ଼େ, ଦ୍ବିତୀୟତଃ ହାତ ଓ ଆଖିର ସମନ୍ବୟରେ ମଧ୍ୟ ଉନ୍ନତି ଘଟିଥାଏ। ଅନ୍ୟପକ୍ଷରେ ବୋଲରମାନେ ବଲ୍ ନପକାଇ ବିଭିନ୍ନ ଅଭ୍ୟାସ କରିପାରିବେ ଏବଂ ନିଜ ବୋଲିଂ ଶୈଳୀର ଭିଡ଼ିଓ ରେକଡିଂ କରି ପଠାଇ ପାରିବେ। ଅନ୍ୟ ଏକ ଅନଲାଇନ୍ ପ୍ରଣିକ୍ଷଣ ପ୍ରଦାନକାରୀ ସଂସ୍ଥା ‘ଲୁଡିମୋସ୍’ ର ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ତାମିଲନାଡୁ ଓ ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିଦ୍ୟୁତ ଶିବରାମକୃଷ୍ଣନ୍ କହିଛନ୍ତି ଯେ ପିଲାମାନେ ଅଫଲାଇନ୍ ଅପେକ୍ଷା ଅନଲାଇନ୍ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ବ ଦେଇ ଦେଖୁଛନ୍ତି ଓ ଶିଖୁଛନ୍ତି। ସେମାନେ ମଧ୍ୟ ଅନ୍‌ଲାଇନ୍‌ ଶିକ୍ଷାକୁ ନେଇ ବେଶ୍ ସଚେତନ ଅଛନ୍ତି। ପୁନେର ପିୱାଇସି ହିନ୍ଦୁ ଜିମଖାନ୍ନା ପ୍ରଶିକ୍ଷକ ତଥା ମୁମ୍ବାଇ କ୍ରିକେଟ୍ ସଂଘର ସହକାରୀ ପ୍ରଶିକ୍ଷକ ନିରଂଜନ ଗୋଡବଲେ ମଧ୍ୟ ଭିଡିଓ କଲିଂ ଆପ୍ ‘ଜୁମ୍’ ଓ ‘ଗୁଗୁଲ୍‌ କ୍ଲାସ୍’ ଜରିଆରେ ପ୍ରଶିକ୍ଷଣ ଦେଉଛନ୍ତି। ଗୋଟିଏ ଅଧିବେଶନରେ ୪ରୁ ୫ ଜଣ ପିଲା ଶିକ୍ଷା ନେଉଥିଲା ବେଳେ ଏହାର ଅବଧି ୪୫ ମିନିଟ୍ ରହୁଛି ବୋଲି ସେ କହିଛନ୍ତି। ପିଲାମାନେ ଛାୟା ପ୍ରଶିକ୍ଷଣ କରୁଛନ୍ତି କିମ୍ବା ବିଭିନ୍ନ ପ୍ରକାର ବୋଲିଂ ଶୈଳୀର ଅଭ୍ୟାସ କରୁଛନ୍ତି। ବିଦର୍ଭ ରଣଜୀ ଦଳର ଷ୍ଟ୍ରେନ୍ଥ ଓ କଣ୍ଡିଂସନିଂ ପ୍ରଶିକ୍ଷକ ଥିବା ଓଡ଼ିଆ ପୁଅ ଅମିୟ କୁମାର ମହାନ୍ତି ମଧ୍ୟ ଜୁମ୍ ଆପ୍ ଜରିଆରେ ସେଠାକାର ଖେଳାଳିଙ୍କୁ ଫିଟ୍ ଓ ସୁସ୍ଥ ରଖୁଛନ୍ତି।

ଇଣ୍ଟରନେଟ୍‌ରେ ରେଫରିଙ୍କୁ ପଢ଼ାଉଛି ଏଆଇଏଫ୍ଏ‌ଫ୍‌
ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍) ରେଫରିଙ୍କ ପାଇଁ ଅନ୍‌ଲାଇନ୍‌ରେ ଶିକ୍ଷା ବ୍ୟବସ୍ଥା କରିଛି। ଏଥିରେ ୩୦୦ରୁ ଅଧିକ ରେଫରି ଅଂଶଗ୍ରହଣ କରୁଛନ୍ତି। ୩ ଓ ୪ ବର୍ଗର ରେଫରି ସପ୍ତାହକୁ ତିନି ଥର ଦୁଇ ଘଣ୍ଟା ଲେଖାଏଁ ଶିକ୍ଷା ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ୧ ଓ ୨ ବର୍ଗର ରେଫରି ୨୦୦ ରେଫରି ଦୁଇ ଦୁଇ ଦିନରେ ଥରେ ଅନଲାଇନରେ ପରୀକ୍ଷା ଦେଉଛନ୍ତି। ଏହା ଦ୍ବାରା ଫୁଟ୍‌ବଲରେ ନିକଟରେ ଲାଗୁ ହେଉଥିବା ବିଭିନ୍ନ ନିୟମ କାନୁନ ବିଷୟରେ ସେମାନଙ୍କ ଜ୍ଞାନର ବିକାଶ ହୋଇ ପାରୁଛି। ରେଫରିଙ୍କୁ ଶିକ୍ଷିତ କରିବା ଓ ସେମାନଙ୍କ ଜ୍ଞାନ ବଢ଼ାଇବାର ଏହା ବଳିଷ୍ଠ ସୁଯୋଗ। ରେଫରିଙ୍କ ପାଖରେ ପହଞ୍ଚିବାର ‘ଅନଲାଇନ’ ହିଁ ବଳିଷ୍ଠ ଉପାୟ ବୋଲି ଏଆଇଏଫଏଫ୍ ରେଫରି ନିର୍ଦେଶକ ଜେ ରବିଶଙ୍କର କହିଛନ୍ତି।

ଆନନ୍ଦ, କାର୍ଲସନ ଖେଳୁଛନ୍ତି ଓ ଖେଳାଇଛନ୍ତି
କ୍ରିକେଟ୍ ଓ ଫୁଟବଲ୍ ଭଳି ଆଉଟଡୋର ଗେମ୍ ପାଇଁ କରୋନା ବହୁ ସମସ୍ୟା ନେଇ ଆସିଥିଲା ବେଳେ ଚେସ୍ ଭଳି ଇନଡୋର ଗେମ ଏହା ଦ୍ବାରା ବିଶେଷ ପ୍ରବାବିତ ହୋଇନି। କାରଣ ଅନଲାଇନରେ ଚେସ୍ ଖେଳିବା ଓ ଶିଖିବାର ଧାରା ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଛି। ତେବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଉପରେ ଅଙ୍କୁଶ ଲାଗି ଥିବାରୁ ବିଶ୍ବନାଥନ ଆନନ୍ଦ ଓ ମାଗ୍ନସ କାର୍ଲସନଙ୍କ ଭଳି ମହାନ ଚେସ୍ ଖେଳାଳି ଅନଲାଇନରେ ନିଜ ନିଜ ଭିତରେ ପ୍ରତିଯୋଗିତା ଖେଳୁଛନ୍ତି। ଗ୍ରାଣ୍ଡମାଷ୍ଟର ତଥା ପ୍ରତିଷ୍ଠିତ ପ୍ରଶିକ୍ଷକ ଆର ବି ରମେଶ କହିଛନ୍ତି ଯେ ଗତ କିଛି ଦିନ ଭିତରେ ତାଙ୍କ ଅନଲାଇନ୍ ପ୍ରଶିକ୍ଷଣ ସେବା ଲାଗି ଚାହିଦା ବହୁଗୁଣ ବଢ଼ି ଯାଇଛି।

ଗଲ୍ଫ ପାଇଁ ସିଏଫ୍‌ଏଲ୍ ଲାଇଭ୍
ଗଲ୍ଫ ଭଳି ଆଉଟ୍ ଡୋର ଓ ବିସ୍ତୀର୍ଣ୍ଣ ପଡ଼ିଆରେ ଖେଳା ଯାଉଥିବା ଖେଳର କିଛି କଳା କୌଶଳ ମଧ୍ୟ ଖେଳାଳିମାନେ ଅନଲାଇନରେ ଶିଖି ପାରୁଛନ୍ତି। ଗଲ୍ଫ ପ୍ରଶିକ୍ଷକ ଇନ୍ଦ୍ରଜିତ ଭଲୋଟିଆ କହିଛନ୍ତି ‘ଯେତେବେଳେ ଗୃହାବଦ୍ଧ ଘୋଷଣା ‌ହେଲା, ସେତେବେଳେ ମୁଁ କିଛି ଶୀର୍ଷସ୍ତରୀୟ ଦେଶୀ ଓ ବିଦେଶୀ ପ୍ରଶିକ୍ଷକଙ୍କ ସହ ସିଏଫଏଲ୍ ଲାଇଭ୍ କ୍ଲାସ୍ ସହ ଯୋଡ଼ିବାକୁ କରିବାକୁ ଚେଷ୍ଟା କରିଥିଲି। ଏଥିରେ ମାଗଣାରେ ସାରା ଭାରତର ଖେଳାଳିଙ୍କୁ ଅନଲାଇନରେ ପ୍ରଶିକ୍ଷଣ ଦିଆଯାଇଥାଏ। ପ୍ରତି ଅଧିବେଶନ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥାଏ, ଯାହା ଏହାର ମୂଲ୍ୟ ଆହୁରି ବଢ଼ାଇ ଦେଇଥାଏ।’

ସ୍କାଇପ୍‌ରେ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିଙ୍କ ପାଇଁ ଯୋଗ
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାଇନା ନେହୱାଲ ଓ ପିଭି ସିନ୍ଧୁ ତଥା ଆମ ଓଡ଼ିଆ ତାରକା ଋତୁପର୍ଣ୍ଣା ପଣ୍ଡାଙ୍କ ସଫଳତା ପରେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷରେ ବ୍ୟାଡମିଣ୍ଟନ୍ ଖେଳର ଲୋକପ୍ରିୟତା ବହୁ ଗୁଣ ବଢ଼ିଯାଇଛି। ତା’ ସହ ଦେଶ ସାରା ଆଧୁନିକ ସୁବିଧା ସୁଯୋଗ ଥିବା ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି ସଂଖ୍ୟା ବି ବଢ଼ିଛି। ତେବେ କରୋନା ପାଇଁ ସଂପ୍ରତି ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଏସବୁ ଏକାଡେମିର ଉପଯୋଗ ପୂର୍ବାପେକ୍ଷା କମିଛି। ଏହି ଆହ୍ବାନଭରା ସମୟରେ ଖେଳାଳିଙ୍କ ମନସ୍ତାତ୍ବିକ ଓ ଶାରୀରିକ ଦିଗ ଉପରେ ଧ୍ୟାନ ଦେଉଛନ୍ତି ପ୍ରଶିକ୍ଷକ। ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ୍ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ବିମଳ କୁମାର ଏଥିନେଇ କହିଛନ୍ତି ଯେ ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ସହ ଆମେ ଏବେ ସ୍କାଇପରେ ଖେଳାଳିଙ୍କୁ ଯୋଗ ମଧ୍ୟ କରାଉଛୁ। ଏବେକାର ସ୍ଥିତିରେ ଖେଳାଳିମାନେ ମାନସିକ ସ୍ଥରରେ ଚାପଗ୍ରସ୍ତ ହୋଇପାରନ୍ତି, ସେଥିପାଇଁ ଆମେ ତା ଉପରେ ଅଧିକ ଧ୍ୟାନ ଦେଉଛୁ। ସମୟର ଆବଶ୍ୟକତା ହେଉଛି, ଖେଳାଳିଙ୍କ ମାନସିକତା ଉପରେ କାମ କରିବା ଏବଂ ଆମେ ଠିକ୍ ତାହା କରୁଛୁ।

ସମ୍ବନ୍ଧିତ ଖବର