କାନପୁର: କାନପୁରର ଗ୍ରୀନପାର୍କଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୨ୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମ ୩ ଦିନ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବା ପରେ ୪ର୍ଥ ଦିନରେ କିନ୍ତୁ ରନ ବର୍ଷା ଦେଖିବାକୁ ମିଳିଛି । ସୀମିତ ସମୟ ମଧ୍ୟରେ ମ୍ୟାଚର ଫଳାଫଳ ବାହାର କରିବାକୁ ଉଭୟ ଦଳ ଦ୍ରୁତ ବ୍ୟାଟିଂ କରିଥିଲେ । 

Advertisment

ଏହି ଟେଷ୍ଟମ୍ୟାଚରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୨ ୱିକେଟ୍ ହରାଇ ୨୬ ରନ୍ କରିଛି। ଦ୍ୱିତୀୟ ଓ ତୃତୀୟ ଦିନ ସମ୍ପୂର୍ଣ୍ଣ ବର୍ଷା ଯୋଗୁଁ ବାତିଲ ହେବା ପରେ ବାଂଲାଦେଶ ୧୦୭ ରନରୁ ଆଗକୁ ବଢିଥିଲା । ବାଂଲାଦେଶ ନିଜର ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହାର ଜବାବରେ ଭାରତ ଦ୍ରୁତ ବେଗରେ ବ୍ୟାଟିଂ କରି ୯ ଓ୍ବିକେଟରେ ୨୮୫ ରନ କରି ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୨ରନ କରିଥିବାବେଳେ କେଏଲ ରାହୁଲ ୬୮ରନ, ବିରାଟ କୋହଲି ୪୭ ରନ ଓ ଶୁଭମନ ଗିଲ ୩୯ ରନ କରିଥିଲେ । ଭାରତର ପାଳି ଘୋଷଣା ପରେ ବାଂଲାଦେଶ ନିଜର ୨ୟ ଇନିଂସରେ ୨ ଓ୍ବିକେଟ ହରାଇ ୨୬ ରନ କରିଛି । ଚତୁର୍ଥ ଦିନ ଖେଳରେ ମୋଟ ୧୮ଟି ୱିକେଟ୍ ପଡ଼ିଥିବା ବେଳେ ମୋଟ ୪୩୭ ରନ୍ ହୋଇଥିଲା।