୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ : ୧୭୭ରନରେ ଭାରତ ଅଲଆଉଟ୍‌, ବାଂଲାଦେଶ ଆଗରେ ୧୭୮ରନର ଲକ୍ଷ୍ୟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମ ସହରସ୍ଥିତ ସେଡଗାର ପାର୍କଠାରେ ଆଜି ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶ ଆଗରେ ୧୭୮ରନର ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା ।
କେବଳ ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ବାଂଲାଦେଶୀ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଜୟସ୍ୱାଲ ସର୍ବାଧିକ ୮୮ ରନ ସଂଗ୍ରହ କରିଥିବାବେଳେ ତିଲକ ବର୍ମା ୩୮ ଓ ଦ୍ରୁବ ଜିରେନ ୨୨ ରନ ସଂଗ୍ରହ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ।
ବାଂଲାଦେଶ ଦଳ ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ଷ୍ଟାର ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଓ ଦିବ୍ୟାଂସ ସାକ୍ସେନା ବ୍ୟାଟିଂ ଓପନ କରିଥିଲେ । ତେବେ ସାକ୍ସେନା ମାତ୍ର ୨ ରନ କରି ଅଭିଷେକ ଦାସଙ୍କ ବଲରେ ମହମୁଦ୍ଦିଲ ହାସାନଙ୍କ ହାତରେ ଧରା ପଡ଼ିଥିଲେ । ତେବେ ୩ୟ ଓ୍ଵିକେଟରେ ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମା ସତର୍କତାର ସହ ବ୍ୟାଟିଂ କରି ୯୪ ରନର ପାର୍ଟନରସିପ କରିଥିଲେ । ତେବେ ତିଲକ ଆଉଟ ହେବା ପରେ ଭାରତୀୟ ବ୍ୟାଟିଂ ଭୁଷୁଡ଼ିପଡ଼ିଥିଲା । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ଟି ଓ ସୋରିଫୁଲ ଇସ୍ଲାମ ୨ଟି ଓ୍ଵିକେଟ ନେଇଥିଲେ ।
ଭାରତ ସେମିରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦ ଓ୍ଵିକେଟରେ ପରାସ୍ତ କରିଥିବାବେଳେ ବାଂଲାଦେଶ ସେମିରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର