ଶେଷରେ ସାନ୍ତ୍ବନା ଓ ସମ୍ମାନ: ତୃତୀୟ ଦିନିକିଆକୁ ୧୩ ରନ୍‌ରେ ଜିତିଲା ଭାରତ, ଅଷ୍ଟ୍ରେଲିଆର ବିଜୟ ବ୍ୟବଧାନ ୨-୧କୁ କମିଲା

ପାଣ୍ଡ୍ୟା-ଜାଦେଜା ପରାକ୍ରମ, ମ୍ୟାକ୍ସୱେଲଙ୍କୁ ନେଇ ମୋଡ଼ ବଦଳାଇଲେ ବୁମ୍‌ରା

କାନ‌ବେରା: ଟସ୍ ଜିତିବା ପରେ ଟାଣୁଆ ପ୍ରଦର୍ଶନ ଦେଇଛି ଟିମ୍ ଇଣ୍ଡିଆ। ଆଉ ସିଡ୍‌ନିରେ ଶୃଙ୍ଖଳା ହାତଛଡ଼ା କରିଥିବା କୋହଲି ବାହିନୀର ଭାଗ୍ୟ କାନ୍‌ବେରାରେ ଉଦୟ ହୋଇଛି। ବୁଧବାର ଅଷ୍ଟ୍ରେଲିଆକୁ ଅନ୍ତିମ ଦିନିକିଆରେ ପରାସ୍ତ କରି ଗସ୍ତର ପ୍ରଥମ ବିଜୟ ସହ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଆତ୍ମବଳ ବଢ଼ାଇଛି ଭାରତ। ଲଗାତାର ଦୁଇଟି ପରାଜୟ ବରଣ କରିବା ପରେ ଦୁଇ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜାଙ୍କ ପରାକ୍ରମ ସହ ଦୁଇ ୟର୍କର ବିଶେଷଜ୍ଞ ଯଶପ୍ରୀତ ବୁମ୍‌ରା ଓ ଟି ନଟରାଜନ ଏବଂ ଦମ୍‌ଦାର ସାର୍ଦୁଲ ଠାକୁରଙ୍କ ଶାଣିତ ବୋଲିଂ ପାଇଁ ତୃତୀୟ ତଥା ‌‌ଶେଷ ଦିନିକିଆକୁ ୧୩ ରନ୍‌ରେ ଜିତି ସମ୍ମାନ ରକ୍ଷା କରିବା ସହ ବିଜୟ ସାନ୍ତ୍ବନା ବି ପାଇଛି ଭାରତୀୟ କ୍ରିକେଟ୍ ଦଳ। କୋଭିଡ୍-୧୯ ସଙ୍କଟ ପାଇଁ ଦୀର୍ଘ ୯ ମାସ ପରେ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ବହୁ ପ୍ରତୀକ୍ଷିତ ଆଷ୍ଟ୍ରେଲିଆ ଗସ୍ତର ପ୍ରଥମ ଦୁଇ ମୁକାବିଲାରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।

ସେଥିପାଇଁ ବୁଧବାରର ଚୂଡ଼ାନ୍ତ ଦିନିକିଆ ଲଢ଼େଇ ଉପରେ ପ୍ରଶଂସକଙ୍କ ବିଶେଷ ନଜର ଥିଲା। ବିରାଟ ବାହିନୀ ମଧ୍ୟ ନିରାଶ କରିନଥିଲା। କାନ୍‌ବେରାରେ ଘରୋଇ ଅଷ୍ଟ୍ରେଲିଆକୁ ପ୍ରଥମ ପରାଜୟ ବରଣ କରିବାକୁ ବାଧ୍ୟ କରିବା ସହ ନିଜେ ମୂଳପୋଛ ହେବାର ଅପଯଶକୁ ମଧ୍ୟ ଏଡ଼ାଇଥିଲା। ଭାରତ ୩୦୩ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ୭୫ ଏବଂ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରକ ୫୯ ରନ୍ ସତ୍ତ୍ବେ ଘରୋଇ ଦଳ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୯ ରନ୍ କରି ପାରିଥିଲା। ତେବେ ପ୍ରଥମ ଦୁଇ ମ୍ୟାଚ୍‌ ଜିତିଥିବାରୁ ୨-୧ରେ ଶୃଙ୍ଖଳା ନିଜ ନାମରେ କରି ନେଇଥିଲା। ପ୍ରଥମ ଦୁଇ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଷ୍ଟିଭେନ୍ ସ୍ମିଥ୍ ଶୃଙ୍ଖଳା ଏବଂ ବୁଧବାରର ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଅସାଧାରଣ ବ୍ୟାଟିଂ କରିଥିବା ହାର୍ଦିକ ପାଣ୍ଡ୍ୟା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପାଣ୍ଡ୍ୟା-ଜାଦେଜା ପରାକ୍ରମ
ଦୀର୍ଘ ଦିନ ପରେ ଟସ୍ ଜିତିଥିବା ଅଧିନାୟକ କୋହଲି ଆଜି ଆଶା ଜନକ ଭାବେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସିଡ୍‌ନି ବିପରୀତ କାନ୍‌ବେରା ପିଚ୍ କିନ୍ତୁ ବ୍ୟାଟିଂ ପାଇଁ ସାମାନ୍ୟ କଷ୍ଟକର ଥିଲା। ଫଳରେ ୩୨ ଓଭର ସୁଦ୍ଧା ଭାରତ ଅଧା ଦଳକୁ ହରାଇ ବସିଥିଲା ବେଳେ ସ୍କୋର ବୋର୍ଡରେ ଥିଲା ମାତ୍ର ୧୫୨ ରନ୍। ଅଧିନାୟକ କୋହଲି (୬୩ ରନ୍, ୭୮ ବଲ୍, ୫ ଚୌକା) ଆଉ ଏକ ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକୀୟ ପାଳି ଖେଳିଥିଲେ। ଶ୍ରେୟସ୍ ଆୟର (୧୯) ଓ କେଏଲ୍ ରାହୁଲ (୫)ଙ୍କ ସହ ଅନ୍ୟମାନେ କିନ୍ତୁ ସେତେଟା ଭଲ ଖେଳି ପାରିନଥିଲେ। ଶେଷ ବିଶେଷଜ୍ଞ ବ୍ୟାଟର ଯୋଡ଼ି ହାର୍ଦିକ ପାଣ୍ଡ୍ୟା (୯୨* ରନ୍, ୭୬ ବଲ୍, ୭ ଚୌକା, ୧ ଛକା) ଓ ରବୀନ୍ଦ୍ର ଜାଦେଜା (୬୬ ରନ୍, ୫୦ ବଲ୍, ୫ ଚୌକା, ୩ ଛକା) କିନ୍ତୁ କମାଲ କରିଥିଲେ। ଅବିଭାଜିତ ଷଷ୍ଠ ୱିକେଟ୍‌ରେ ଉଭୟ ମାତ୍ର ୯୦ ବଲ୍‌ରୁ ୧୫୦ ରନ୍ ଯୋଡ଼ି ଭାରତ ସ୍କୋରକୁ ଅବିଶ୍ବସନୀୟ ଭାବେ ୩୦୨/୫ରେ ପହଞ୍ଚାଇ ଦେଇଥିଲେ। ପାଣ୍ଡ୍ୟା ଓ ଜାଦେଜାଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ଭାରତ ଶେଷ ୫ ଓଭରରୁ ହିଁ ୫୯ ରନ୍ ଅମଳ କରିନେଇଥିଲା। ଅତ୍ୟନ୍ତ ଦାୟିତ୍ବବାନ ବ୍ୟାଟିଂ କରିଥିବା ପାଣ୍ଡ୍ୟା ୫୫ ବଲ୍‌ରୁ ଷଷ୍ଠ ଅର୍ଧଶତକ ଅର୍ଜନ କରିଥିଲେ। ସେ ମଧ୍ୟ ଦିନିକିଆରେ ବ୍ୟକ୍ତିଗତ ସର୍ବୋଚ୍ଚ ରନ୍ ହାସଲ କରିଥିଲେ। ସେପଟେ କଙ୍ଗାରୁ ବୋଲରଙ୍କୁ ପଡ଼ିଆର ଚାରିପଟକୁ ନିର୍ଧୁମ ପ୍ରହାର କରିଥିବା ଜାଦେଜା ଦିନିକିଆରେ ତ୍ରୟୋଦଶ ଅର୍ଧଶତକ ଅର୍ଜନ କରିଥିଲେ। ସଂରକ୍ଷିତ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ଭାରତ ଆଜି ଶୁବମନ ଗିଲ୍, କୁଲଦୀପ ଯାଦବ, ସାର୍ଦୁଲ ଠାକୁର ଓ ଟି ନଟରାଜନଙ୍କ ରୂପରେ ଚାରିଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଏମାନେ ଯାଥାକ୍ରମେ ମୟଙ୍କ ଅଗ୍ରୱାଲ, ୟୁଜବେନ୍ଦ୍ର ଚହଲ, ନଭଦୀପ ସୈନି ଓ ମହମ୍ମଦ ସାମିଙ୍କ ସ୍ଥାନ ନେଇଥିଲେ। ତାମିଲନାଡୁ ଦ୍ରୁତ ବୋଲର ନଟରାଜନ ତାଙ୍କ ଦିନିକିଆ ଜୀବନ ଆରମ୍ଭ କରିଥିଲେ।

ମ୍ୟାକ୍ସୱେଲଙ୍କୁ ନେଇ ମୋଡ଼ ବଦଳାଇଲେ ବୁମ୍‌ରା
୩୦୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ଆହତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ସ୍ଥାନରେ ମାର୍ନସ ଲବୁସାନେଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇଥିଲା। ସେ କିନ୍ତୁ ମାତ୍ର ୭ ରନ୍ କରି ପାରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଷ୍ଟିଭେନ୍ ସ୍ମିଥ୍ ମଧ୍ୟ ସମାନ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଷଷ୍ଠ ଓଭରରେ ପଦାର୍ପଣକାରୀ ଟି ନଟରାଜନ ଲବୁସାନେଙ୍କୁ ନିଜ ପ୍ରଥମ ଶିକାର କରିବା ପରେ ସ୍ମିଥ୍‌ଙ୍କୁ ସାର୍ଦୁଲ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଅଧିନାୟକ ଆରୋନ ଫିଞ୍ଚ୍ କିନ୍ତୁ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ସେ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ବଡ଼ ଭାଗୀଦରି ପାଇଁ ସଂଘର୍ଷ କରିଥିଲା। ପଦାର୍ପଣକାରୀ କ୍ୟାମରନ୍ ଗ୍ରିନ୍ ୨୧, ମୋଜେସ୍ ହେନରିକ୍ସ ୨୨, ଆଲେକ୍ସ କ୍ୟାରି ୩୮ ରନ୍ କରିଥିଲେ। ଆଷ୍ଟନ୍ ଆଗର ମଧ୍ୟ ୨୮ ରନ୍‌ର ଯୋଗଦାନ ଦେଇଥିଲେ। ‌ତେବେ ମ୍ୟାକ୍ସୱେଲ୍ ପୁଣି ଥରେ ଭାରତ ପାଇଁ କାଳ ପାଲଟିଥିଲେ। ଧମାକାଦାର ବ୍ୟାଟିଂ କରି ପୁଣି ଥରେ ସେ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆଶଙ୍କା ସୃଷ୍ଟି କରିଥିଲେ। ଠିକଣା ସମୟରେ ତାଙ୍କୁ ବୋଲ୍ଡ କରି ଯଶପ୍ରୀତ ବୁମ୍‌ରା ଭାରତ ପଲ୍ଲା ଭାରି କରି ଦେଇଥିଲେ। ନିୟମିତ ବ୍ୟାବଧାନରେ ୱିକେଟ୍ ନେଇ ଭାରତୀୟ ବୋଲର କଙ୍ଗାରୁ ଦଳ ଉପରୁ ଚାପ ହଟିବାକୁ ଦେଇନଥିଲେ। ଆଦାମ ଜାମ୍ପାକୁ ବୁମ୍‌ରା ଏଲ୍‌ବିଡବ୍ଲୁ କରିବା ସହ ଅଷ୍ଟ୍ରେଲିଆ ପାଳି ୩ ବଲ୍ ପୂର୍ବରୁ ‌ଶେଷ ହୋଇ ଯାଇଥିଲା।

କାନ୍‌ବେରାରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ
ଅଷ୍ଟ୍ରେଲିଆର ରାଜଧାନୀ କାନବେରା। ଏଠାରେ କଙ୍ଗାରୁ କ୍ରିକେଟ୍ ଦଳ ପୂର୍ବରୁ କେବେ ବି ପରାସ୍ତ ହୋଇନଥିଲା। ଏହି ସହର ଓ ପିଚ୍ ଅଷ୍ଟ୍ରେଲିଆର ଅପରାଜେୟ ଗଡ଼ ହୋଇ ରହି ଆସିଥିଲା। ବୁଧବାର କିନ୍ତୁ ବିରାଟ ବାହିନୀ ଏଠାରେ ଅଷ୍ଟ୍ରେଲିଆକୁ ହରାଇବାର ଗୌରବ ଅର୍ଜନ କରିଥିଲା। ପୂର୍ବରୁ କାନବେରାରେ ଅଷ୍ଟ୍ରେଲିଆ ୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସବୁଥି‌ରେ ବିଜୟୀ ହୋଇଥିଲା। ଭାରତ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ୨୦୧୩ରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଏଠାରେ ଚାରିଟି ଦିନିକିଆ ଖେଳିଥିଲା। ଭାରତ ବିପକ୍ଷ ଏକ ବିଜୟ ସହ ଏହି ସବୁ ମ୍ୟାଚ୍‌ରେ ଘରୋଇ ଦଳ ଅପରାଜେୟ ରହିଥିଲା। ସେହିଭଳି ୨୦୧୯ରେ ଏଠାରେ ‌ଖେଳିଥିବା ଟେଷ୍ଟ୍ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଏବଂ ଗତ ନଭେମ୍ବରରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ମଧ୍ୟ କାନ୍‌ବେରା ପଡ଼ିଆରେ ଦ୍ବିତୀୟ ମ୍ୟାଚ୍ ଖେଳି ପ୍ରଥମ ବିଜୟ ପାଇଥିଲା। ତେବେ ମଜାଦାର କଥା ହେଲା ୧୯୯୧-୯୨ ଗସ୍ତ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଖେଳିଥିବା ଏକ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ଶତକ ଶୂନ୍ୟ ରହିଥିଲା। ଅର୍ଥାତ୍ ଦଳର ଜଣେ ହେଲେ ବି ଖେଳାଳି ଶତକ ଅର୍ଜନ କରି ପାରିନଥିଲେ।

ନଟରାଜନ ୨୩୨ତମ ଭାରତୀୟ ଦିନିକିଆ ଖେଳାଳି
ୟୁଏଇରେ ଆୟୋଜିତ ଚଳିତ ବର୍ଷର ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ପ୍ରତିନିଧିତ୍ବ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ବାମହାତୀ ଦ୍ରୁତ ବୋଲର ଟି ନଟରାଜନ ବୁଧବାର କାନ୍‌ବେରା ଦିନିକିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି କ୍ରମରେ ସେ ୨୩୨ତମ ଭାରତୀୟ ଏକଦିବସୀୟ ଖେଳାଳି ହୋଇଥିଲେ। ଆଜିର ଦିନିକିଆରେ ମହମ୍ମଦ ସାମିଙ୍କ ସ୍ଥାନ ନେଇଥିଲେ ସେ । ମ୍ୟାଚ୍ ପୂର୍ବରୁ ଦଳୀୟ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ଅଧିନାୟକ ବିରାଟ କୋହଲି ୨୯ ବର୍ଷୀୟ ନଟରାଜନଙ୍କୁ ଭାରତୀୟ ଟୋପି ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ଚୂଡ଼ାନ୍ତ ଦଳକୁ ସ୍ବାଗତ କରିଥିଲେ। ନିଜ ଜୀବନର ଆଦ୍ୟ ପର୍ବରେ ଏକଦା କୁଲି କାମ କରିବାକୁ ବାଧ୍ୟ ହୋଇଥିବା ତାମିଲନାଡୁର ସାଲେମ ବାସିନ୍ଦା ନଟରାଜନ ମୂଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବଛା ଯାଇଥିବା ଭାରତୀୟ ଦଳରେ ସ୍ଥାନ ପାଇନଥିଲେ। ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହେବା ପରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। କାନ୍‌ବେରାରେ ଖେଳିଥିବା ନିଜ ପଦାର୍ପଣ ଦିନିକିଆରେ ହିଁ ସେ ଛାପ ଛାଡ଼ିଛନ୍ତି। ତାମିଲନାଡୁ ପକ୍ଷରୁ ୨୦ ପ୍ରଥମ ଶ୍ରେଣୀ ଓ ୧୬ ଲିଷ୍ଟ ଏ’ ମ୍ୟାଚ୍ ଖେଳିଛନ୍ତି ନଟରାଜନ। ସେ ମଧ୍ୟ ୩୮ ଘରୋଇ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।

ସମ୍ବନ୍ଧିତ ଖବର