ବୁମରାଙ୍କ ପ୍ରଥମ ଅର୍ଧଶତକ ରଖିଲା ସମ୍ମାନ : ଭାରତ ୧୯୪, ଅଷ୍ଟ୍ରେଲିଆ ‘ଏ’ ୧୦୮

ସିଡନି : ବୋଲରଙ୍କ ପ୍ରାଧାନ୍ୟ ଭିତରେ ସିଡନିରେ ଶୁକ୍ରବାରଠାରୁ ଭାରତ-ଅଷ୍ଟ୍ରେଲିଆ ‘ଏ’ ଗୋଲାପି ବଲ୍ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହୋଇଛି। ଡିସେମ୍ବର ୧୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ଦିବାରାତ୍ର ବିଶିଷ୍ଟ ଖେଳାଯିବାକୁ ଥିବାରୁ ଏହି ମ୍ୟାଚ୍‌କୁ ଗୁରୁତ୍ବ ପ୍ରଦାନ କରାଯାଉଛି। ପ୍ରଥମ ଦିନ‌ ଖେଳରେ ବୋଲରଙ୍କ ଆଧିପତ୍ୟ ନଜରକୁ ଆସିଛି। ୨୦ ୱିକେଟ୍‌ର ପତନ କାରଣରୁ ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଯାଇଛି। ଯଶପ୍ରୀତ୍ ବୁମରା ପ୍ରଥମ ଥର ଏକ ପ୍ରଥମ‌ ଶ୍ରେଣୀ ଅର୍ଧଶତକ ହାସଲ କରିବାରୁ ଭାରତୀୟ ଏକାଦଶ ୧୯୪ ରନ୍‌ର ସମ୍ମାନଜନକ ସ୍କୋର୍‌ କରିପାରିଥିଲା। ଜବାବରେ ଘରୋଇ ଅଷ୍ଟ୍ରେଲିଆ ‘ଏ’ ନିଜ ପ୍ରଥମ ପାଳିରେ ୧୦୮ ରନ୍ କରି ସମସ୍ତ ୱିକେଟ୍ ହରାଇଛି।

ଅଜିଙ୍କ୍ୟ ରାହାଣେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ। ଦୁଇ ଟେଷ୍ଟ୍ ସ୍ପେଶାଲିଷ୍ଟ ମୟଙ୍କ ଅଗ୍ରୱାଲ (୨), ହନୁମା ବିହାରୀ (୧୫)ଙ୍କ ସହ ଅଧିନାୟକ ଅଜିଙ୍କ୍ୟ ରହାଣେ (୪), ୱିକେଟରକ୍ଷକ ଋଷବ ପନ୍ତ (୫), ଋଦ୍ଧିମାନ ସାହା (୦) ବିଫଳ ହେବାରୁ ଭାରତ ଅଡୁଆରେ ପଡ଼ିଥିଲା। ତେବେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ (୪୦, ୨୯ ବଲ୍‌) ଏବଂ ୩ ନମ୍ବରରେ ଖେଳିଥିବା ଯୁବ ତାରକା ଶୁବମନ ଗିଲ୍ (୪୩, ୫୮ ବଲ) ଭଲ ବ୍ୟାଟିଂ କରିଥିଲେ। ଏକଦା ଭାରତ ୧୨୭ ରନ୍‌ରେ ୯ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ମଝି ପଡ଼ିଆରେ ଏକାଠି ହୋଇଥିବା ଦୁଇ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା (୫୫*, ୫୭ ବଲ, ୬ ଚୌକା, ୨ ଛକା) ଏବଂ ମହମ୍ମଦ ସିରାଜ (୨୨, ୩୪ ବଲ, ୨‌ ଚୌକା, ୧ ଛକା) ଦଶମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିବାରୁ ରାହାଣେଙ୍କ ଦଳ ସମ୍ମାନ ରଖିଥିଲା। ଅଲରାଉଣ୍ଡର୍ ୱିଲ ସଦରଲାଣ୍ଡଙ୍କୁ ଛକା ମାରି ବୁମରା ନିଜ ଖେଳ ଜୀବନର ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ଘରୋଇ ଦଳ ପକ୍ଷରୁ ସିନ୍ ଆବୋଟ୍‌, ୱାଇଲ୍ଡରମଥ୍ ୩-୨ ଏବଂ କନୱେ, ଗ୍ରିନ୍‌, ସ୍ବିପସନ୍ ପ୍ରତ୍ୟେକ‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଭାରତର ୪ ଜଣିଆ ପେସ୍‌ ବାହ‌ିନୀ ଅଷ୍ଟ୍ରେଲିଆ ପାଳିକୁ ୪୮.୩ ଓଭର ଓ ୧୦୮ ରନ୍‌ରେ ସଫା କରି ଦେଇଥିଲେ। ଅଧିନାୟକ ଆଲେକ୍ସ କ୍ୟାରି ସର୍ବାଧିକ ୩୨ ରନ୍‌ କରିଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍କସ ହାରିସ୍ ୨୬ ରନ୍ କରିଥିଲେ। ଭାରତୀୟ ଦଳ ପକ୍ଷରୁ ନଭଦୀପ ସୈନି (୩/୧୯), ମହମ୍ମଦ ସାମି (୩/୨୯), ଯଶପ୍ରୀତ୍ ବୁମରା (୨/୩୩) ଏବଂ ମହମ୍ମଦ ସିରାଜ (୧/୨୬) ଘରୋଇ ଦଳର ପାଳିକୁ ଧ୍ବସ୍ତବିଧ୍ବସ୍ତ କରି‌‌ ଦେଇଥିଲେ।

ସମ୍ବନ୍ଧିତ ଖବର