ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଏବେ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଛି | ଏହି ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି । ବିଶେଷକରି ଋଷଭ ପନ୍ତ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଛକା ମାରିବାରେ ମାହିର। ପନ୍ତ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି।

Advertisment

ଏପର୍ଯ୍ୟନ୍ତ ଟେଷ୍ଟରେ ପନ୍ତ ଇଂଲଣ୍ଡ ବିପକ୍ଷରେ ୩୫ଟି ଛକା ମାରିଛନ୍ତି | ଏହି ଛକ ସହିତ ସେ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ କ୍ରିକେଟର ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ଇଂଲଣ୍ଡ ବିପକ୍ଷରେ ୩୪ଟି ଛକା ମାରିଥିଲେ। ପନ୍ତଙ୍କ ଏହି ସଫଳତାକୁ ତାଙ୍କର ଆକ୍ରମଣାତ୍ମକ ଏବଂ ନିର୍ଭୀକ ବ୍ୟାଟିଂ ଶୈଳୀର ଫଳାଫଳ କୁହାଯାଇପାରେ।

ଏହି ତାଲିକାରେ ଭାରତର ଆଉ ଦୁଇଜଣ ଯୁବ ବ୍ୟାଟସମ୍ୟାନ୍ ସାମିଲ ହୋଇଛନ୍ତି | ସେମାନେ ହେଲେ ଯଶସ୍ୱୀ ଜୟସୱାଲ୍ ଏବଂ ଶୁଭମନ ଗିଲ୍। ଏବେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଉଭୟେ ଟେଷ୍ଟ କ୍ରିକେଟ୍‌ରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି | ଜୟସୱାଲ୍ ମାତ୍ର କିଛି ମ୍ୟାଚ୍‌ରେ ୨୭ଟି ଛକା ମାରି ଜଣାଇଦେଇଛନ୍ତି ଯେ, ଆଗାମୀ ସମୟରେ ସେ ଅନେକ ରେକର୍ଡ ଭାଙ୍ଗିବେ | କ୍ରିକେଟର ଶୁଭମନ ଗିଲ୍ ମଧ୍ୟ ୨୬ଟି ଛକା ମାରି ଚର୍ଚ୍ଚାରେ ଅଛନ୍ତି |