ଦୁବାଇ: ୨୫ ବର୍ଷର ପ୍ରତିଶୋଧ ନେବ ଭାରତ । ୨୫ ବର୍ଷ ତଳେ ଯେଉଁ ଦାଗ ଲାଗିଥିଲା ସେ ଦାଗ ଏଥର ଲିଭାଇବ ଭାରତ ଆଉ ୨୫ ବର୍ଷ ତଳର ସେ ଦରଜକୁ ବି ବିଜୟର ସ୍ବାଦ ଚାଖି କମାଇବ ଭାରତ । ଏଥିପାଇଁ ପୂରା ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଆସନ୍ତା ୯ତାରିଖରେ ଦୁବାଇ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲା । ଟାଇଟଲ ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଚଳିତ ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ୟ୍ୟାୟରେ କିୱି ଦଳକୁ ମାତ୍ ଦେଇଥିଲା ଭାରତ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲ ଟପ୍ପର ଥିଲା ଇଣ୍ଡିଆ ।
ଚାମ୍ପିୟନ୍ସ ଟ୍ରଫିରେ ଭାରତ ଲଗାତାର ତୃତୀୟ ଥର ପାଇଁ ଫାଇନାଲ ଖେଳିବ । ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୦୦ ମସିହାରେ ଫାଇନାଲ ଖେଳିଥିଲା । ଫାଇନାଲରେ ଭାରତକୁ ୪ ୱିକେଟ୍ରେ ହରାଇ ଟାଇଟଲ ହାତେଇଥିଲା ନ୍ୟୁଜିଲାଣ୍ଡ । ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ଫାଇନାଲରେ ଏଣ୍ଟ୍ରି କରିଛି କିୱି ଟିମ୍ ।
ଆଉ ଆଉ ୨୫ ବର୍ଷର ବଦ୍ଲା ନେବା ପାଇଁ ପ୍ରସ୍ତୁତ ରହିଛି ରୋହିତ ବାହିନୀ । ସୁପର ସଣ୍ଡେରେ ହେବାକୁ ଥିବା ସୁପରହିଟ୍ ମୁକାବିଲାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ସେମିରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ମାତ ଦେଇଥିଲା ଭାରତ। ସେହିପରି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୦ରନରେ ହରାଇଛି ନ୍ୟୁଜିଲାଣ୍ଡ। ଭାରତ ଭଳି ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳନ ରହିଛି ।
ଶେଷ ଥର ପାଇଁ ୨୦୨୧ ଆଇସିସି ନକଆଉଟ ଟୁର୍ଣ୍ଣାମେଣ୍ଟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଗତ କିଛି ବର୍ଷର ରେକର୍ଡ ଦେଖିଲେ କିୱି ଟିମ୍ ଅପେକ୍ଷା ଭାରତର ଭଲ ପ୍ରଦର୍ଶନ ରହିଛି। ତେବେ ଫାଇନାଲରେ କଡା ଟକ୍କର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।