ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ

ନଟିଂହାମ: ବର୍ଷା ପୁଣି ଦାଉ ସାଜିଛି। ଚଳିତ ବିଶ୍ବକପ୍‌ ଉପରେ ଇନ୍ଦ୍ର ଦେବତାଙ୍କ କୋପ କମିବାର ନାଁ ଧରୁନି। ପୂର୍ବର ଦୁଇଟି ମ୍ୟାଚ୍ ଭଳି ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ମଧ୍ୟ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିଛନ୍ତି। ପଏଣ୍ଟ ତାଲିକାରେ କିନ୍ତୁ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡକୁ ପଛରେ ପକାଇ ଭାରତ ତୃତୀୟକୁ ଉଠିଛି। ଅଷ୍ଟ୍ରେଲିଆ ଦ୍ବିତୀୟରେ ରହିଛି। ତୃତୀୟ ଥର ପାଇଁ ମ୍ୟାଚ୍ ବାତିଲ ହେବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଖବର ହୋଇଛି। ସେଥିପାଇଁ ବର୍ଷର ଏହି ସମୟରେ ଇଂଲଣ୍ଡରେ କାହିଁକି ବିଶ୍ବକପ୍ ହେଉଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଗୁରୁବାର ମୁକାବିଲା ପାଇଁ ଉଭୟ ଦଳ ସଜବାଜ ହୋଇ ବସିଥିଲେ ମଧ୍ୟ ବର୍ଷା ଟସ୍ ପଡ଼ିବାର ସୁଯୋଗ ବି ଦେଇ ନଥିଲା। ପଡ଼ିଆ ଓ ଆଉଟ୍ ଫିଲ୍ଡକୁ ବାରମ୍ବାର ନୀରିକ୍ଷଣ କରିବା ପରେ ଅମ୍ପାୟାର ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୩ଟା ଏବଂ ଭାରତୀୟ ସମୟ ରାତି ସାଢ଼େ ୭ଟାରେ ମ୍ୟାଚ୍‌କୁ ବାତିଲ କରି ଦେଇଥିଲେ। ଗତ ୪୮ ଘଣ୍ଟା ହେବ ନଟିଂହାମରେ ବର୍ଷା ସହ ଘଡ଼ ଘଡ଼ି ଲାଗି ରହିଥିବାରୁ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ସତ ଚେଷ୍ଟା ସତ୍ତ୍ବେ ପିଚ୍ ଏବଂ ପଡ଼ିଆ ଖେଳ ଉପଯୋଗୀ ହୋଇ ପାରି ନଥିଲା। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଟସ୍ ପଡ଼ି ନପାରିବା ପରେ ଚଳିତ ବିଶ୍ବକପ୍ ‘ବାତିଲ ମ୍ୟାଚ୍‌ରେ’ ଆଉ ଏକ ବିଶ୍ବ କୀର୍ତ୍ତିମାନ କରିଛି। ପୂର୍ବରୁ କେବଳ ଦୁଇଟି ବିଶ୍ବକପ୍‌ରେ ପୃଥକ ପୃଥକ ଭାବେ ଦୁଇଟି ମ୍ୟାଚ୍ ବାତିଲ ହୋଇଥିଲା ବେଳେ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତିନିଟି ମ୍ୟାଚ୍ ବାତିଲ ହୋଇସାରିଲାଣି। ଏହା ପୂର୍ବରୁ ୭ ତାରିଖର ପାକିସ୍ତାନ-ଶ୍ରୀଲଙ୍କା ଏବଂ ୧୧ ତାରିଖର ବାଂଲା‌ଦେଶ-ଶ୍ରୀଲଙ୍କା ମୁକାବିଲା ବାତିଲ ହୋଇଥିଲା। ୧୦ ତାରିଖର ୱେଷ୍ଟଇଣ୍ଡିଜ୍-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଖେଳ ୭.୩ ଓଭର ପରେ ଆଉ ହୋଇ ନପାରିବାରୁ କୌଣସି ଫଳାଫଳ ମିଳି ନଥିଲା। ଚଳିତ ବିଶ୍ବକପ୍‌ର ୧୦ ଦଳ ମଧ୍ୟରୁ କେବଳ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବର୍ଷା କୋପରୁ ଏବେସୁଦ୍ଧା ବର୍ତି ରହିଛନ୍ତି। ସୂଚନାଯୋଗ୍ୟ ଯେ ଯଦି କୌଣସି ମ୍ୟାଚ୍‌ରେ ଟସ୍ ପଡ଼ି ନପାରେ ତେବେ ଏହାକୁ ‘ବାତିଲ ମ୍ୟାଚ୍‌’ର ମାନ୍ୟତା ମିଳେ। ଟସ୍ ପଡ଼ିବା ପରେ କୌଣସି କାରଣରୁ ଖେଳ ସମାପ୍ତ ‌ହୋଇ ନପାରିଲେ ତାକୁ ‘ଫଳାଫଳ ମିଳି ନଥିବା ମ୍ୟାଚ୍’ କୁହାଯାଇଥାଏ।

ଭାରତ-ପାକିସ୍ତାନ ମ୍ୟାଚ୍ ଆଶଙ୍କାରେ
ମାଞ୍ଚେଷ୍ଟରରେ ରବିବାର ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଦ୍ବାରା ପ୍ରଭାବିତ ହୋଇପାରେ। ଏଭଳି ଅନୁମାନ କରିଛି ବ୍ରିଟିସ୍ ପାଣିପାଗ ବିଭାଗ। ଆକୁୱେଦର ନାମକ ଏକ ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ମଧ୍ୟ ସମାନ ଭବିଷ୍ୟବାଣୀ କରିଛି। ମାଞ୍ଚେଷ୍ଟରରେ ରବିବାର ବର୍ଷା ହେବାର ସମ୍ଭାବନା ଅବଶ୍ୟ କମ୍ ରହିଛି। ତେବେ ପାଗ କୋହଲା ରହିବ। ୧୪ ତାରିଖ ଅର୍ଥାତ୍ ଶୁକ୍ରବାର ବର୍ଷା ହେବାର ପୂର୍ବାନୁମାନ ରହିଛି। ଶନିବାର ଓ ରବିବାର ସେଠାକାର ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆକୁୱେଦର କହିଛି। ପ୍ରଶଂସକମାନେ କିନ୍ତୁ ପୂରା ୫୦ ଓଭରିଆ ମ୍ୟାଚ୍ ଦେଖିବାକୁ ବ୍ୟାକୁଳ। ଚଳିତ ବିଶ୍ବକପ୍‌ର ତିନିଟି ମ୍ୟାଚ୍ ବର୍ଷା ପାଇଁ ସଂପୂର୍ଣ୍ଣ ବାତିଲ ହୋଇ ସାରିଥିଲା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଏହାଦ୍ବାରା ପ୍ରଭାବିତ ‌ହେଲେ ଆଇସିସି ପ୍ରଶଂସକଙ୍କଠାରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାର ଆଶଙ୍କା ଅଧିକ।

ସମ୍ବନ୍ଧିତ ଖବର