କଲମ୍ବୋ: କ୍ରିକେଟ୍ ପଡ଼ିଆରେ ଭାରତର ଅପରେସନ୍ ସିନ୍ଦୂର ଜାରି ରହିଛି। ଆଉ ଏକ ରବିବାର ଏବଂ ପାକିସ୍ତାନ ଆଉ ଥରେ ଧୂଳି ଚାଟିଛି। ପୁରୁଷ ଦଳ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଏସିଆ କପ୍ ଜିତିବାର ମାତ୍ର ଗୋଟିଏ ସପ୍ତାହ ପରେ ଭାରତୀୟ ମହିଳା ଦଳ ମଧ୍ୟ ପାକିସ୍ତାନକୁ ପଡ଼ିଆ ଭିତରେ ଚିତ୍ କରିଛି। ଚଳିତ ଏକଦିବସୀୟ ବିଶ୍ବକପ୍ର ଷଷ୍ଠ ମ୍ୟାଚ୍ରେ ଏହି ଦଳକୁ ଏକତରଫା ଭାବେ ୮୮ ରନ୍ରେ ହରାଇ ଦେଇ ନିଜ ଅପରାଜେୟ ଧାରାକୁ ଆହୁରି ଲମ୍ବିତ କରିଛି। ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ଏବେ ୧୨ଟି ଦିନିକିଆ ଖେଳି ସବୁତକ ଜିତିବାର ଅନନ୍ୟ ତଥା ଐତିହାସିକ ସଫଳତା ହାସଲ କରିଛି।
ଏହି ବହୁ ପ୍ରତୀକ୍ଷିତ ଲଢେଇରେ ହର୍ମନପ୍ରୀତ୍ କୌରଙ୍କ ଲେଡି ବାହିନୀ ପାକିସ୍ତାନ ବିପକ୍ଷରେ ୨୪୮ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ପରେ ଭାରତୀୟ ବୋଲର ନିଜ ଦମ୍ ଦେଖାଇ ପାକିସ୍ତାନକୁ ମାତ୍ର ୧୫୯ ରନ୍ରେ ଅଲଆଉଟ୍ କରି ଦେଇଥିଲେ। ଭାରତୀୟ ବୋଲର ଏମିତି ମାପଚୁପ ଓ ଶାଣିତ ବୋଲିଂ କରିଥିଲେ ଯେ ପାକିସ୍ତାନ ପାଳି ୭ ଓଭର ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା। ଅସହାୟ ପାକିସ୍ତାନର କେବଳ ତିନି ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରିଥିଲେ। ଭାଗ୍ୟ ବଳରେ ଏକାଧିକ ଜୀବନଦାନ ପାଇ ୮୧ ରନ୍ର ପାଳି ଖେଳିଥିବା ସିଦ୍ରା ଅମିନ ଆଉଟ୍ ହେବା ପରେ ପାକିସ୍ତାନ ପାଳି ତାସ୍ ଘର ଭଳି ଭୁଶୁଡ଼ି ଯାଇଥିଲା। କ୍ରାନ୍ତି ଗୌଡ଼ (୩/୨୦) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକମାନେ ପୁଣି ଥରେ ନିଜ ଜାତୀୟ ଦଳର ଖେଳାଳିଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜ ଦଳକୁ ଭୀଷଣ ଟ୍ରୋଲ୍ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପ୍ରଶଂସକ ବେଶ୍ ଉଲ୍ଲସିତ ଥିଲା ବେଳେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି।
କୋହଲା ପାଗ, ଫ୍ଲଡ୍ ଲାଇଟ୍ ତଥା ବୋଲର୍ଙ୍କୁ ସୁହାଉଥିବା ପିଚ୍ରେ ଭାରତୀୟ ଶୀର୍ଷକ୍ରମ ବ୍ୟାଟର୍ମାନେ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲେ। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତର ୮ଜଣ ବ୍ୟାଟର୍ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର୍ରେ ରୂପାନ୍ତର କରିପାରି ନଥିଲେ। ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା ଓ ପ୍ରତୀକା ରାୱଲ ପ୍ରଥମ ୱିକେଟ୍ରେ ୪୮ ରନ୍ ଯୋଡ଼ିଥିଲେ। ମନ୍ଧାନା କିନ୍ତୁ ପୁଣି ଥରେ ବିଫଳ ହୋଇ ୨୩ ରନ୍ରେ ଅଟକି ଯାଇଥିଲେ। ପ୍ରତୀକା ୩୧, ଅଧିନାୟିକା ହର୍ମନପ୍ରୀତ କୌର ୧୯ ଓ ଜେମିମା ରଡ୍ରିଗ୍ସ ୩୨ ରନ୍ ଆଗକୁ ବଢ଼ି ପାରି ନଥିଲେ। ହର୍ଲିନ ଦେଓଲ ୪୬ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଶେଷରେ ରିଚା ଘୋଷଙ୍କ (୩୫*, ୨୦ ବଲ୍, ୩ ଛକା, ୨ ଛକା) ବିସ୍ଫୋରକ ପାଳି ବଳରେ ଭାରତ ୨୪୭ ରନ୍ କରିଥିଲା। ଶେଷ ବଲ୍ରେ ଶେଷ ୱିକେଟ୍ ହରାଇ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଅଲ୍ଆଉଟ୍ ହେବାର ଆଲୋଡ଼ା ରେକର୍ଡ କରିଥିଲା।
ସଂକ୍ଷିପ୍ତ ସ୍କୋର୍:ଭାରତ ୫୦ ଓଭରରେ ୨୪୭ (ହର୍ଲିନ ଦେଓଲ ୪୬, ରିଚା ଘୋଷ ୩୫*, ଜେମିମା ରଡ୍ରିଗ୍ସ ୩୨, ଦୀପ୍ତି ଶର୍ମା ୨୫, ଡାଏଗା ବେଗ୍ ୪/୬୯, ଫତିମା ସାନା ୨/୩୮, ସାଦିଆ ଇକ୍ବାଲ୍ ୨/୪୭)। ପାକିସ୍ତାନ ୪୩ ଓଭରରେ ୧୫୯ (ସିଦ୍ରା ଅମିନ ୮୨, ନତାଲିଆ ପର୍ଭେଜ ୩୩, କ୍ରାନ୍ତି ଗୌଡ଼ ୩/୨୦, ଦୀପ୍ତି ଶର୍ମା ୩/୪୫, ସ୍ନେହ ରାଣା ୨/୩୮)।
ଆରମ୍ଭରୁ ଉଷ୍ମତା, ବିବାଦରେ ଟସ୍
ଭାରତ-ପାକିସ୍ତାନ ମ୍ୟାଚ୍ ସବୁବେଳେ ଉନ୍ମାଦ, ଉତ୍ସାହ ଓ ପ୍ରତିଦ୍ବନ୍ଦ୍ବିତପୂର୍ଣ୍ଣ ରହିଥାଏ। ରବିବାରର ବିଶ୍ବକପ୍ ମ୍ୟାଚ୍ ମଧ୍ୟ କୌଣସି ବ୍ୟତିକ୍ରମ ନଥିଲା। ଟସ୍ ପଡ଼ିଲା ବେଳୁ ହିଁ ଆଶାଜନକ ଭାବେ ନାଟକ ଆରମ୍ଭ ହୋଇଯାଇଥିଲା। ଚାପ ଏମିତି ଥିଲା ବେଳେ ବଲ୍ ଗଡ଼ିବା ପୂର୍ବରୁ ମ୍ୟାଚ୍ ରେଫରି ହିଁ ବଡ଼ ଭୁଲ୍ କରି ଦେଇଥିଲେ। ଦୁଇ ଅଧିନାୟିକା ହର୍ମନପ୍ରୀତ୍ କୌର ଓ ଫତିମା ସାନା ପଡ଼ିଆ ଭିତରକୁ ଆସିବା ପରେ ଟସ୍ ପଡ଼ିବାର ପରମ୍ପରା ଆରମ୍ଭ ହୋଇଥିଲା। ହର୍ମନପ୍ରୀତ୍ କଏନ୍ ଉପରକୁ ଫିଙ୍ଗିବା ସହ ଫତିମା ଟେଲ୍ ବୋଲି ଡାକିଥିଲେ। ହେଲେ ହେଡ୍ ପଡ଼ିଥିଲା। କିନ୍ତୁ ମ୍ୟାଚ୍ ରେଫରି ସାଣ୍ଡ୍ରେ ଫ୍ରିଜ୍ ଏହାକୁ ଶୁଣି ପାରି ନଥିଲେ। ଫତିକା ଟେଲ୍ ଡାକିଥିବା ଭାବି ତାଙ୍କୁ ଟସ୍ ବିଜୟୀ ଘୋଷଣା କରି କରିଥିଲେ। ଫତିମା ପରିସ୍ଥିତି ଓ ପରିବେଶକୁ ଆଖି ଆଗରେ ରଖି ପ୍ରଥମେ କ୍ଷେତ୍ରରକ୍ଷଣ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ଟସ୍ ଜିତିବା ସତ୍ତ୍ବେ ହର୍ମନପ୍ରୀତ୍ ବ୍ୟାଟିଂ-ବୋଲିଂ ନିଷ୍ପତ୍ତି ନେବାର ସୁଯୋଗ ହରାଇଥିଲେ। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିବା ସହ ମ୍ୟାଚ୍ ରେଫରି ଫ୍ରିଜ୍ ଭୀଷଣ ଟ୍ରୋଲ୍ର ସମ୍ମୁଖୀନ ହୋଇଥିଲେ। ତେବେ ଏହି କଥାକୁ ନେଇ ଭାରତୀୟ ଦଳ କୌଣସି ବିବାଦ ସୃଷ୍ଟି ନକରି ଖେଳୁଆଡ଼ ମନୋଭାବର ପରିଚୟ ଦେଇଥିଲା।
ହାତ ମିଳାଇଲେନି
ଭାରତୀୟ ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରି ନାହାନ୍ତି। ଚଳିତ ମହିଳା ମହିଳା ବିଶ୍ବକପ୍ର ରବିବାର ଖେଳାଯାଇଥିବା ଷଷ୍ଠ ମ୍ୟାଚ୍ରେ ଦୁଇ ଦେଶର ଅଧିନାୟିକା ପରସ୍ପରକୁ ଦେଖି ହସି ନଥିଲେ କିମ୍ବା ହାତ ମିଳାଇ ନଥିଲେ। ବରଂ ଟସ୍ ପଡ଼ିବା ପରେ ସିଧାସଳଖ ଉପସ୍ଥାପିକାଙ୍କ ପାଖକୁ ଯାଇ ସାକ୍ଷାତ୍କାର ଦେଇଥିଲେ। ଏହା କରି ପୁରୁଷ ଦଳ ଏସିଆ କପ୍ ଅବସରରେ ନେଇଥିବା କଠୋର ଅଭିମୁଖ୍ୟକୁ ଦୋହରାଇଥିଲେ। ମ୍ୟାଚ୍ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳି କିମ୍ବା ଅଧିକାରୀଙ୍କ ସହ ହାତ ମିଳାଇ ନଥିଲେ। ସୂଚନାଯୋଗ୍ୟ ଯେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତୀୟ ପୁରୁଷ ଦଳ ଏସିଆ କପ୍ରେ ହାତ ମିଳାଇ ନଥିଲେ। ଏପରିକି ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ ନକଭୀଙ୍କଠାରୁ ଟ୍ରଫି ଗ୍ରହଣ କରି ନଥିଲା।
ନୟାନ୍ତ କଲେ ଅଦିନିଆ ପୋକ
ନାଟକୀୟ ଆରମ୍ଭ ପରେ କଳା ବାଦଲର ଛାୟା ଏବଂ ଏଥିଲାଗି ପଡ଼ିଆରେ ଝଡ଼ି ପୋକଙ୍କ ଦୌରାତ୍ମ୍ୟ ଉଭୟ ଦଳର ଖେଳାଳିଙ୍କୁ ନାୟାନ୍ତ କରିଥିଲେ। ଏଥିଲାଗି ଏକାଧିକ ଥର ଖେଳ ବନ୍ଦ ରହିଥିଲା। ଆର୍ ପ୍ରେମଦାସା ଷ୍ଟାଡିୟମ୍ର ଅଧିକାରୀମାନେ ପଡ଼ିଆ ଭିତରେ କୀଟ ନିୟନ୍ତ୍ରକ ସ୍ପ୍ରେ ସିଞ୍ଚନ କରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳି ନଥିଲା। ବ୍ୟାଟର୍ ବ୍ୟାଟିଂ କରୁଥିଲା ବେଳେ ଏହି ପୋକଗୁଡ଼ିକ ସେମାନଙ୍କ ମୁଣ୍ଡ ଏବଂ ମୁହଁ ଆଗରେ ହଜାର ହଜାର ସଂଖ୍ୟାରେ ଉଡ଼ୁଥିଲେ। ସେହିଭଳି ବୋଲର ମଧ୍ୟ ଏମାନଙ୍କ ପାଇଁ ନିଜ ଏକାଗ୍ରତା ହରାଉଥିଲେ। ପାକିସ୍ତାନୀ ବୋଲରମାନେ ନିଜ ରୁମାଲରେ ବାରମ୍ବାର ସେମାନଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଥିଲା।