ବାସେଟେରେ (ସେଣ୍ଟ୍ କିଟ୍ସ): ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଘରୋଇ ୱେଷ୍ଟଇଣ୍ଡିଜ୍ ୫ ୱିକେଟ୍ରେ ଜିତି ନେଇଛି। ତା’ ସହ ୫ଟିକିଆ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଭାରତ ୬୮ ରନ୍ରେ ଜିତି ନେଇଥିଲା। ତୃତୀୟ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ସୋମବାର ରାତିର ଦ୍ବିତୀୟ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ଭାରତ ୧୩୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଇଣ୍ଡିଜ୍ ୧୯.୨ ଓଭରରେ ୫ ୱିକେଟ୍ ବିନିମୟରେ ୧୪୧ ରନ୍ କରିନେଇ ପ୍ରତୀକ୍ଷିତ ବିଜୟ ହାସଲ କରିଥିଲା। ଛୋଟିଆ ବିଜୟ ଲକ୍ଷ୍ୟ ହେବା ସତ୍ତ୍ବେ ଭାରତୀୟ ବୋଲର ମ୍ୟାଚ୍କୁ ଶେଷ ଓଭର ପର୍ଯ୍ୟନ୍ତ ନେଇ ଯାଇଥିଲେ। ଏପରିକି ୨୦ତମ ଓଭରରେ ଇଣ୍ଡିଜ୍କୁ ବିଜୟ ପାଇଁ ୧୦ ରନ୍ର ଦରକାର ଥିଲା। ହେଲେ ଆୱେଶ ଖାନ୍ ନିଜ ପ୍ରଥମ ବଲ୍କୁ ନୋ’ ବଲ୍ କରିବା ପରେ ଇଣ୍ଡିଜ୍ ଶେଷରେ ୪ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଡେଭନ୍ ଥୋମାସ ଫ୍ରି ହିଟ୍ରୁ ଛକା ଅମଳ କରିବା ପରେ ଆୱେଶଙ୍କ ଦ୍ବିତୀୟ ବଲ୍କୁ ଚୌକା ମାରି ଇଣ୍ଡିଜ୍ ବିଜୟରେ ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଓପନର ବ୍ରାଣ୍ଡନ୍ କିଙ୍ଗ୍ ୫୨ ବଲ୍ରୁ ୬୮ ରନ୍ କରି ଇଣ୍ଡିଜ୍କୁ ବିଜୟ ଆଶା ଦେଇଥିଲେ। ୧୭ ରନ୍ ବିନିମୟରେ ୬ ୱିକେଟ୍ ନେଇଥିବା ଓବେଦ ମ୍ୟାକୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ପୂର୍ବରୁ ଓବେଦ୍ ମ୍ୟାକୟଙ୍କ ଘାତକ ବୋଲିଂ (୪-୧-୧୭-୬) କାରଣରୁ ଭାରତ ଆହ୍ବାନଭରା ସ୍କୋର୍ ଦେଇ ପାରିନଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପ୍ରଥମ ବଲ୍ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ମଧ୍ୟ ବିଫଳ ହୋଇଥିଲେ। ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିବା ଭାରତ କିନ୍ତୁ ପାୱାର ପ୍ଲେ ୬ ଓଭରରେ ୩ ୱିକେଟ୍ ହରାଇ ୫୬ ରନ୍ ସଂଗ୍ରହ କରିନେଇଥିଲା। ମଧ୍ୟକ୍ରମରେ ଋଷଭ ପନ୍ତ୍ (୧୨ ବଲ୍ରୁ ୨୪ ରନ୍), ହାର୍ଦିକ ପାଣ୍ଡ୍ୟା (୩୧ ବଲରୁ ୩୧ ରନ୍), ରବୀନ୍ଦ୍ର ଜାଦେଜା (୩୦ ବଲରୁ ୨୭ ରନ୍) ସାମୟିକ ଲଢ଼ିଥିଲେ ମଧ୍ୟ ଲମ୍ବା ଖେଳିପାରିନଥିଲେ। ମ୍ୟାକୟ ନିଜ ପ୍ରଥମ ବଲ୍ରେ ରୋହିତ ଶର୍ମାଙ୍କୁ ଏବଂ ଶେଷ ବଲରେ ଭୁବନେଶ୍ବର କୁମାରଙ୍କୁ ଆଉଟ୍ କରି ପ୍ରଥମ ଥର ୫ ୱିକେଟ୍ ତଥା ଖେଳ ଜୀବନର ଶ୍ରେଷ୍ଠ (୬/୧୭) ବୋଲିଂ ଚିତ୍ର ପାଇଥିଲେ। ଜାସନ୍ ହୋଲ୍ଡର ୨, ଅକିଲ ହୁସେନ୍-ଅଲଜାରି ଯୋସେଫ୍ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ଭାରତ ୨ ବଲ୍ ପୂର୍ବରୁ ୧୩୮ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।
୩ ଘଣ୍ଟା ବିଳମ୍ବରେ ଆରମ୍ଭ
ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟ୍ବେଣ୍ଟି-୨୦ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଥିଲା। ଖେଳାଳିଙ୍କ ଖେଳ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ନପାରିବାରୁ ଏହି ମ୍ୟାଚ୍ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ମ୍ୟାଚ୍ ଦୁଇ ଘଣ୍ଟା ବିଳମ୍ବରେ ଖେଳହେବ ବୋଲି ଜଣାପଡ଼ିଥିଲା। ପରେ ଏହା ୩ ଘଣ୍ଟାରେ ବିଳମ୍ବରେ ଆରମ୍ଭ ହେବ ବୋଲି କୁହାଯାଇଥିଲା। ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍ ଭିତରେ ଦୁଇ ଦିନରେ ବ୍ୟବଧାନ ରହିବା ସତ୍ତ୍ବେ ଖେଳାଳିଙ୍କ କିଟ୍ ପହଞ୍ଚି ନପାରିବାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ବିଳମ୍ବିତ ହେବା କ୍ରିକେଟ୍ ଇତିହାସରେ କ୍ବଚିତ ଦେଖିବାକୁ ମିଳିଥାଏ। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ (ସିଡବ୍ଲ୍ୟୁଆଇ) ପାଇଁ କିନ୍ତୁ ଏହା ପ୍ରଥମ ଘଟଣା। ଏହି ଲଜ୍ଜାଜନକ ପରିସ୍ଥିତି ବିଷୟରେ ସୂଚନା ଦେବାକୁ ଯାଇ ସିଡବ୍ଲ୍ୟୁଆଇ ପ୍ରକାଶ କରିଥିବା ପ୍ରେସ୍ ବାର୍ତ୍ତାରେ କହିଥିଲା ଯେ ଆମ ନିୟନ୍ତ୍ରଣ ବାହାରେ ଥିବା କିଛି ଘଟଣା ଲାଗି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଦେଶ (ତ୍ରିନିଦାଦ ଆଣ୍ଡ ଟବାଗୋ)ରୁ ଅନ୍ୟ ଦେଶ (ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍)ରୁ କିଟ୍ ଆସିବାର ଥିବାରୁ ଏଭଳି ଘଟିଥିଲା। ସୂଚନାଯୋଗ୍ୟ ଯେ କାରବୀୟ ରାଷ୍ଟ୍ରଗୁଡ଼ିକରେ ସାଧାରଣତଃ ଛୋଟିଆ ବିମାନ ଚଳାଚଳ କରନ୍ତି। ଅନ୍ୟ ବାଣିଜ୍ୟିକ ବିମାନଗୁଡ଼ିକ ଭଳି ଓଜନିଆ କ୍ରିକେଟ୍ ଉପକରଣ ଆଣିବାର କ୍ଷମତା ଏମାନଙ୍କର ନଥାଏ। ସେଥିପାଇଁ ଏଠାରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ମାଲ ପରିବହନ ବି ଅନେକ ସମୟରେ ବିଳମ୍ବିତ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/5465da4g65da4gg65d4gd65gd.jpg)