ପର୍ଥ: ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ହିଁ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି । ଭାରତ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୦ ରନରେ ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ଦଳ ବି ଆହୁରି ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଆଜିର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ୬୭ ରନ କରିଛି ।

Advertisment

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଘାସ ଥିବା ଏହି ପିଚ୍ ପ୍ରଥମରୁ ହିଁ ପେସ ବୋଲରଙ୍କୁ ସୁହାଇଥିଲା । ଭାରତ ୫ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଦେବଦତ୍ତ ପଡ଼ିକଲ୍ଲ ବି ଖାତା ଖୋଲିପାରିନଥିଲେ । ବିରାଟ କୋହଲି ମାତ୍ର ୫ ରନ କରି ଆଉଟ ହୋଇଥିଲେ । ତେବେ ଓପନର କେଏଲ ରାହୁଲ ୨୬ ରନ, ଋଷଭ ପନ୍ତ ୩୭ରନ ଓ ନିକେଶ ରେଡ୍ଡୀ ୪୧ ରନ କରିଥିଲେ । ଭାରତ ୧୫୦ ରନ କରି ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜଲଉଡ ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ, ମିଚେଲ ମାର୍ସ ଓ ପାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଭାରତପରେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଅଷ୍ଟ୍ରେଲିଆ ଦଳ ବି ଭାରତୀୟ ବୋଲରଙ୍କ ମୁକାବିଲା କରିପାରିନଥିଲା । ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ୬୭ ରନ କରିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓ ହର୍ଷିତ ରାଣା ଗୋଟିଏ ଓ୍ବିକେଟ୍ ନେଇଥିଲେ ।