ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ର ଦ୍ୱିତୀୟ ଦିନ ସମ୍ମାନରେ ମଧ୍ୟ ସମାନ ଭାଗ ପକାଇଛି ଉଭୟ ଦଳ। ଘରୋଇ ଦଳକୁ ୩୩୫ ରନ୍ରେ ସୀମିତ ରଖିବାରେ ଭାରତୀୟ ବୋଲର ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ରବିବାର ଖେଳ ଶେଷ ବେଳକୁ ୫ ଓ୍ଵିକେଟ୍ରେ ୧୮୩ ରନ୍ ସଂଗ୍ରହ କରି ଆଶା ଓ ଆଶଙ୍କା ଭିତରେ ରହିଛି ଭାରତ। କୋହଲି (୮୫*, ୧୩୦ ବଲ୍, ୮ ଚୌକା) ଏକା ସାହା ଥିବାବେଳେ ପ୍ରଥମ ପାଳିରେ ଭାରତ ତଥାପି ୧୫୦ ରନ୍ ପଛରେ ରହିଛି। ସୁପର ସ୍ପୋର୍ଟସ ପାର୍କରେ ଦକ୍ଷିଣ ଆଫ୍ରିକା ରବିବାର ୨୬୯/୬ରୁ ଖେଳିଥିଲା। କେଶବ ମହାରାଜ (୧୮, ୫୪ ବଲ୍, ୩ ଚୌକା)ଙ୍କୁ ମହମ୍ମଦ ସାମି ଓ୍ଵିକେଟ ପଛପଟେ ପାର୍ଥିବ ପଟେଲଙ୍କ ହାତରେ କ୍ୟାଚ୍ କରାଇନେବା ଫଳରେ ଘରୋଇ ଦଳ ୨୮୨ରେ ସପ୍ତମ ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ଫାପ୍ ଡୁ ପ୍ଲେସିସ୍ (୫୩*, ୧୪୨ ବଲ୍, ୯ ଚୌକା) କିନ୍ତୁ ଆଉ ଦୁଇଟି ଭାଗୀଦାରିରେ ୫୧ ରନ୍ ଯୋଡ଼ି ନେଇଥିଲେ। ଏଥିରେ ରବାଦାଙ୍କ ଅବଦାନ ଥିଲା ସର୍ବାଧିକ ୧୧ ରନ୍। ରବାଦା ଏବଂ ଡୁ ପ୍ଲେସିସ୍ଙ୍କୁ ଲଗାତାର ଓଭରରେ ଆଉଟ୍ କରି ଈଶାନ୍ତ ଶର୍ମା ୩ ଓ୍ଵିକେଟ୍ ସଫଳତା ପାଇଥିଲେ। ଶେଷକୁ ମର୍ନି ମର୍କେଲଙ୍କୁ ଅଶ୍ୱିନ୍ ସ୍ୱିପର୍ କଭରରେ ମୁରଲୀ ବିଜୟଙ୍କ ହାତରେ ଧରାଇ ଦକ୍ଷିଣ ଆଫ୍ରିକା ପାଳିରେ ଶେଷ ରେଖା ଟାଣିଥିଲେ। ଅଶ୍ୱିନ୍ ସର୍ବାଧିକ ୪ ଏବଂ ଈଶାନ୍ତ ୩ ଓ୍ଵିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ରବିବାର ୨୩.୫ ଓଭର ଖେଳି ୬୬ ରନ୍ ଯୋଡ଼ି ଶେଷ ୪ ଓ୍ଵିକେଟ୍ ହରାଇଥିଲା।
ଜବାବରେ ଭାରତ ଭଲ ଆରମ୍ଭ କରିଥିଲା। ମୁରଲୀ ବିଜୟ ଏବଂ ଲୋକେଶ ରାହୁଲ ଦଶମ ଓଭରରେ ଅଲଗା ହୋଇଥିଲେ। ପ୍ରତ୍ୟାବର୍ତନ କରିଥିବା ରାହୁଲ ମାତ୍ର ୧୦ ରନ୍ କରିଥିବାବେଳେ ମର୍ନି ମର୍କେଲଙ୍କୁ ଲେଉଟାଣୀ କ୍ୟାଚ୍ ଦେଇ ଫେରି ଆସିଥିଲେ। ପରବର୍ତୀ ବଲ୍ରେ ଭାରତକୁ ବଡ଼ ଝଟ୍କା ଲାଗିଥିଲା। ପ୍ରଥମ ବଲ୍ରୁ ଏକ ରନ୍ ଚୋରାଇବାକୁ ଯାଇ ରନ୍ ଆଉଟ୍ ହୋଇଯାଇଥିଲେ। ମିଡ୍ ଅନ୍ରୁ ଆସିଥିବା ଏନଗିଡିଙ୍କ ଥ୍ରୋ ପୂଜାରାଙ୍କୁ ପ୍ୟାଭିଲିଅନ୍ ଫେରିଯିବାକୁ ବାଧ୍ୟ କରିଥିଲା। ଭାରତ ୨୮/୨ରେ ସଂଘର୍ଷ କରିବା ପରେ ମୁରଲୀ ବିଜୟ ଏବଂ ବିରାଟ କୋହଲି ତୃତୀୟ ଓ୍ଵିକେଟ୍ ପାଇଁ ୭୯ ରନ୍ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଏକ କଟ୍ ସଟ୍ ଖେଳିବାକୁ ଯାଇ ବିଜୟ କ୍ୱିଣ୍ଟନ୍ଙ୍କ ଗ୍ଲୋଭ୍ସରେ ଧରାପଡ଼ିଥିଲେ। ରୋହିତ ଶର୍ମା (୧୦)ଙ୍କୁ ରବାଦା ଓ୍ଵିକେଟ୍ ଆଗରେ ଏଲ୍ବି କରାଇ ନେଇଥିଲେ। ରିଭ୍ୟୁ କରି ହାର ମାନିଥିଲା ଭାରତ। ଶେଷକୁ ଅଫ୍ ଷ୍ଟମ୍ପ୍ ବାହାର ବଲକୁ ଠେଲି ପାର୍ଥିବ ପଟେଲ୍ (୧୯) ତାଙ୍କ ପ୍ରତ୍ୟାବର୍ତନ ପାଳିକୁ ଦାୟିତ୍ୱହୀନ ସଟ୍ରେ ଶେଷ କରିଥିଲେ। ପାର୍ଥିବଙ୍କ ରୂପରେ ପଦାର୍ପଣକାରୀ ଏନ୍ଗିଡିଙ୍କୁ ମିଳିଥିଲା ପ୍ରଥମ ଟେଷ୍ଟ୍ ଓ୍ଵିକେଟ୍। ଭାରତ ୧୬୪/୫ରେ ସଂଘର୍ଷ କରିବା ପରେ ହାର୍ଦିକ ପାଣ୍ଡ୍ୟା (୧୧*)ଙ୍କୁ ସାଥୀ କରି କୋହଲି (୮୫*) ଭାରତର ଶେଷ ସଂଗ୍ରାମ ଜାରି ରଖିଛନ୍ତି।
୧୦୦ ଓ୍ଵିକେଟ୍ କ୍ଲବ୍ରେ ସାମି
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍ରେ ୧୦୦ ଓ୍ଵିକେଟ୍ ପୂରଣ କରିଛନ୍ତି। ରବିବାର କେଶବ ମହାରାଜଙ୍କୁ ପାର୍ଥିବ ପଟେଲଙ୍କ ହାତରେ କ୍ୟାଚ୍ କରାଇ ସାମି ଟେଷ୍ଟ ଓ୍ଵିକେଟ୍ ଦଖଲରେ ଶତକୀୟ ମାଇଲଖୁଣ୍ଟ ଛୁଇଁଥିଲେ। ଏଭଳି ସଫଳତା ପାଇବାରେ ବେଙ୍ଗଲୀ ତାରକା ସାମି ସପ୍ତମ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ କପିଳ ଦେବ, ଜାହିର ଖାନ୍, ଜଭଗଲ୍ ଶ୍ରୀନାଥ, ଈଶାନ୍ତ ଶର୍ମା, କର୍ଷଣ ଘାବରି ଓ ଇର୍ଫାନ୍ ପଠାନ୍ ଏହି କ୍ଲବ୍ର ସଦସ୍ୟ ରହିଥିଲେ। ୨୦୧୩ ନଭେମ୍ବରରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ରେ େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ସାମି ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ କେପ୍ଟାଉନ୍ ଟେଷ୍ଟରେ ୩ ଓ୍ଵିକେଟ୍ ନେଇ ୯୯ରେ ପହଞ୍ଚିଥିଲେ। ସାମି ୨୯ ଟେଷ୍ଟରେ ଏହି ସଫଳତା ପାଇଥିଲା ବେଳେ ବିଶେନ୍ ସିଂହ ବେଦୀ, ଦିଲୀପ ଦୋଶୀ ଓ ଇର୍ଫାନ୍ ପଠାନ୍ଙ୍କଠାରୁ ଗୋଟିଏ ଟେଷ୍ଟ ଅଧିକ ଖେଳିଛନ୍ତି। ତେବେ ସାମିଙ୍କ ଏବର ଦଳୀୟ ସାଥୀ ରବିଚନ୍ଦ୍ରନ୍ ଅଶ୍ୱିନ୍ ହିଁ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ ଓ୍ଵିକେଟ୍ ଅକ୍ତିଆର କୀର୍ତିମାନ ରଖିଛନ୍ତି। ଅଶ୍ୱିନ୍ ୧୮ ଟେଷ୍ଟରୁ ୧୦୦ ପୂରଣ କରିଥିଲେ। ଅଶ୍ୱିନ୍ଙ୍କ ପଛକୁ ଦ୍ୱିତୀୟ ଦ୍ରୁତତମ ୧୦୦ ଓ୍ଵିକେଟ୍ ନେବାର ସଫଳତା ଏରାପଲ୍ଲୀ ପ୍ରସନ୍ନା (୨୦ ଟେଷ୍ଟ)ଙ୍କ ନାମରେ ରହିଥିଲା ବେଳେ ଅନିଲ କୁମ୍ବଲେ (୨୧), ସୁଭାଷ ଗୁପ୍ତେ, ବିଏସ୍ ଚନ୍ଦ୍ରଶେଖର ଓ ଓଡ଼ିଆ ତାରକା ପ୍ରଜ୍ଞାନ ଓଝା (ପ୍ରତ୍ୟେକ ୨୨), ବିନୁ ମଙ୍କଡ (୨୩), କପିଳ ଦେବ ଓ ହରଭଜନ ସିଂହ (ଉଭୟେ ୨୫) ପଛକୁ ପଛ ରହିଛନ୍ତି।
ଅଶ୍ୱିନ୍ଙ୍କ ବିରଳ କୃତିତ୍ୱ
ସେଞ୍ଚୁରିଅନରେ ୪ ଓ୍ଵିକେଟ୍ ଅକ୍ତିଆର କରିବା ପରେ ଅଶ୍ୱିନ୍ ଏକ ବିରଳ କୃତିିତ୍ୱର ଅଧିକାରୀ ହୋଇଛନ୍ତି। ପଡ଼ିଆର ପ୍ରଥମ ପାଳିରେ ଦ୍ୱିତୀୟ ଶ୍ରେଷ୍ଠ ସ୍ପିନର୍ ଭାବେ ଅଶ୍ୱିନ୍ ଏହି ସଫଳତା ପାଇଛନ୍ତି। ୨୦୦୯ରେ ଗ୍ରେମ୍ ସ୍ୱାନ୍ ୫ ଓ୍ଵିକେଟ୍ ନେଇଥିଲେ। େଓ୍ଵଷ୍ଟଇଣ୍ଡିଜ୍ ଓ ଜିମ୍ବାେଓ୍ଵକୁ ବାଦ୍ ଦେଇ ଏସିଆ ବାହାରେ ଅଶ୍ୱିନ୍ଙ୍କ ଏହା ଦ୍ୱିତୀୟ ୪ ଓ୍ଵିକେଟ୍ ସଫଳତା। ୨୦୧୪-୧୫ରେ ଅଶ୍ୱିନ୍ ମେଲବର୍ନରେ ୪/୧୦୫ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ମୋଟ ୧୧ ଟେଷ୍ଟ୍ ଖେଳିଥିବା ଅଶ୍ୱିନ୍ ଆଦୌ ୫ ଓ୍ଵିକେଟ୍ ନେଇ ନାହାନ୍ତି। ଅନ୍ୟପକ୍ଷରେ ୧୦୬ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସ୍ପିନ୍ରଙ୍କ ଜରିଆରେ ପ୍ରଥମ ପାଳି ବୋଲିଂ ଆରମ୍ଭ କଲା। କେଶବ ମହାରାଜ ଏ କ୍ଷେତ୍ରରେ ତୃତୀୟ ଦକ୍ଷିଣ ଆଫ୍ରିକୀୟ ହୋଇଛନ୍ତି। ୧୮୯୬ ଏବଂ ୧୯୦୨ରେ ସ୍ପିନର ଜର୍ଜ ରୋେଓ୍ଵ ଦୁଇ ଥର ଏଭଳି ଆରମ୍ଭ କରିଥିଲା। ଶେଷ ଥର ପାଇଁ ୧୯୧୨ରେ ଓଲ୍ଡ ଟ୍ରାଫୋର୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଆବ୍ରେ ଫକ୍ନର୍ ବୋଲିଂ ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/24-Kohli.jpg)