କୋହଲି-ରାହାଣେଙ୍କ ଶତକୀୟ ଭାଗୀଦାରି

ଭାରତ ୧୮୫/୩

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତ ବୃହତ ଅଗ୍ରଣୀ ପଥରେ ଅଗ୍ରସର ହୋଇଛି। ବିରାଟ କୋହଲି ବାହିନୀର ପ୍ରଥମ ପାଳି ସ୍କୋର ୨୯୭ ରନ୍‌ ଜବାବରେ ୱେଷ୍ଟ୍‌ଇଣ୍ଡିଜ୍ ୨୨୨ ରନ୍ କରିଛି। ଈଶାନ୍ତ ଶର୍ମାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ପ୍ରଥମ ପାଳିରେ ୭୫ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମଧ୍ୟ ହାସଲ କରିଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୧୮୫ ରନ୍ କରି ମୋଟ ଉପରେ ୨୬୦ ରନ୍‌ରେ ଅଗ୍ରଣୀ ନେଇ ସାରିଥିଲା। ମୟଙ୍କ ଅଗ୍ରୱାଲ, କେଏଲ୍ ରାହୁଲ, ଚେତେଶ୍ବର ପୂଜାରା ଆଉଟ୍ ହୋଇଥିବାବେ‌େଳ ଅଧିନାୟକ-ଉପ ଅଧିନାୟକ ଯୋଡ଼ି ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଶତକୀୟ ଭାଗୀଦାରି କରି ଅପରାଜିତ ଅଛନ୍ତି।
ଶନିବାର ତୃତୀୟ ଦିବସ ସକାଳେ ୧୮୯/୮ରୁ ଖେଳିଥିବା ୱେଷ୍ଟଇଣ୍ଡିଜ୍‌ ପାଇଁ ଅଧିନାୟକ ଜାସନ୍ ହୋଲଡର୍ (୩୯, ୬୫ ବଲ, ୫ ଚୌକା) ଏବଂ ମିଗୁଏଲ୍‌ କମିନ୍ସ (୦, ୪୫ ବଲ) ଅସୀମ ଧୈର୍ଯ୍ୟ ଦେଖାଇଥିଲେ। ଏହି ଅବସରରେ ଭାରତ ଦୁଇ ଥର ରିଭ୍ୟୁରେ ବିଫଳ ‌ହୋଇଥିଲା। ଶେଷକୁ ମହମ୍ମଦ ସାମିଙ୍କ ବୋଲିଂରେ ହୋଲ୍‌ଡର ୱିକେଟ୍ ପଛପଟେ ଋଷବ ପନ୍ତ୍‌ଙ୍କ ଗ୍ଲୋଭସରେ ଧରାପଡ଼ିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ୪୧ ରନ୍‌ ଭାଗୀଦାରି ମଧ୍ୟ ଭାରତକୁ ସାମୟିକ ଭାବେ ନିରାଶ କରିଥିଲା। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଦେଜାଙ୍କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମିଗୁଏଲ୍ କମିନ୍ସ। ଟେଷ୍ଟ୍ କ୍ରିକେଟ୍‌ରେ ସର୍ବାଧିକ ବଲ୍ ଖେଳିବା ପରେ ଏହା ଥିଲା ପଞ୍ଚମ ଦୀର୍ଘତମ ଶୂନ। ପୂର୍ବରୁ ଜିଓଫ ଆଲଟ (୭୭ ବଲ), ଜେମ୍ସ ଆଣ୍ଡରସନ୍‌ (୫୫ ବଲ୍), ରିଚାର୍ଡ ଏଲିସନ୍‌ (୫୨ ବଲ୍‌), ପିଟର୍ ସଚ୍‌ (୫୧ ବଲ୍‌) ଲମ୍ବା ସମୟ ବ୍ୟାଟିଂ କରିଥିଲେ ମଧ୍ୟ ଶୂନ୍ୟରେ ଆଉଟ୍ ହେବାର କୀର୍ତିମାନ ରଖିଥିଲେ। ଇଣ୍ଡିଜ୍ ଖେଳାଳିଙ୍କ ମଧ୍ୟରେ କିଥ୍ ଆଥରଟନ୍‌ (୪୦ ବଲ ବନାମ ଇଂଲଣ୍ଡ, ୧୯୯୫)ଙ୍କ ନାମରେ ଥିବା କୀର୍ତ୍ତିମାନକୁ କମିନ୍ସ କାଟିଥିଲେ।
ପ୍ରଥମ ପାଳିର ୭୫ ରନ୍ ଅଗ୍ରଣୀ ପରେ ଭାରତ ଦ୍ବିତୀୟ ପାଳି ଖେଳିଥିଲା। ପ୍ରାରମ୍ଭିକ‌ ଯୋଡ଼ି ମୟଙ୍କ ଅଗ୍ରୱାଲ (୧୬, ୪୩ ବଲ) ଏବଂ କେଏଲ୍ ରାହୁଲ (୩୮, ୮୫ ବଲ) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ଼ ପାଳିରେ ପରିଣତ କରିପାରିନଥଲେ। ଚେତେଶ୍ବର ପୂଜାରା (୨୫, ୫୩) ପ୍ରଥମ ପାଳି ବିଫଳତାକୁ ଭରଣା କରିପାରିନଥିଲେ। ୮୧ ରନ୍‌ରେ ଭାରତ ୩ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଏକାଠି ହୋଇଥିବା ଅଧିନାୟକ-ଉପ ଅଧିନାୟକ‌ ଯୋଡ଼ି ବିରାଟ କୋହଲି (୫୧*, ୧୧୧ ବଲ, ୨ ଚୌକା) ଏବଂ ଅଜିଙ୍କ୍ୟ ରାହାଣେ (୫୩*, ୧୪୦ ବଲ, ୩ ଚୌକା) ଅତୁଟ ଶତକୀୟ (୧୦୪*) ଭାଗୀଦାରି କରି ଭାରତର ଅଗ୍ରଣୀକୁ ୨୬୦ରେ ପହଞ୍ଚାଇ ଦେଇଛନ୍ତି। ରାହାଣେ ଉଭୟ ପାଳିରେ ଅର୍ଧଶତକ ଟପିବାର ଉଲ୍ଲେଖନୀୟ କୃତିତ୍ବ ଅର୍ଜନ କରିଛନ୍ତି।
ଶୁକ୍ରବାର ଉଭୟ ବ୍ୟାଟିଂ, ବୋଲିଂ ଏବଂ ଫିଲଡିଂରେ କମାଲ କରିଥିଲେ ଈଶାନ୍ତ ଶର୍ମା। ଜାଜେଦାଙ୍କ ସହିତ ଅଷ୍ଟମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିବା ପରେ ନିଜ ୯୧ତମ ଟେଷ୍ଟ୍‌ରେ ନବମ ଥର ୫ ୱିକେଟ୍ ସଫଳତା ପାଇଥିଲେ। ସେ ନିଜ‌ ବୋଲିଂରେ ନେଇଥିବା ଦୁଇଟି କ୍ୟାଚ୍‌ ସବୁଠାରୁ ଚର୍ଚାକୁ ଆସିଥିଲା।
-ସଂକ୍ଷିପ୍ତ ସ୍କୋର-
ଭାରତ ପ୍ରଥମ ପାଳି: ୨୯୭। ‌ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୨୨୨। ଭାରତ ଦ୍ବିତୀୟ ପାଳି: ୭୨ ଓଭରରେ ୧୮୫/୩ (‌କେଏଲ୍ ରାହୁଲ-୩୮, ମୟଙ୍କ ଅଗ୍ରୱାଲ-୧୬, ତେତେଶ୍ବର ପୂଜାରା-୨୫, ବିରାଟ କୋହଲି-୫୧*, ଅଜିଙ୍କ୍ୟ ରାହାଣେ-୫୩*, ରସ୍ତନ ଚେଜ୍‌-୨/୬୯, କେମାର ରୋଚ୍‌-୧/୧୮)।

ସମ୍ବନ୍ଧିତ ଖବର