ସାହା ହେଲେ ସୁନ୍ଦର-ସାର୍ଦୁଳ: ଭାରତ ପ୍ରଥମ ପାଳି ୩୩୬

ଠାକୁରଙ୍କୁ ନେଇ ସୁନ୍ଦରଙ୍କ ଶତକ, ଶତକୀୟ ଭାଗୀଦାରିକୁ ଭୁରିଭୁରି ପ୍ରଶଂସା

ବ୍ରିସ୍‌ବେନ୍‌: ବୋଲର ଭାବେ ଜଣାଶୁଣା ଥିଲେ, ବ୍ୟାଟ୍ସମ୍ୟାନ୍ ଭଳି ଖେଳିଲେ। ବୋଲର୍‌ଙ୍କୁ ବି ଭଲ ବ୍ୟାଟିଂ ଜଣା ଏହା ପ୍ରମାଣ କରିଦେଲେ। ଭାରତୀୟ କ୍ରିକେଟ୍‌ର ଦୁଇ ଉଦୀୟମାନ ଟେଷ୍ଟ୍‌ ଖେଳାଳି ସାର୍ଦୁଳ ଠାକୁର ଏବଂ ୱାସିଂଟନ୍ ସୁନ୍ଦର ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନର ସାହସ ଓ ‌ଧୈର୍ଯ୍ୟ ଦେଖାଇ ଦଳ ଉପରକୁ ମାଡି ଆସୁଥିବା ଆସନ୍ନ ବିପଦକୁ ବି ଏକ ପ୍ରକାର ହଟାଇ ଦେଲେ। ବଡ଼ ତଥା ଅଭିଜ୍ଞମାନେ ଫସର ଫାଟି ଯାଇଥିବା ବେଳେ ଛୋଟ ତାରକାଙ୍କ କାନ୍ଧରେ ଚଢ଼ି ଭାରତ ବି ଚଳିତ ଗାବା ଟେଷ୍ଟ୍‌ ଆଶାର କିରଣ ଦେଖିଛି। ପ୍ରାଧାନ୍ୟ ବିସ୍ତାର କରି ଆସୁଥିବା ଘରୋଇ କଙ୍ଗାରୁ ‌ସେନା ସୁଯୋଗ ଛାଡ଼ି ବ୍ୟାକ୍‌ଫୁଟ୍‌ରେ ରହିଛି। ଭାରତ ପ୍ରଥମ ପାଳିରେ ୩୩୬ ରନ୍ କରିବା ପରେ ଅଷ୍ଟ୍ରେଲିଆ ତୃତୀୟ ଦିନ ଖେଳ ଶେଷ ବେଳକୁ କୌଣସି ୱିକେଟ୍ ନ ହରାଇ ୨୧ ରନ୍ କରିଥିବାରୁ ମୋଟ ଉପରେ ୫୪ ରନ୍‌ରେ ଆଗୁଆ ରହିଛି।

ଠାକୁରଙ୍କୁ ନେଇ ସୁନ୍ଦରଙ୍କ ଶତକ
ଭାରତୀୟ ଦଳ ରବିବାର ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ୬୨/୨ରୁ। ଅଧିନାୟକ ଅଜିଙ୍କ୍ୟ ରାହାଣେ (୩୭, ୯୩ ବଲ୍‌) ଏବଂ ଉପଅଧିନାୟକ ଚେତେଶ୍ବର ପୂଜାରା (୨୫, ୯୪ ବଲ୍‌) ପାଖାପାଖି ସମାନ ବଲ୍‌ ଖେଳିଥିଲେ ମଧ୍ୟ ଲମ୍ବା ପାଳିରେ ରୂପାନ୍ତର କରିପାରିନଥିଲେ। ଜୋସ୍ ହାଜେଲଉଡ୍ ଏବଂ ମ‌ିଚେଲ୍‌ ଷ୍ଟାର୍କ ମଧ୍ୟାହ୍ନ ଭୋଜନ ପୂର୍ବରୁ ଉଭୟଙ୍କୁ ଆଉଟ୍ କରି ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ଭାରତ ମଧ୍ୟ ଦୁଇଟି ୱିକେଟ୍ ହରାଇଥିଲା। ସମାନ ପରିସ୍ଥିତିରେ ଜମିଯିବା ପରେ ମୟଙ୍କ ଅଗ୍ରୱାଲ୍ (୩୮, ୭୫ ବଲ୍‌) ଏବଂ ଋଷବ ପନ୍ତ୍ (୨୩, ୨୯ ବଲ୍‌) ମଧ୍ୟ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଭାରତ ଏକଦା ୧୮୬/୬ରେ ପହଞ୍ଚିଯିବାରୁ ବିପଦ ଘନେଇ ଆସିଥିଲା। ଏହି ସମୟରେ କିନ୍ତୁ ଏକାଠି ହୋଇଥିଲେ ଦୁଇ ଅନଭିଜ୍ଞ ଟେଷ୍ଟ୍‌ ଖେଳାଳି। ପଦାର୍ପଣକାରୀ ବାମହାତୀ ଅଲରାଉଣ୍ଡର୍‌ ୱାସିଂଟନ୍ ସୁନ୍ଦର ଏବଂ ଦ୍ବିତୀୟ ଟେଷ୍ଟ୍‌ ଖେଳୁଥିବା ସାର୍ଦୁଲ ଠାକୁର। ଚାପ ଆଗରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ଅଷ୍ଟ୍ରେଲୀୟ ବୋଲରଙ୍କୁ ପ୍ରତି ଆକ୍ରମଣ କରି ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିଦେଇଥିଲେ। ଧୈର୍ଯ୍ୟ, ସଞ୍ଜମତା ସହିତ ନିଜ ନିଜ ବ୍ୟାଟିଂ ସାମର୍ଥ୍ୟର ଭରପୁର ନିଦର୍ଶନ ଦେଖାଇଥିଲେ ଗାବା ପଡିଆରେ। ନିଜ ନିଜ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ସହ ସପ୍ତମ ୱିକେଟ୍ ପାଇଁ ମହତ୍ତ୍ବପୂର୍ଣ୍ଣ ୧୨୩ ରନ୍‌ ଯୋଡ଼ିଥିଲେ। ବିଶ୍ବସ୍ତରୀୟ ବୋଲିଂକୁ ଧୂଳିସାତ୍‌ କରିବା ପରେ ଗାବା ଟେଷ୍ଟ୍‌ର ଗତିପଥ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ନାଥନ୍ ଲାୟନଙ୍କୁ ଛକା ମାରି ଅଭିଯାନ ଆରମ୍ଭ କରିଥିବା ଠାକୁର ମଧ୍ୟ ଆଉ ଏକ ଛକା ସହିତ ଷ୍ଟାଇଲରେ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ପ୍ୟାଟ୍ କମିନ୍ସ ତାଙ୍କ ଅଫ୍‌ଷ୍ଟମ୍ପ୍‌ ଉଖାଡ଼ିବା ପୂର୍ବରୁ ଠାକୁର ୧୧୫ ବଲ୍‌ ଖେଳି ୯ ଚୌକା, ୨ ଛକା ସହ ବହୁମୂଲ୍ୟ ୬୭ ରନ୍ କରିଥିଲେ। ଅଧିକ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରିଥିବା ସୁନ୍ଦରଙ୍କ ପାଳି ଷ୍ଟାର୍କ ଶେଷ କରିଥିଲେ। ୧୪୪ ବଲ୍‌ ଖେଳି ୭ ଚୌକା ଓ ୧ ଛକା ସହିତ ୬୨ ରନ୍ କରିଥିଲେ ଏହି ତାମିଲନାଡୁ ବାମହାତୀ। ଉଭୟ ନିଜ ନିଜ ପ୍ରଥମ ଅର୍ଦ୍ଧଶତକକୁ ସ୍ମରଣୀୟ ରଖିବାର ବଡ଼ ଅବକାଶ ପାଇଥିଲେ।

ପନ୍ତ ପ୍ରଥମ ଥର ପଚିଶ ତଳେ
ଅଷ୍ଟ୍ରେଲିଆ ମାଟିରେ ଋଷବ ପନ୍ତ୍‌ ପ୍ରଥମ ଥର ପାଇଁ ୨୫ ରନ୍‌ ପୂର୍ବରୁ ଆଉଟ୍ ହୋଇଛନ୍ତି। ନିଜ ୧୬* ଟେଷ୍ଟ୍‌ ଓ ୨୬ ପାଳି ମଧ୍ୟରୁ ୧୦ଟି ସେ ଅଷ୍ଟ୍ରେଲିଆରେ‌ ଖେଳିଥିବା ବେଳେ ରବିବାର ୨୩ ରନ୍‌ରେ ଆଉଟ୍ ହୋଇଥିଲେ। ହାଜେଲଉଡ୍‌ଙ୍କ ବୋଲିଂରେ ଗ୍ରିନ୍‌ ନେଇଥିଲେ କ୍ୟାଚ୍। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ପନ୍ତ୍‌ ୧୫୯*, ୯୭, ୩୯, ୩୬, ୩୬, ୩୩, ୩୦, ୨୯, ୨୮ ରନ୍‌ କରିଥିଲେ।

ଶତକୀୟ ଭାଗୀଦାରିକୁ ଭୁରିଭୁରି ପ୍ରଶଂସା
ମରାଠି ଶବ୍ଦ ଲେଖିଲେ କୋହଲି

ଦୁଇଟି ବ୍ୟକ୍ତିଗତ ଅର୍ଦ୍ଧଶତକ ଓ ଗୋଟିଏ ଦଳଗତ ଶତକୀୟ ଭାଗୀଦାରି ଗାବା ଟେଷ୍ଟ୍‌ର ମୋଡ ବଦଳାଇ ଦେଇଥିବାରୁ ବିଭିନ୍ନ ମହଲରୁ ସାର୍ଦୁଳ ଠାକୁର ଓ ୱାସିଂଟନ୍ ସୁନ୍ଦରଙ୍କୁ ପ୍ରଶଂସାରେ ପୋତି ଦିଆଯାଇଛି। ଉଭୟ ଭାରତ ଓ ଅଷ୍ଟ୍ରେଲିଆର‌ ଖେଳାଳିମାନେ ପ୍ରଶଂସା କରିଛନ୍ତି।
।ବାରବାଟୀକୁ ମନେ ପକାଇଲେ
ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଟ୍ବିଟ୍‌ରେ ଲେଖିଥିଲେ, ‘ସୁନ୍ଦର ଓ ଠାକୁରଙ୍କ ବିଶ୍ବାସ ଓ ପ୍ରୟୋଗ ଉଲ୍ଲେଖନୀୟ। ଏହାକୁ ହିଁ କହନ୍ତି ଟେଷ୍ଟ୍‌ କ୍ରିକେଟ୍‌। ୱାସି (ସୁନ୍ଦର) ବଡ଼ ଆତ୍ମସଞ୍ଜମୀ, ଠାକୁରଙ୍କୁ ପୁଣି ସଲାମ’। ନିଜ ଟ୍ବିଟ୍‌‌ ଶେଷ ଭାଗରେ କୋହଲି ମାରାଠିରେ ଲେଖିଥିଲେ ‘ଟୁଲା ପରାଟ ମାନଲାରେ ଠାକୁର’ ଯାହାର ଅର୍ଥ ହେଉଛି ‘ଠାକୁର ତୁମକୁ ପୁଣି ସଲାମ’। କୋହଲିଙ୍କ ମରାଠି ଶବ୍ଦ ଚୟନ ଏବଂ ଏହାର ଅର୍ଥକୁ ପରେ ବୁଝାଇଥିଲେ ମୁମ୍ବାଇ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର। କୋହଲି ‘ପୁଣି ଥରେ’ କହିବାର କଥା ହେଲା ୨୦୧୯ ଡିସେମ୍ବର ୨୨ରେ କଟକର ବାରବାଟୀ ଦିନିକିଆରେ ରବୀନ୍ଦ୍ର ଜାଦେଜାଙ୍କ ସହ ଠାକୁର ସପ୍ତମ ୱିକେଟ୍‌ରେ ୧୫ ବଲ୍‌ରୁ ୩୦ ରନ୍ ଯୋଡ଼ି ୱେଷ୍ଟଇଣ୍ଡିଜ୍‌କୁ ହରାଇବାରେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ବ୍ୟକ୍ତିଗତ ଭାବେ ୬ ବଲ୍‌ରୁ ସେ ୧୭* ରନ୍ କରିଥିଲେ।
। ଆଡିଲେଡ୍‌ରେ ୩୩, ଗାବାରେ ୩୩
ସୁନ୍ଦର-ଠାକୁରଙ୍କୁ ବି ପ୍ରଶାଂସା କରିବାକୁ ଭୁଲିନଥିଲେ ପୂର୍ବତନ ବ‌ିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ। ଭାରତର ଲଢ଼ୁଆ ଖେଳକୁ ଦେଖି ସେହବାଗ ଲେଖିଛନ୍ତି, ‘ଆଡିଲେଡ୍‌ ୨୦୦୩: ଭାରତ ୩୩ ରନ୍‌ରେ ପଛୁଆ ହୋଇଥିଲା। ପରେ ଭାରତ ଏହି ଟେଷ୍ଟ୍‌କୁ ୪ ୱିକେଟ୍‌ରେ ଜିତିଥିଲା। ଆଜି ବ୍ରିସବେନ୍‌ରେ ବି ଭାରତ ୩୩ ରନ୍ ପଛୁଆ‌ ରହିଛି। ଭାରତ ଏକଦା ୧୩୩ ରନ୍‌ ପଛରେ ରହିବାର ଆଶଙ୍କାରେ ଥିଲା। ୧୦୦୦ରୁ ଊର୍ଦ୍ଧ୍ବ ୱିକେଟ୍‌ ନେବାରେ ଅଭିଜ୍ଞ ଅଷ୍ଟ୍ରେଲିଆର ୪‌ ବୋଲର୍‌ଙ୍କ ବିପକ୍ଷରେ ଏହା ‘ସାନ୍‌ଦାର ଜବରଦସ୍ତ’।
ଅଷ୍ଟ୍ରେଲିଆ ପାଇଁ ୫ ୱିକେଟ୍‌ ନେଇଥିବା ଜୋସ୍ ହାଜେଲଉଡ୍‌ ମଧ୍ୟ ଗୁରୁତ୍ତ୍ବପୂର୍ଣ୍ଣ ଶତକୀୟ ଭାଗୀଦାରିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନେ ଭଲ ଭାଗୀଦାରି ଗଢ଼ିଲେ, ଆମେ କିନ୍ତୁ ସେମାନଙ୍କୁ ଆଉଟ୍ କରିଦେଲୁ। ୨୦୦ ରନ୍‌ ତଳେ ୬ ୱିକେଟ୍‌ ନେଇଥିବାରୁ ଆମକୁ ଶୀର୍ଷରେ ରହିବାର ଥିଲା। ସେମାନେ କିନ୍ତୁ ଭଲ ‌ଖେଳିଲେ। ସମ୍ଭବତଃ ‌ଆମେ ଯୋଜନାକୁ ସଠିକ୍ କାର୍ଯ୍ୟକାରୀ କରିପାରିଲୁ ନାହିଁ। ସେ ଦୁହେଁ (ସୁନ୍ଦର ଓ ଠାକୁର) ସୁନ୍ଦର ଭାବେ ବ୍ୟାଟିଂ କଲେ, ୱିକେଟ୍ ଭଲ ଥିଲା ବୋଲି ଏହା ଦେଖାଇ ଦେଇଛି’ ବୋଲି ୫୭ ରନ୍‌ ବିନିମୟରେ ୫ ୱିକେଟ୍‌ ନେଇଥିବା ହାଜେଲଉଡ୍ ପ୍ରକାଶ କରିଛନ୍ତି। ଏହି ଶତକୀୟ ଭାଗୀଦାରିକୁ ମଧ୍ୟ ସେମାନଙ୍କ ଏକାଗ୍ରତା, ଧୈର୍ଯ୍ୟ ଓ ଉଲ୍ଲେଖନୀୟ ଦର୍ଶାଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ। ଅଷ୍ଟ୍ରେଲୀୟ ବୋଲରଙ୍କ ନିକଟରେ ଆକ୍ରମଣାତ୍ମକ ଆଭିମୁଖ୍ୟର ଅଭାବ ଥିଲା ବୋଲି ସେ କହିଥିଲେ।
। ପ୍ରଶଂସାରେ ପ୍ରଭାବିତ ନୁହଁନ୍ତି ଠାକୁର
ବିଭିନ୍ନ ବର୍ଗରୁ ଉଚ୍ଚ ପ୍ରଶଂସିତ ହେବା ସତ୍ତ୍ବେ ବିଶେଷ ପ୍ରଭାବିତ ହୋଇନାହାନ୍ତି ସାର୍ଦୁଳ ଠାକୁର। ଭାରତର ପ୍ରଥମ ପସନ୍ଦ ଦଳରେ ନଥାଇ ସୁଯୋଗ ପାଇଥିବା ଠାକୁର କହିଛନ୍ତି, ‘ବ୍ୟାଟିଂରେ ମୁଁ ଏତେ ନିକମ୍ମା ନୁହେଁ। ନେଟ୍ସରେ ମୋ ବ୍ୟାଟିଂ ଉପରେ କାମ କରିଥାଏ। ଏଭଳି ସୁଯୋଗକୁ ଅପେକ୍ଷା କରିଥିଲି। ବ୍ୟାଟିଂରେ ଦଳ ପାଇଁ ଅବଦାନ ରଖିବାକୁ ଆଗ୍ରହୀ ଥିଲି। ସୁନ୍ଦରଙ୍କ ସହ ବ୍ୟାଟିଂ ବେଳେ ଆମେ କେବେ ସ୍କୋର୍‌ବୋର୍ଡ ଦେଖୁନଥିଲୁ। ଯୋଜନା ଥିଲା କିଛି ସମୟ କ୍ରିଜ୍‌ରେ କାଟିବା। ଜାଣିଥିଲୁ ଘରୋଇ ଦଳ ବୋଲର କ୍ଲାନ୍ତ ହୋଇଗଲେଣି। ଘଣ୍ଟାଏ ଅଧିକ ବ୍ୟାଟିଂ କଲେ ଉପରକୁ ଉଠିଯାଇହେବ। ଖରାପ ବଲ୍‌କୁ ବି ଧୈର୍ଯ୍ୟର ସହ ଅପେକ୍ଷା କରିଥିଲୁ। କେହ‌ି ଖରାପ ସଟ୍‌ ଖେଳିବାକୁ ପ୍ରୟାସ କରୁଥିଲେ ଅନ୍ୟ ଜଣେ ତାକୁ ଚେତାଇ ଦେଉଥି‌ଲୁ। ସ୍ବାଭାବିକ ଖେଳି‌ ମୌଳିକତାକୁ ଫେରିବାକୁ ପସନ୍ଦ କରିଥିଲୁ।’ ବୋଲି ଠାକୁର ପ୍ରକାଶ କରିଥିଲେ।
। ଶାସ୍ତ୍ରୀଙ୍କ ପ୍ରେରଣାର ଫଳ
ଅଷ୍ଟ୍ରେଲିଆ ଗସ୍ତରେ ଶୃଙ୍ଖଳା ଆରମ୍ଭରୁ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପ୍ରେରଣାଦାୟୀ କଥା କେଇ ପଦ ସାର୍ଦୁଳ ଠାକୁରଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବାର ବାଟ ଫିଟାଇଛି। ଦୁଇଟି କଥା ମନରେ ରଖି ସାର୍ଦୁଳ ପଡିଆକୁ ଓହ୍ଲାଇଥିଲେ। ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ପ୍ରଭାବିତ କରିବା ଏବଂ ଶାସ୍ତ୍ରୀଙ୍କ ପ୍ରଶଂସାର ପୁରସ୍କାରକୁ ଅନୁଭବ କରିବା। ଏହି ଦୁଇ କଥା ଉପରୁ ମ୍ୟାଚ୍‌ ପରେ ପରଦା ହଟାଇଥିଲେ ଠାକୁର। ‘ପଡିଆକୁ ଯିବା ବେଳେ ପରିସ୍ଥିତି ଯେ କଷ୍ଟକର ଥିଲା ଏହ‌ାକୁ ଅସ୍ବୀକାର କରି ହେବନାହିଁ। ଦର୍ଶକମା‌ନେ ଅଷ୍ଟ୍ରେଲିଆ ବୋଲରଙ୍କୁ ଉତ୍ସାହିତ କରୁଥିଲେ। ମୁଁ କିନ୍ତୁ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଦିନିକିଆ ଶୃଙ୍ଖଳା ପ୍ରାରମ୍ଭ କଥାକୁ ମନେ ପକାଇଥିଲି। ‘ତୁମେ ଯଦି ଏ ଦେଶରେ ଭଲ କରିବ ତେବେ ପୁରସ୍କୃତ‌ ହେବ’ ଏହା କହିଥିଲେ ଶାସ୍ତ୍ରୀ। ଲୋକମାନେ ପ୍ରଦର୍ଶନକୁ ଭଲପାଆନ୍ତି, ‌ମୋ ମନରେ ଏଇଆ ଥିଲା ଲୋକମାନେ ମଧ୍ୟ ମୋତେ ଭଲପାଇବେ। ଦିନ ଶେଷରେ ଦଳକୁ ଫାଇଦା ହେବ ଯାହାକି ସବୁଠୁ ବଡ଼ ସକାରାତ୍ମକ ଦିଗ ବୋଲି ଠାକୁର କହିଥିଲେ। ମନରେ ଦ୍ବିତୀୟ କଥାଟି ଆସିଥିଲା ଯେଉଁ ପ୍ରଶଂସକମାନେ ଅଷ୍ଟ୍ରେଲୀୟଙ୍କୁ ପ୍ରଶଂସା କରୁଥିଲେ ସେହିମାନେ ମୋତେ ବି ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ, ଠାକୁରଙ୍କୁ ରବିବାର କେବଳ ପ୍ରଶଂସକମାନେ ନୁହଁନ୍ତି ଭାରତୀୟ ଦଳ ମଧ୍ୟ ଡ୍ରେସିଂ ରୁମ୍‌ରୁ ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର