୩-୧ରେ ଶୃଙ୍ଖଳା ଜିତିଲା ଭାରତ

ଶେଷ ମ୍ୟାଚ୍‌କୁ ଅମୀମାଂସିତ ରଖିଲା ଦକ୍ଷିଣ କୋରିଆ

ସିଓଲ୍‌ (ଦକ୍ଷିଣ କୋରିଆ): ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଦମ୍‌ଦାର ଢଙ୍ଗରେ ଶେଷ କରିଛି। ମାତ୍ର ଗୋଟିଏ ମ୍ୟାଚ୍‌ ହାରିବା ସତ୍ତ୍ୱେ ଭାରତ ୩-୧ରେ ଶୃଙ୍ଖଳା କବ୍‌ଜା କରିନେଇଛି। ପ୍ରଥମ ଦୁଇଟି ମ୍ୟାଚ୍‌କୁ ଯଥାକ୍ରମେ ୧-୦ ଓ ୩-୨ ଗୋଲ୍‌ରେ ଜିତିବା ପରେ ଭାରତୀୟ ଦଳ ତୃତୀୟ ମ୍ୟାଚ୍‌କୁ ୧-୨ରେ ହାରିଯାଇଥିଲା। ହେଲେ ଶୁକ୍ରବାର ଚତୁର୍ଥ ମ୍ୟାଚ୍‌ରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ୩-୧ରେ ଆଗୁଆ ରହିଥିଲା। ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଭାରତ ୩-୧ରେ ଶୃଙ୍ଖଳା ଜିତିନେଇଛି। ଶେଷ ମ୍ୟାଚ୍‌ ପ୍ରବଳ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଉଭୟ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିବାରୁ ୪୮ ମିନିଟ୍‌ ପର୍ଯ୍ୟନ୍ତ କେହି କାହାରିକୁ ବାଟ ଛାଡ଼ି ନଥିଲେ। ଯାହା ଫଳରେ ତୃତୀୟ କ୍ୱାର୍ଟର ଶେଷରେ ସ୍ଥିତି ୦-୦ ରହିଥିଲା। ହେଲେ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରି ମ୍ୟାଚ୍‌ ଅମୀମାଂସିତ ରଖିଥିଲେ। ୪୮ ମିନିଟ୍‌ରେ ବନ୍ଦନା କାଟାରିୟାଙ୍କ ଗୋଲ୍‌ ହିଁ ଭାରତକୁ ଆଗେଇ ନେଇଥିଲା। ଅଧିନାୟିକା ରାଣୀଙ୍କଠୁ ପାଇଥିବା ପାସ୍‌କୁ ବନ୍ଦନା ଗୋଲ୍‌ କରିବାରେ ତ୍ରୁଟି କରି ନଥିଲେ। ଏଥି ସହିତ ଭାରତ ଚତୁର୍ଥ ବିଜୟ ସୁଯୋଗ ପାଇଥିଲା। ଏହା ପୂର୍ବରୁ ୪୧ ମିନିଟ୍‌ରେ ଭାରତ ପାଇଥିବା ପ୍ରଥମ ପେନାଲ୍‌ଟି କର୍ନରକୁ କୋରିଆର ମିଜିନ୍‌ ହାନ୍‌ ଅଟକାଇ ଭାରତକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ମାତ୍ର ଭାରତ ପ୍ରଥମ ଗୋଲ୍‌ କରିବାର ୨ ମିନିଟ୍‌ ପରେ ଅର୍ଥାତ୍‌ ୫୦ ମିନିଟ୍‌ରେ ବୋମି କିମ୍‌ ଗୋଲ୍‌ ଶୁଝି ଦେଇ ଦକ୍ଷିଣ କୋରିଆକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ହେଲେ ନିର୍ଧାରିତ ସମୟରେ ଆଉ କୌଣସି ଗୋଲ୍‌ ନହେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର