ସିଡନୀ: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଦମ୍ଦାର ପ୍ରଦର୍ଶନ କରିଛନ୍ତି। ନିଜସ୍ୱ ଷ୍ଟାଇଲରେ ପୂଜାରା ଟେଷ୍ଟ ସିରିଜ୍ରେ ତୃତୀୟ ଶତକ ହାସଲ କରିବା ସହିତ ସୁନୀଲ ଗାଭାସ୍କରଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। ପୂଜାରାଙ୍କ ଏହି ଜବରଦସ୍ତ ପ୍ରଦର୍ଶନ ସହିତ ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନ ଖେଳରେ ନିଜର ସ୍ଥିତି ଦୃଢ଼ କରି ନେଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ଵିକେଟ ହରାଇ ୩୦୩ ରନ୍ ସଂଗ୍ରହ କରିଥିବା ବେଳେ ପୂଜାରା ୧୩୦ ରନ ଓ ହନୁମା ବିହାରୀ ୩୯ ରନ୍ କରି ଅପରାଜିତ ରହିଛନ୍ତି।
ଭାରତ ଟସ୍ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୟଙ୍ଗ ଅଗ୍ରଓ୍ଵାଲ ଲୋକେଶ ରାହୁଲଙ୍କ ସହିତ ଭାରତୀୟ ପାଳି ଓପନ କରିଥିଲେ ମଧ୍ୟ ପୁଣି ଥରେ ଲୋକେଶ ରାହୁଲ ଶସ୍ତାରେ ଆଉଟ୍ ହୋଇ ଯାଇଥିଲେ। ପ୍ରାରମ୍ଭିକ ଝଟକା ପରେ ଭାରତୀୟ ଦଳର ସ୍ଥିତି ସମ୍ଭାଳିଥଲେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ୱର ପୂଜାରା। ଉଭୟ ଦ୍ୱିତୀୟ ଓ୍ଵିକେଟ ଯୋଡ଼ିରେ ଶତକୀୟ ଭାଗିଦାରୀ କରିଥିଲେ।। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୧୧୬ ରନ୍ର ପାର୍ଟନରସିପ୍ କରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍ କରି ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରା ଅଧିନାୟକ୍ ବିରାଟ କୋହଲିଙ୍କ ସହିତ ମିଶି ଭାରତୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଅଧିନାୟକ କୋହଲି ୨୩ ରନ(୪ ଚୌକା) ରନ୍ କରି ଅଧିନାୟକ ପାଇନେଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଯିବା ପରେ ପୂଜାରା ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ସାଥି କରି ଭାରତୀୟ ପାଳି ଆଗକୁ ବଢ଼ାଇବା ସହିତ ଟେଷ୍ଟ କ୍ରିକେଟରେ ୧୮ତମ ଶତକ ହାସଲ କରିଥଲେ। ଏହି ଯୋଡ଼ି ୪୮ ରନ୍ର ଭାଗିଦାରୀ କରିଥିଲେ। ପରୋ ରାହାନେ ଓ୍ଵିକେଟକିପରଙ୍କୁ କ୍ୟାଚ୍ ୍ ଦେଇ ପାଭିଲିୟନ ଫେରିବା ପରେ ପୂଜାରାଙ୍କ ସହି ଯୋଡ଼ି ହୋଇଛନ୍ତି ହନୁମା ବିହାରୀ। ପୂଜାରା ସମସ୍ତ ଅଷ୍ଟ୍ରେଲିୟ ବୋଲରଙ୍କୁ ଦୃଢ଼ ମୁକାବିଲା କରିଥିଲେ।
ଭାରତ ୧୧: ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ୍ (ଓ୍ଵିିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା)।